ସରିଆଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସଂପୂର୍ଣ୍ଣ ମଦ ବନ୍ଦ ଦାବି: ଶହଶ୍ରାଧିକ ମହିଳାଙ୍କ ମଦମୁକ୍ତ ଅଭିଯାନ ରେଲି 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ସରିଆଁ ପଞ୍ଚାୟତ ଅଞ୍ଚଳରେ ଦେଶୀ ବିଦେଶୀ ମଦ ବିକ୍ରୀ ବନ୍ଦ କରିବାକୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦାବି କରିଛନ୍ତି। ଏନେଇ ଶୁକ୍ରବାର ଦିନ ରେଲି ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯାଇଛି। ଚିଆଁପଦର ଠାରୁ ମଦମୁକ୍ତ ଅଭିଯାନ ରେଲି ଆରମ୍ଭ ହୋଇ ଟୋଲବ୍ରାହ୍ମଣୀ, ସରିଆଁ, ଦେଣ୍ଡୋଗୁଡା ଦେଇ ଅର୍ଜୁନ ଗାଁ ପରିକ୍ରମା କରିଛି। ଶହଶ୍ରାଧିକ ମହିଳା ମଦ ବିରୋଧୀ ସ୍ଲୋଗାନ ଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସରିଆଁ ପଞ୍ଚାୟତ ସମ୍ମୁଖରେ ସରପଞ୍ଚ ଓମପ୍ରକାଶ ଛତ୍ରିଆ ମହିଳାମାନଙ୍କ ଦାବିପତ୍ର ଗ୍ରହଣ କରି ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏଥିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶୁଶ୍ରୀ ରିନା ଭୋଇ, ପୂର୍ବତନ ସମିତି ସଭ୍ୟା ନନ୍ଦିନୀ ଭୋଇ, ନାରୀ ନେତ୍ରୀ ମାନିନୀ ଭୋଇ, ବରିଷ୍ଠ ନେତା ସୁରେଶ ଭୋଇ, ରଘୁନାଥ ଦିପ, ଦିଲଦେଓ ଘର୍ଡା ପ୍ରମୁଖ ମଦ ବନ୍ଦ ଉପରେ ଆଲୋକପାତ କରିଥିଲେ। ଏହାପରେ ଶିବ ମନ୍ଦିର ଆମ୍ବତୋଟାରେ ଆୟୋଜିତ ସଭାରେ ସରିଆଁର ପୂର୍ବତନ ସରପଞ୍ଚ ଜନନୀ ଭୋଇ, ନାରୀନେତ୍ରୀ କୁମୁଦିନୀ ନାଏକ, ଅମ୍ବୁବତୀ ଭୋଇ, ଛାୟାବତୀ ଭୋଇ, କୁମାରୀ ଗଉଡ, ବୈଦେହୀ ଜାନୀ, ସୈରିନ୍ଦ୍ରୀ ଜାନୀ, ସରଜୁ ମାଝୀ, ଜସ୍ମିନୀ ଦୁର୍ଗା, ବୈଦେହୀ ହରପାଲ, ସନ୍ତୋଷୀ ସୁନା, ପଦ୍ମିନୀ ସୁନା, ରୁମା ନାଏକ, ଲତା ବାଗ, ଲିଲା ମାଝୀ, ସଚେତନ ନାଗରିକ ଅକୃର ମାଝୀ, ରଘୁମଣି ସୁନା, ଦିଲିପ ଦୁର୍ଗା ପ୍ରମୁଖ ସରିଆଁ ପଞ୍ଚାୟତ ଅଞ୍ଚଳରୁ ଦେଶୀ ଓ ବିଦେଶୀ ମଦ ସଂପୂର୍ଣ୍ଣ ବନ୍ଦ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଏକ ସୁସ୍ଥ ସମାଜ ଗଠନ ପାଇଁ ଅଞ୍ଚଳର ମହିଳାମାନଙ୍କ ଏହି ପ୍ରୟାସକୁ ଅନେକ ସଚେତନ ନାଗରିକ ସମର୍ଥନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଦ୍ରୋପଦୀ ଦୁର୍ଗା, ଗଜମଣୀ ସୁନା, କସ୍ତୁରୀ ଦୁର୍ଗା, ଅଶ୍ବିନୀ ପ୍ରଗଣିଆ, ଭିକାରୀ ପ୍ରଗଣିଆ ପ୍ରମୁଖ ସହଯୋଗ କରିଥିଲେ। ତେବେ ସରିଆଁ ପଞ୍ଚାୟତର ଅର୍ଜୁନ ଗାଁ, ଦେଣ୍ଡୋଗୁଡା, ସରିଆଁ, ଟୋଲବ୍ରାହ୍ମଣୀ ଓ ଚିଆଁପଦର ଗାଁରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଉଚ୍ଛେଦ କରିବା ସମ୍ବଳିତ ଦାବିପତ୍ର କଳାହାଣ୍ଡି ଜିଲ୍ଲାପାଳ ଓ ନର୍ଲା ବିଡ଼ିଓଙ୍କୁ ପ୍ରେରଣ କରାଯିବା ନେଇ ସରିଆଁ ସରପଞ୍ଚଙ୍କୁ ପ୍ରଦାନ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରିଆଁ ପଞ୍ଚାୟତ ଅଞ୍ଚଳରେ ଅନେକ ଦେଶୀ ମଦ କୋଠି ରହିଛି। ଏହାସହ ଅନେକ ଲୋକ ବେନିୟମ ବିଦେଶୀ ମଦ କାରବାର ଚଲାଉଛନ୍ତି। ଯେଉଁଠି ସକାଳୁ ରାତ୍ରୀ ଯାଏଁ ମଦ୍ୟପମାନଙ୍କ ଭିଡ଼ ଲାଗି ରହିଥାଏ। ମଦ ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଅନେକ ସୁନାର ସଂସାର ଭାଙ୍ଗି ଚୁରମାର ହୋଇ ଯାଉଛି। ତେଣୁ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପଞ୍ଚାୟତ ଅଞ୍ଚଳକୁ ମଦ ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.