ଆରିୟାନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁକ୍ତ ଦୁଇ କଳା ବିଭାଗରେ ଛାତ୍ରଛାତ୍ରୀଙ୍କ ଐତିହାସିକ ସଫଳତା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଅନ୍ତର୍ଗତ ଆରିୟାନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗରେ ଚଳିତ ବର୍ଷର ପରୀକ୍ଷା ଫଳା ଫଳରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପରୀକ୍ଷାରେ ଅଂଶଗ୍ରହଣ କରିଥିବା ମୋଟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ଜଣ ପ୍ରଥମ ଶ୍ରେଣୀ, ୯ ଜଣ ଦ୍ୱିତୀୟ ଶ୍ରେଣୀ ଓ ୨୦ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଏକ ଗୌରବ ଆଣିଛନ୍ତି। ଏହି ସଫଳତାରେ ରାମନାଗୁଡା ବ୍ଲକ୍ ପାଇଁ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ ସୁଶ୍ରୀ ସୁମିତ୍ରା ନାୟକ। ସେ ନିଜର ଅଦମ୍ୟ ଇଚ୍ଛାଶକ୍ତି, ଅକ୍ଳାନ୍ତ ପରିଶ୍ରମ ଓ ଦୃଢ଼ ସଙ୍କଳ୍ପ ବଳରେ ୪୭୯ ନମ୍ବର ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପରିବାରର ଆର୍ଥିକ ଅସୁବିଧା ଓ ପିତାଙ୍କ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ସେ କେବେ ନିଜର ଶିକ୍ଷା ସାଧନାରୁ ପଛୁଆ ହୋଇନଥିଲେ। ତାଙ୍କ ପିତା ଅସୁସ୍ଥ ଥିବାରୁ କୌଣସି କାର୍ଯ୍ୟ କରିବାକୁ ଅକ୍ଷମ ହୋଇପଡ଼ିଥିବା ବେଳେ, ତାଙ୍କ ମା’ ହିଁ ପରିବାରର ସମସ୍ତ ଦାୟିତ୍ୱ ବହନ କରୁଛନ୍ତି। ଦଶମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ମଧ୍ୟ ଆର୍ଥିକ ସମସ୍ୟା କାରଣରୁ ସୁମିତ୍ରା ପ୍ରାୟ ଚାରି ବର୍ଷ ଧରି ଘରେ ରହିଥିଲେ। କିନ୍ତୁ ନିଜର ଦୃଢ଼ ମନୋବଳ ଓ ଶିକ୍ଷା ପ୍ରତି ଅସୀମ ଆଗ୍ରହ ତାଙ୍କୁ ପୁନର୍ବାର ଶିକ୍ଷାକ୍ଷେତ୍ରକୁ ଫେରାଇ ଆଣିଥିଲା। ପରେ ସେ ଆରିୟାନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇ ନିଜର ପରିଶ୍ରମ ଫଳରେ ଏହି ସଫଳତା ହାସଲ କରିଛନ୍ତି। ସୁମିତ୍ରାଙ୍କ ପାଠପଢ଼ା ପ୍ରତି ଆଗ୍ରହ ଓ ଲକ୍ଷ୍ୟନିଷ୍ଠାକୁ ଦେଖି ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ଅକୃର ବେନିଆ (ଅର୍ଜୁନ ସାର୍) ତାଙ୍କୁ ଶିକ୍ଷା ଅବ୍ୟାହତ ରଖିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ ଓ ପ୍ରେରଣା ଯୋଗାଇଥିଲେ। ଏଥିସହ ଛାତ୍ରୀ ସୁରଭି ମଲ୍ଲିକ ୪୪୪ ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ, ଛାତ୍ର ଜକୁବା ବିଡ଼ିକା ୪୨୨ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟର ସୁନାମକୁ ଆହୁରି ଉଜ୍ଜ୍ୱଳ କରିଛନ୍ତି।ଆରିୟାନ୍ ଗ୍ରୁପ୍ ଅଫ୍ ଇନ୍ସ୍ଟିଟ୍ୟୁଟ୍ ପଦମପୁରର ପ୍ରତିଷ୍ଠାତା ହରିଶରଣ ଦାସ, ବିଦ୍ୟାଳୟର ପ୍ରଧାନ ଅଧ୍ୟକ୍ଷ ଅକୃର ବେନିଆ, ସହକର୍ମୀ ସଂଗ୍ରାମ ଟାକ୍ରୀ, ସୁଶ୍ରୀ ଜ୍ୟୋତିର୍ମୟୀ ରାଉତ, ସୁଶ୍ରୀ ମାଳନ୍ତୀ ପେରିଶିକା ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସଫଳତା ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଆହୁରି ସଫଳତା କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.