କୁରୁକ୍ଷେତ୍ର ଯୁଦ୍ଧ ଏବଂ ଶ୍ରୀକୃଷ୍ଣଙ୍କ ସ୍ମିତହାସ
କୁରୁକ୍ଷେତ୍ରରେ ଯୁଦ୍ଧ କରିବା ମାନସରେ ଲକ୍ଷ ଲକ୍ଷ ସୈନ୍ୟ ଠିଆ ହୋଇଛନ୍ତି। ଭାଇର ରକ୍ତ ପାଇଁ ନିଜର ଆତ୍ମୀୟମାନେ ପିପାସୁ ହୋଇ ରହିଛନ୍ତି। ଶଙ୍ଖର ଭୟଙ୍କର ଗର୍ଜନ ଶୁଭୁଛି ଏବଂ ମୃତ୍ୟୁର ତାଣ୍ଡବ ଆରମ୍ଭ ହେବାକୁ ଯାଉଛି। ଅର୍ଜୁନଙ୍କ ଭଳି ବୀର ଯୋଦ୍ଧା ମଧ୍ୟ ମୋହ ଏବଂ ଭୟରେ ଥରୁଛନ୍ତି। କିନ୍ତୁ ସେହି ରଥର ସାରଥି ଭଗବାନ ଶ୍ରୀକୃଷ୍ଣ ସଂପୂର୍ଣ୍ଣ ସ୍ଥିର ଥିଲେ। ତାଙ୍କ ମୁହଁରେ ସେହି ଚିରପରିଚିତ ହସ ଲାଗି ରହିଥିଲା। ଏହା ହିଁ ହେଉଛି ପ୍ରକୃତ “ସାକ୍ଷୀ ଭାବ”। ଯେପରି ହନୁମାନ ଅଶୋକ ବାଟିକାରେ କେବଳ ଜଣେ ‘ଦ୍ରଷ୍ଟା’ ଥିଲେ, ସେହିପରି ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ଥାଇ ମଧ୍ୟ ସେଥିରୁ ଉର୍ଦ୍ଧ୍ୱରେ ଥିଲେ। ସେ ଅର୍ଜୁନଙ୍କୁ ଏହା ହିଁ ଶିକ୍ଷା ଦେଇଥିଲେ: “ଯୁଦ୍ଧ କର, କିନ୍ତୁ ଫଳର ଚିନ୍ତା ନକରି। କର୍ତ୍ତା ହୁଅ ନାହିଁ, କେବଳ ମାଧ୍ୟମ ହୁଅ।”
ଯେତେବେଳେ ଆମେ ଜୀବନର ଆହ୍ୱାନଗୁଡ଼ିକୁ ‘କର୍ତ୍ତା’ ହୋଇ ଦେଖୁ ସେତେବେଳେ ଆମକୁ ଚିନ୍ତା, ଅହଂକାର ଏବଂ ପରାଜୟର ଭୟ ଘେରି ରହେ। କିନ୍ତୁ ଯେତେବେଳେ ଆମେ ‘ସାକ୍ଷୀ’ ବା ଦ୍ରଷ୍ଟା ପାଲଟିଯାଉ, ସେତେବେଳେ ଆମେ ବୁଝିପାରୁ ଯେ, ଜୀବନ ଏକ ରଙ୍ଗମଞ୍ଚ: ସୁଖ ଏବଂ ଦୁଃଖ କେବଳ ଗୋଟିଏ ଗୋଟିଏ ଦୃଶ୍ୟ – ଯାହା ଆସିବ ଏବଂ ଚାଲିଯିବ।
ଦ୍ରଷ୍ଟା ଭାବର ଶକ୍ତି: ଯେପରି ଆକାଶ ବାଦଲକୁ ଆସିବା ଯିବା କରୁଥିବାର ଦେଖେ କିନ୍ତୁ ସେଥିରେ ନିଜକୁ ଜଡ଼ିତ କରେ ନାହିଁ ସେହିପରି ଆମକୁ ନିଜର ଚିନ୍ତାଧାରାକୁ କେବଳ ଦେଖିବା ଉଚିତ୍।
ଭିତରର କୃଷ୍ଣ/ ହନୁମାନ: ଯେଉଁଦିନ ଆପଣ ନିଜର କ୍ରୋଧ, ଲୋଭ ଏବଂ ଭୟକୁ ଜଣେ ତୃତୀୟ ବ୍ୟକ୍ତିଙ୍କ ପରି ଦେଖିବା ଆରମ୍ଭ କରିଦେବେ, ସେହିଦିନଠାରୁ ସେଗୁଡ଼ିକ ଆପଣଙ୍କ ଉପରେ ହାକିମାତି କରିବା ବନ୍ଦ କରିଦେବେ।
ହନୁମାନ ଅଶୋକ ବାଟିକାରେ ରହି ଲଙ୍କା ପୋଡ଼ି ହେବାର ଦେଖିଲେ, କିନ୍ତୁ ନିଜେ ଶୀତଳ ରହିଲେ। ଶ୍ରୀକୃଷ୍ଣ ଯୁଦ୍ଧ କ୍ଷେତ୍ରରେ ରହି ରକ୍ତପାତ ଦେଖିଲେ କିନ୍ତୁ ନିଜେ ଆନନ୍ଦରେ ରହିଲେ। ଯେଉଁଦିନ ଆପଣ ନିଜ ମନର କୋଳାହଳକୁ ଏକ “ଦୂରତା” ରୁ ଦେଖିବା ଶିଖିଯିବେ ସେହିଦିନ ଆପଣ ବୁଝିପାରିବେ ଯେ ଆପଣ ସେହି ଶବ୍ଦ ବା କୋଳାହଳ ନୁହଁନ୍ତି, ବରଂ ଆପଣ ସେହି “ଚେତନା” ଯିଏ ସେହି ଶବ୍ଦକୁ ଶୁଣୁଛି। ଆପଣ ନିଜେ ନିଜ ମନକୁ ଚିହ୍ନିଲେ ସାରା ସଂସାରକୁ ଜିତିନେବେ।





