ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କୋଭିଡ କଟକଣା ପରେ ପରେ ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଜୁନାଗଡ଼-ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ ଓ ରାୟପୁର-ଜୁନାଗଡ଼-ରାୟପୁର ପାସେଞ୍ଜର ଟ୍ରେନ ରହୁନାହିଁ। ଲାଞ୍ଜିଗଡ଼ ବ୍ଲକ ରାମଚନ୍ଦ୍ରପୁରରେ ଥିବା ଏହି ପାସେଞ୍ଜର ହଲଟ ଉପରେ ଲାଞ୍ଜିଗଡ଼, ନର୍ଲା, ମ.ରାମପୁର ତଥା କର୍ଲାମୁଣ୍ଡା ବ୍ଲକ ଓ ସଦର ବ୍ଲକର ଲକ୍ଷାଧିକ ଲୋକେ ନିର୍ଭର କରିଥାନ୍ତି। ତେବେ ଟ୍ରେନ ରହଣୀ ବାତିଲ ହେବାକୁ ନେଇ ଅଞ୍ଚଳରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଏହାକୁ ନେଇ ରବିବାର କଳାହାଣ୍ଡି ରେଳଯାତ୍ରୀ ସଂଘ ରାମଚନ୍ଦ୍ରପୁର ଶାଖା ସଭାପତି ପ୍ରଭାତ ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ରାମଚନ୍ଦ୍ରପୁର ବଜାର ପଡ଼ିଆରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ନାଗରିକ ଦିଲୀପ ମିଶ୍ର, ଅଶୋକ ପାଢ଼ୀ, ଉମାଶଙ୍କର ବେହେରା, ଚକ୍ରଧର ପଣ୍ଡା, କିଶୋର ପୁରୋହିତ, ଅଶୋକ ପୁରୋହିତ, ଶମ୍ଭୁ ସାହୁ, ବୀରେନ କୁମାର ପଣ୍ଡା, ପିଣ୍ଟୁ ପତି, ରଞ୍ଜିତ ପଣ୍ଡା, ଅକ୍ଷୟ ସାହୁଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ରହି ଟ୍ରନ ରହଣୀ ଦାବି ଦୋହରାଇ ଥିଲେ। କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଏନେଇ ପତ୍ର ଜରିଆରେ ଅବଗତ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ରାମଚନ୍ଦ୍ରପୁର ପାସେଞ୍ଜର ହଲଟକୁ ପୂର୍ଣ୍ଣାଙ୍ଗ ଷ୍ଟେସନରେ ପରିଣତ କରିବା, ଷ୍ଟେସନରେ ପରିତ୍ୟକ୍ତ ଷ୍ଟାଫ କ୍ୱାର୍ଟର ସଜାଡ଼ିବା ସହିତ ଆଲୋକୀକରଣ ଓ ପାନୀୟଜଳର ସୁବ୍ୟବସ୍ଥା ପାଇଁ ଦାବି କରାଯିବାକୁ ନେଇ ଆଲୋଚନା ହୋଇଥିଲା। ଏପରିକି ଟ୍ରେନ ରହଣୀ ନକଲେ ରାମଚନ୍ଦ୍ରପୁର ପାସେଞ୍ଜର ହଲଟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳରୋକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସାମ୍ବାଦିକ ସୁଶୀଲ କୁମାର ବାଗ ବୈଠକ ପରିଚାଳନା କରିଥିଲେ।





