ଲାଞ୍ଜିଗଡ଼ରେ ବଡ଼ ଧରଣର ଡକାୟତି: ଛୁରୀ ଦେଖାଇ ଲୁଟିନେଲେ ନଗଦ ୮ଲକ୍ଷ ଟଙ୍କା ଓ ୧୫ଭରି ସୁନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଶିଳ୍ପର ସହର ଲାଞ୍ଜିଗଡ଼ରେ ଘଟିଛି ଏକ ବଡ଼ ଧରଣର ଡକାୟତି। ଲାଞ୍ଜିଗଡ଼ ଥାନା ଜଗନ୍ନାଥପୁରରେ ଘର ତିଆରି କରି ରହୁଥିବା ବ୍ୟବସାୟୀ ଆନନ୍ଦ ଅଗ୍ରୱାଲଙ୍କ ଦୁଇମହଲା ଘରେ ରବିବାର ବିଳମ୍ବିତ ରାତିରେ ପାଞ୍ଚରୁ ଛଅଜଣ ଦୁର୍ବୃତ୍ତ ହଠାତ ପଶି ଆସିବା ସହିତ ତାଙ୍କ ଘର ମୁଖ୍ୟ କବାଟ ଭାଙ୍ଗି ଘର ଭିତରେ ଧସେଇ ପଶିଥିଲେ। ଏହାପରେ ନିଦରେ ଶୋଇଥିବା ବ୍ୟବସାୟୀ ଶ୍ରୀ ଅଗ୍ରୱାଲ ଓ ତାଙ୍କ ପତ୍ନୀ ବବିତାଙ୍କୁ ଉଠାଇ ସେମାନଙ୍କ ଗଳାରେ ଛୁରୀ ଲଗାଇ ଭୟଭୀତ କରିବା ସହିତ ଘରେ ଥିବା ନଗଦ ୯ରୁ ୧୦ଲକ୍ଷ ଟଙ୍କା ଓ ୧୫ ତୋଳା ସୁନା, ୫୦ ତୋଳା ରୂପା ଅଳଙ୍କାର ଆଦି ନେଇଯାଇଥିବା ଅଭିଯୋଗ ହୋଇଛି।ଏପରିକି ଲୁଟ ପୂର୍ବରୁ ସେମାନଙ୍କ ତିନିଗୋଟି ମୋବାଇଲ ଛଡାଇ ନେଇ ଗଲାବେଳେ ଘର ବାହାରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ରାତି ପ୍ରାୟ ୨.୩୦ରୁ ୩.୩୦ ପର୍ଯ୍ୟନ୍ତ ଦୀର୍ଘ ଘଣ୍ଟାଏ କାଳ ଡକାୟତ ଦଳ ନିଜର ଆତଙ୍କରାଜ ଚଳାଇ ପଳାଇ ଯିବାପରେ କୌଣସି ପ୍ରକାରେ ସେ ଲୋକଙ୍କୁ ସୂଚନା ଦେବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ଲାଞ୍ଜିଗଡ଼ ଥାନାଧିକାରୀ ଯଶୋବନ୍ତ ହିଆଲଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସେହିପରି ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଲାଞ୍ଜିଗଡ଼ ଅଞ୍ଚଳରେ ପ୍ରଥମ ଥର ଏତେବଡ଼ ଡକାୟତି ଘଟଣା ଘଟିଥିବାବେଳେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଏନେଇ ଲାଞ୍ଜିଗଡ଼ ଥାନା କେସ ନଂ ୪୧/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.