ବିଶ୍ଵନାଥପୁରରେ ବାବାସାହେବଙ୍କ ୧୩୫ତମ ଜନ୍ମଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କେବଳ ଦଳିତ କି ଆଦିବାସୀ ନୁହଁନ୍ତି ବରଂ ସମଗ୍ର ମଣିଷ ସମାଜର ହକ ଓ ଅଧିକାର ପାଇଁ ଆଜୀବନ ସମର୍ପିତ ଥିଲେ ଡ. ଭୀମରାଓ ଆମ୍ବେଦକର। ତାଙ୍କ ତ୍ୟାଗ ଓ ନିଷ୍ଠା ତଥା ଅଧ୍ୟବସାୟ ବଳରେ ଆଜି ଦେଶ ସୁରକ୍ଷିତ ଓ ତାଙ୍କ ଲିଖିତ ସମ୍ବିଧାନ ଏହା ସୁନିଶ୍ଚିତ କରିଥାଏ। ସାରା ବିଶ୍ୱ ଯାହାଙ୍କ ଗୁଣଗାରିମା ଆଗରେ ନତମସ୍ତକ ହୁଏ, ତାଙ୍କର ଜନ୍ମଜୟନ୍ତୀ ଦେଶ ତଥା ବିଦେଶରେ ପାଳିତ ହେଉଛି।

ଦଳିତ, ବହୁଜନ ତଥା ସାରା ଦେଶବାସୀଙ୍କ ପାଇଁ ଏହା ପର୍ବ ମହୋତ୍ସବରୁ କୌଣସି ଗୁଣରେ କମ ନୁହେଁ। ଆଜି ତାଙ୍କ ଜନ୍ମଦିବସ ଅବସରରେ ଭାରତୀୟ ଗଣତନ୍ତ୍ର ଓ ଅଦ୍ଵିତୀୟ ସମ୍ବିଧାନର ଶିଳ୍ପକାର ଡ. ବି. ଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଶର ପ୍ରତିଟି ନାଗରିକ ଜାଣିବାର ପ୍ରାସଙ୍ଗିକତା ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ଓ ଦଳିତ ଆଦିବାସୀ ମହାସଂଘ, ଲାଞ୍ଜିଗଡ଼ ବ୍ଲକ ଶାଖାର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱନାଥପୁରଠାରେ ବାବାସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ, ଲାଞ୍ଜିଗଡ଼ ବ୍ଲକ ସଭାପତି ଜଗଦୀଶ ବେନିଆଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର, ସମ୍ମାନିତ ଅତିଥି ଭାବେ ଦଳିତ ଆଦିବାସୀ ମହାସଂଘର ବ୍ଲକ ସଭାପତି ହରିଶଙ୍କର ପାତ୍ର, ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ଉପଦେଷ୍ଟା ଶ୍ରୀବତ୍ସ ତାଣ୍ଡି, ମନୋହର ହରପାଲ, ବ୍ଲକ କାର୍ଯ୍ୟକାରୀ ସଭାପତି ହରିହର କୁମାର, କିଶୋର ହରପାଲ, ସମାଜସେବୀ ଲକ୍ଷ୍ମୀଧର ସନ୍ତୋଷରାୟ, ତ୍ରିନାଥ ପାତ୍ର, ତୁଳସୀ ମାଝୀ, ନରେନ୍ଦ୍ର ବେହେରା, ଆନନ୍ଦ ଟାକରି, କୃପା ସୁନା, ଚିତ୍ରସେନ ସୁନା, ଉମେଶ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ଗୋପାଳଦାସ ମହାନନ୍ଦ ସ୍ୱାଗତ ଅଭିଭାଷଣ, ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ଅକ୍ଷୟ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ସଭା ପୂର୍ବରୁ ଏକ ବିଶାଳ ଶୋଭାଯାତ୍ରା ବିଶ୍ୱନାଥପୁର ସହର ପରିକ୍ରମା କରିବା ପରେ ଅତିଥିମାନେ ବ୍ଲକ ଛକରେ ସ୍ଥାପିତ ବାବାସାହେବଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ତାଙ୍କ ଅମ୍ଲାନ ସ୍ମୃତିଚାରଣ କରିଥିଲେ। ଆଜିର ଏହି ଶୋଭାଯାତ୍ରା ଓ କାର୍ଯ୍ୟକ୍ରମରେ ବ୍ଲକର ୨୬ଗୋଟି ପଞ୍ଚାୟତ ଅଞ୍ଚଳରୁ ଉଭୟ ସଂଗଠନର ବହୁସଂଖ୍ୟକ କର୍ମକର୍ତ୍ତା ଏବଂ ସାଧାରଣ ଲୋକେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଘାସିରାମ ବାଗ, ଜିତେନ୍ଦ୍ର ନାଏକ, ଚକ୍ରଧର ଗରଡିଆ, ଜଳଧର ସାଗର, ବିକ୍ରମ ଛତ୍ରିଆ, ମଳୟ ବେନୁଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ବ୍ଲକର ଛତ୍ରପୁରଠାରେ ଜନ ଜାଗରଣ ଯୁବକ ସଂଘ ଦ୍ୱାରା ବାବାସାହେବଙ୍କ ଜନ୍ମ ଜୟନ୍ତୀ ସମାରୋହ ଆୟୋଜିତ ହୋଇଯାଇଛି। ଅପରପକ୍ଷରେ ବ୍ଲକର ଲାଖବାହାଲି ଓ ଗୋବର୍ଦ୍ଧନପୁର ପଞ୍ଚାୟତ ଗୋପାଳପୁରଠାରେ ମଧ୍ୟ ବାବାସାହେବଙ୍କ ୧୩୫ତମ ଜନ୍ମଜୟନ୍ତୀ ପାଳିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.