ନଦୀରେ ଏକ ହାତୀର ଶବ ଭାସି ଯାଉଥିଲା। ଗୋଟିଏ କାଉ ଶବଟିକୁ ଦେଖି ବହୁତ ଖୁସି ହୋଇଗଲା ଏବଂ ତୁରନ୍ତ ତା’ ଉପରେ ଆସି ବସିଗଲା। ଯଥେଷ୍ଟ ମାଂସ ଖାଇଲା। ନଦୀର ଜଳ ପିଇଲା। ସେହି ଶବ ଉପରେ ଏପାଖ-ସେପାଖ ଡେଇଁ କାଉଟି ପରମ ତୃପ୍ତିର ସହ ଢେକାର ମାରିଲା। ସେ ଭାବିବାକୁ ଲାଗିଲା, “ଆହା! ଏହା ତ ଅତ୍ୟନ୍ତ ସୁନ୍ଦର ଯାନ, ଏଠାରେ ଖାଦ୍ୟ ଓ ଜଳର ମଧ୍ୟ ଅଭାବ ନାହିଁ। ତେବେ ଏହାକୁ ଛାଡ଼ି ଅନ୍ୟ ଆଡ଼େ କାହିଁକି ବୁଲିବି?” କାଉଟି ନଦୀ ସହିତ ଭାସୁଥିବା ସେହି ଶବ ଉପରେ ଅନେକ ଦିନ ଧରି ରହିଲା। ଭୋକ ଲାଗିଲେ ସେ ଶବକୁ ଝୁଣି ଖାଇନିଏ ଏବଂ ଶୋଷ ହେଲେ ନଦୀର ପାଣି ପିଇନିଏ।ଅଗାଧ ଜଳରାଶି, ଏହାର ତୀବ୍ର ପ୍ରବାହ, କୂଳରେ ବହୁ ଦୂର ପର୍ଯ୍ୟନ୍ତ ବ୍ୟାପିଥିବା ପ୍ରକୃତିର ମନୋରମ ଦୃଶ୍ୟ – ଏସବୁ ଦେଖି ସେ ବିଭୋର ହେଉଥାଏ।
ନଦୀ ଦିନେ ଶେଷରେ ମହାସାଗରରେ ମିଶିଲା। ସେ (ନଦୀ) ଖୁସି ଥିଲା ଯେ ତାକୁ ତା’ର ଗନ୍ତବ୍ୟସ୍ଥଳ ମିଳିଗଲା। ସାଗର ସହିତ ମିଶିବା ହିଁ ତାହାର ଚରମ ଲକ୍ଷ୍ୟ ଥିଲା, କିନ୍ତୁ ସେହି ଦିନ ଲକ୍ଷ୍ୟହୀନ କାଉର ବଡ଼ ଦୁର୍ଦ୍ଦଶା ହେଲା। ଚାରି ଦିନର ମଉଜ-ମଜଲିସ୍ ତାକୁ ଏପରି ଏକ ଜାଗାରେ ଆଣି ପକାଇଥିଲା, ଯେଉଁଠାରେ ତା’ ପାଇଁ ନା ଖାଦ୍ୟ ଥିଲା, ନା ପିଇବା ପାଣି ଏବଂ ନା କୌଣସି ଆଶ୍ରୟ। ଚାରିଆଡ଼େ ସୀମାହୀନ ଅନନ୍ତ ଲୁଣିଆ ଜଳରାଶି ତରଙ୍ଗାୟିତ ହେଉଥିଲା। କ୍ଳାନ୍ତ ଓ ଭୋକିଲା-ଶୋଷିଲା କାଉ କିଛି ଦିନ ପର୍ଯ୍ୟନ୍ତ ଚାରି ଦିଗରେ ଡେଣା ଫଡ଼ଫଡ଼ କରୁଥିଲା, ନିଜର ଛୋଟ ଓ ବଙ୍କାଟଙ୍କା ଉଡ଼ାଣରେ ମିଛ ଗର୍ବ ଦେଖାଉଥିଲା, କିନ୍ତୁ ମହାସାଗରର କୂଳକିନାରା ତାକୁ କେଉଁଠି ବି ନଜର ଆସିଲା ନାହିଁ। ଶେଷରେ ଥକିଯାଇ, ଦୁଃଖରେ କାତର ହୋଇ ସେ ସାଗରର ସେହି ଆକାଶଛୁଆଁ ଲହରୀରେ ଖସି ପଡ଼ିଲା। ଗୋଟିଏ ବିଶାଳ କୁମ୍ଭୀର ତାକୁ ଗିଳି ଦେଲା। ଶାରୀରିକ ସୁଖରେ ଲିପ୍ତ ଥିବା ମଣିଷମାନଙ୍କର ଅବସ୍ଥା ମଧ୍ୟ ସେହି କାଉ ପରି ହୋଇଥାଏ, ଯେଉଁମାନେ ଆହାର ଏବଂ ଆଶ୍ରୟକୁ ହିଁ ପରମ ଗତି ବା ଲକ୍ଷ୍ୟ ବୋଲି ମାନିଥାଆନ୍ତି।





