ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ: ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ୯୭.୭୧% : ରାଜ୍ୟ ପାସ୍ ହାରକୁ ପଛରେ ପକାଇଲା ଜିଲ୍ଲା

• ଉତ୍ତର ଓଡ଼ିଶା ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର ଶୀର୍ଷରେ 

• ସର୍ବାଧିକ ୩୦୫ ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟରେ ପ୍ରଥମ 

• ୫୮୮ ନମ୍ବର ରଖି ଜିଲ୍ଲା ଟପର୍ ହେଲେ ଆଶୁତୋଷ ନାୟକ 

 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତକାଲି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏ ବର୍ଷ ଏହି ବାର୍ଷିକ ଉଚ୍ଚ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ବାଲେଶ୍ୱର ଜିଲ୍ଲା ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ବାଲେଶ୍ୱର ଜିଲ୍ଲାର ପାସ୍ ହାର ରହିଛି ୯୭.୭୧ ପ୍ରତିଶତ, ଯାହା ରାଜ୍ୟ ହାର ୯୫.୩ ପ୍ରତିଶତ ଠାରୁ ଯଥେଷ୍ଟ ଅଧିକ। ଏଥିସହ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡ଼ିକ ମଧ୍ୟରେ ବାଲେଶ୍ୱର ଜିଲ୍ଲା ଶୀର୍ଷକ ରହିଛି। ଉଲ୍ଲେଖଯୋଗ୍ୟ ଯେ ଏ ବର୍ଷ ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜକୁ ପଛରେ ପକାଇଛି ବାଲେଶ୍ଵର ଜିଲ୍ଲା। 

ମିଳିଥିବା ତଥ୍ୟ ଅନୁଯାୟୀ, ବାଲେଶ୍ୱର ଜିଲ୍ଲାରୁ ମୋଟ ୩୧,୦୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ଏଥିରୁ ୬୨୭ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ମୋଟ ୨୯ ହଜାର ୭୧୬ ଜଣ ଛାତ୍ରଛାତ୍ରୀ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଜିଲ୍ଲାରେ ୧୪ ହଜାର ୭୭୬ ଜଣ ଛାତ୍ର ଏବଂ ୧୪ ହଜାର ୯୪୦ ଜଣ ଛାତ୍ରୀ ପାସ୍ କରିଛନ୍ତି। ତେବେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀ ଆଗରେ ରହିଛନ୍ତି। ସେହିପରି 

ଗ୍ରେଡ୍ ଭିତ୍ତିରେ ଜିଲ୍ଲାରେ ୩୦୫ ଜଣ ଏ-୧, ୧୬୯୪ ଜଣ ଏ-୨, ୪ ହଜାର ୫୩ ଜଣ ବି-୧ ଏବଂ ୬ ହଜାର ୨୩ ଜଣ ବି-୨ ଗ୍ରେଡ୍ ପାଇଛନ୍ତି। ଜିଲ୍ଲାରେ ମୋଟ ୫୨୪ଟି ସ୍କୁଲ୍ ପରୀକ୍ଷାରେ ସାମିଲ ହୋଇଥିଲା। 

ଅନ୍ୟପଟେ ଉତ୍ତର ଓଡ଼ିଶାର ୪ଟି ପ୍ରମୁଖ ଜିଲ୍ଲାର ପାସ୍ ହାର ଅପେକ୍ଷା ବାଲେଶ୍ଵର ଆଗରେ ରହିଛି।ବାଲେଶ୍ୱର ୯୭.୭୧ ପ୍ରତିଶତ ରଖିଥିବା ବେଳେ ମୟୂରଭଞ୍ଜ ୯୭.୫୨ ପ୍ରତିଶତ ଏବଂ ୩୧ ହଜାର ୭୩୨ ଜଣଙ୍କ ମଧ୍ୟରୁ ୩୦ ହଜାର ୨୧୩ ଉତ୍ତୀର୍ଣ୍ଣ। ସେହିପରି ଭଦ୍ରକ ୯୬.୦୧ ପ୍ରତିଶତ ରହିଥିବା ୨୧ ହଜାର ୭୨୪ ଜଣଙ୍କ ମଧ୍ୟରୁ ୨୦ ହଜାର ୪୯୯ ଉତ୍ତୀର୍ଣ୍ଣ ଏବଂ କେନ୍ଦୁଝର ଜିଲ୍ଲାରେ ୯୪.୩୫ ପ୍ରତିଶତ ପାସ୍ ହାର ହୋଇଥିବା ବେଳେ ୨୫ ହଜାର ୧୫୯ ଜଣଙ୍କ ମଧ୍ୟରୁ ୨୩ ହଜାର ୨୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। 

ଏହି ତଥ୍ୟ ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଉତ୍ତର ଓଡ଼ିଶାରେ ସବୁଠୁ ଆଗରେ ରହିଛି। ମୟୂରଭଞ୍ଜ ଜିଲ୍ଲା ଠାରୁ ବାଲେଶ୍ୱର ୦.୧୯ ପ୍ରତିଶତ ଆଗରେ ଅଛି। ରାଜ୍ୟ ହାର ୯୫.୩ ପ୍ରତିଶତ ତୁଳନାରେ ବାଲେଶ୍ୱର ୨.୪୧ ପ୍ରତିଶତ ଅଧିକ ପାସ୍ ହାର ହାସଲ କରିଛି। ତେବେ ରାଜ୍ୟରେ ଗଜପତି ଜିଲ୍ଲା ୯୯.୩୧ ପ୍ରତିଶତ ସହ ଶୀର୍ଷରେ ରହିଥିବା ବେଳେ ବାଲେଶ୍ୱର ଜିଲ୍ଲା ୯୭.୭୧ ପ୍ରତିଶତ ସହ ରାଜ୍ୟର ଅଗ୍ରଣୀ ଜିଲ୍ଲା ମଧ୍ୟରେ ରହିଛି। 

୫୮୮ ନମ୍ବର ରଖି ସୋର କେସି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ବାଲେଶ୍ଵର ଜିଲ୍ଲା ଟପର୍ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅନିକେତ ପାତ୍ର (୫୮୬) ନମ୍ବର ଏବଂ ୫୮୨ ନମ୍ବର ରଖି ଆୟୁଷ୍ମାନ ଦାସ ତୃତୀୟ ହୋଇଛନ୍ତି। 

ପରୀକ୍ଷା ଫଳ ପ୍ରକାଶ ପରେ ଜିଲ୍ଲାର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଶିକ୍ଷା ବିଭାଗ ପକ୍ଷରୁ ସଫଳ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.