ବୁଗୁଡ଼ା ବ୍ଲକରେ ୮ ଜଣ ଏ-୧, ସୋରୋଡ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଲକ ଟପର

ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ପ୍ରକାଶିତ ମ୍ୟାଟ୍ରିକ୍ ପରୀକ୍ଷା ଫଳକୁ ନେଇ ବୁଗୁଡ଼ା ବ୍ଲକର ଛାତ୍ରାଛାତ୍ରୀ ଉତ୍ସାହିତ ଥିବା ଜଣାପଡ଼ିଛି । ଏଥର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ୨୬ଟି ହାଇସ୍କୁଲ ମଧ୍ୟରୁ ୬ଟି ହାଇସ୍କୁଲର ୮ ଜଣ ଛାତ୍ରାଛାତ୍ରୀ ଏ-୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବୁଗୁଡ଼ା ବ୍ଲକର ସୋରଡ଼ ଗ୍ରାମସ୍ଥ ଶ୍ରୀ ବାଲୁକେଶ୍ୱର ହାଇସ୍କୁଲର ମେଧାବୀ ଛାତ୍ରୀ ନିବେଦିତା ବେହେରା ସର୍ବାଧିକ ୫୬୩ ମାର୍କ ପ୍ରାପ୍ତ କରି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ସେହିପରି ବାଲିପଦର ହାଇସ୍କୁଲର ଛାତ୍ର ତରୁଣ ପାତ୍ର ୫୫୧, ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ଛାତ୍ର ସ୍ୱୟଂ ସେଠୀ ୫୪୭, ବି.କରଡ଼ାବାଡ଼ି ହାଇସ୍କୁଲର ଛାତ୍ର ସାଈ ପ୍ରସାଦ ଗୌଡ଼ ୫୪୬, ସୋରୋଡ ହାଇସ୍କୁଲର କୋମଳ ବେହେରା ୫୪୫ ଓ ବିରଞ୍ଚିପୁର ହାଇସ୍କୁଲର ଛାତ୍ର ମାନସ ରଞ୍ଜନ ହୋତା ୫୪୫, ଖରିଡ଼ା ହାଇସ୍କୁଲର ଛାତ୍ରୀ ଚିନ୍ମୟୀ ହୋତା ୫୪୪ ଓ ବାଲିପଦର ହାଇସ୍କୁଲର ଛାତ୍ରୀ ଇପ୍ସିତା ଦାସ ୫୪୦ ମାର୍କ ହାସଲ ପୂର୍ବକ ଏ-୧ରେ ଉତ୍ତୀର୍ଣ୍ଣ ହୋଇ ସ୍ଵ ସ୍ଵ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଛନ୍ତି। ତେବେ ଛାତ୍ରୀ ନିବେଦିତା ବେହେରା ସର୍ବାଧିକ ୯୩.୮୩ ପ୍ରତିଶତ ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ହୋଇଥିବାରୁ ସେ ବିଭିନ୍ନ ମହଲରେ ପ୍ରଶଂସିତ ହୋଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ଚଳିତ ବର୍ଷ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ୧୦ଟି କେନ୍ଦ୍ରରେ ମୋଟ ୧୮୯୯ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.