ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବର୍ତ୍ତମାନ ସାରା ରାଜ୍ୟରେ ଅସହ୍ୟ ତାତି ଲାଗିଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ନଈ, ନାଲ ଶୁଖିଲା ପଡ଼ିଥିବା ବେଳେ ପାଣି ନିମନ୍ତେ କଲବଲ ହେଉଛନ୍ତି ମନୁଷ୍ୟ ସମେତ ଅନେକ ପ୍ରାଣୀ। ଏଭଳି ସ୍ଥିତିରେ ଗତ ୨ମାସ ପାଖାପାଖି ହେବ କୋକସରା ବ୍ଲକ ଡାଲଗୁମା ଗ୍ରାମରେ ଥିବା ଓଭର ହେଡ୍ ପାଣି ଟାଙ୍କି ଅଚଳ ହୋଇ ରହିଛି। ପଞ୍ଚାୟତ ଦ୍ବାରା ପରିଚାଳିତ ହେଉଥିବା ଏହି ପାଣି ଟାଙ୍କିରୁ ଡାଲଗୁମା ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଇ ଥାଏ। ପ୍ରାୟ ୨୫ ଶହ ରୁ ଉର୍ଦ୍ଧ୍ୱ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଲୋକେ ପାନୀୟ ଜଳ ନିମନ୍ତେ ସମ୍ପୂର୍ଣ୍ଣ ଏହି ପାଣି ଟାଙ୍କି ଉପରେ ନିର୍ଭର କରିଥାନ୍ତି। ପାଣି ଟାଙ୍କି ନିର୍ମାଣ ହେବା ଦିନଠାରୁ ଠିକ୍ ଠାକ୍ ଚାଲିଥିଲା, କିନ୍ତୁ ବାରମ୍ବାର ଟାଙ୍କି ରୁ କେବୁଲ ଚୋରି ହେଉଥିବାରୁ ଏଭଳି ସମସ୍ୟା ଉପୁଜିଥିବା ବେଳେ ଅଭିଯୁକ୍ତ ସତ୍ତ୍ୱେ ଚୋର ମାନଙ୍କୁ ପୋଲିସ ମଧ୍ୟ ଧରିବାରେ ସକ୍ଷମ ହେଉ ନଥିବା ଗ୍ରାମବାସୀ ମାନେ ପ୍ରକାଶ କରୁଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ରୁତୁ ଜାରି ରହିଛି। କଳାହାଣ୍ଡି ଜିଲ୍ଲା ସମେତ କୋକସରା ଅଞ୍ଚଳର ପାଖାପାଖି ୩୮ ଡିଗ୍ରୀ ରୁ ଉର୍ଦ୍ଧ ତାପମାତ୍ରା ରହୁଛି। ଏଭଳି ସ୍ଥିତିରେ ଡାଲଗୁମା ଗ୍ରାମବାସୀ ପାନୀୟ ଜଳ ଟିକକ ପାଇଁ ପାଣି ଡହକ ବିକଳ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ତୁରନ୍ତ ଓଭରହେଡ଼ ପାଣି ଟାଙ୍କି କୁ ମରାମତି କରିବା ପାଇଁ ଡ଼ାଲଗୁମା ଗ୍ରାମବାସୀ ପ୍ରଶାସନ କୁ ଅନୁରୋଧ କରୁଛନ୍ତି।





