ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଫଳାଫଳ ଶନିବାର ପ୍ରକାଶ ପାଇଛି। କୋକସରା ବ୍ଳକରେ ଚଳିତ ବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ୫ଜଣ ଛାତ୍ରୀ ଓ ଜଣେ ଛାତ୍ର ୫୪୦ ମାର୍କ (ଏ-୧ ଗ୍ରେଡ) (୯୦ ପ୍ରତିଶତ) ରଖି ବ୍ଳକ ଟପ୍ପର ହୋଇଛନ୍ତି। ସେମାନେ ହେଲେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶ୍ମିତା ବିଷି, ଦିବ୍ୟାଶ୍ରୀ ପ୍ରଧାନୀ, ଛାତ୍ର ନରୋତ୍ତମ ବାଗ, ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟ ଡହଗାଁର ଛାତ୍ରୀ ପ୍ରିୟଙ୍କା ମଶ୍ରା, ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ ହାଇସ୍କୁଲର ଛାତ୍ରୀ ଲିଲିମଣି ବାଗ ଓ ସୌଭାଗ୍ୟ ନିଆଲ ବୋଲି ସୂଚନା ମିଳିଛି। ଏହି ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସେମାନଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ପରିଚାଳନା କମିଟିର ସଦସ୍ୟ, ସମସ୍ତ ଶିକ୍ଷକ ତଥା ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପରିଶ୍ରମ, ଆଶୀର୍ବାଦ ତଥା ନିଜର ଦୃଢ଼ ମନୋବଳ ଓ ନିରନ୍ତର ପରିଶ୍ରମ ରହିଛି ବୋଲି ଛାତ୍ରଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ସୂଚନା ଯେ, କୋକସରା ବ୍ଲକରେ ଚଳିତ ବର୍ଷରେ ୯ ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୪୭୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୪୦ ଜଣ ପରୀକ୍ଷା ଦେଇଥିଲେ।





