ଓଡ଼ିଆ ବାର୍ତ୍ତା/ ବୁଗୁଡ଼ା (କୁମୁଦ ଚନ୍ଦ୍ର ବେହେରା): ସଂପ୍ରତି ବୁଗୁଡ଼ାରେ ଘରୋଇ ଗ୍ୟାସ ଯୋଗାଣରେ ସାମାନ୍ୟ ସୁଧାର ଆସିଥିବା ବେଳେ ପେଟ୍ରୋଲ ଓ ଡିଜେଲ ସଙ୍କଟ ବଳବତ୍ତର ରହିଛି । ବୁଗୁଡ଼ାରେ ରହିଥିବା ତିନୋଟି ପେଟ୍ରୋଲ ପମ୍ପ ମଧ୍ୟରୁ ଇଣ୍ଡିଆନ୍ ଅଏଲ ପମ୍ପରେ କେବଳ କିଛି ମାତ୍ରାରେ ସ୍ପିଡ୍ ପେଟ୍ରୋଲ ଉପଲବ୍ଧ ରହିଛି ଏବଂ ନାୟରା ପେଟ୍ରୋଲ ପମ୍ପ ପେଟ୍ରୋଲ ଓ ଡିଜେଲ ଅଭାବରୁ ବନ୍ଦ ରହିଥିବା ବେଳେ ଶ୍ରୀଜଗନ୍ନାଥ ପେଟ୍ରୋଲ ପମ୍ପଟି ଖୋଲା ରହିଥିଲେ ହେଁ ସେଠାରେ ବହୁ କଷ୍ଟରେ ଗୋଟିଏ ବାଇକକୁ କେବଳ ଦୁଇଶହ ଟଙ୍କାର ପେଟ୍ରୋଲ ଏବଂ କାରକୁ ପାଞ୍ଚଶହ ଟଙ୍କାର ଡିଜେଲ ମିଳୁଛି । ଫଳରେ ସେହି ପେଟ୍ରୋଲ ପମ୍ପରେ ଗାଡ଼ି ଚାଳକଙ୍କ ନାହିଁ ନଥିବା ଭିଡ଼ ଜମୁଛି ଏବଂ ବହୁ ବିଳମ୍ବରେ ମାତ୍ର ଦୁଇଶହ ଟଙ୍କାର ପେଟ୍ରୋଲ କିମ୍ବା ପାଞ୍ଚଶହ ଟଙ୍କାର ଡିଜେଲ ପକାଇ ଫେରିବାକୁ ପଡ଼ୁଛି । ଅନ୍ୟପକ୍ଷରେ ପମ୍ପରେ ପେଟ୍ରୋଲ ଅଭାବରୁ ବୁଗୁଡ଼ାର ବିଭିନ୍ନ ଦୋକାନରେ ଦିନରେ ପେଟ୍ରୋଲ ଲିଟର ପ୍ରତି ୧୨୦ରୁ ୧୩୦ ଟଙ୍କାରେ ଏବଂ ରାତିରେ ଲୋକଙ୍କ ଅସୁବିଧା ସମୟରେ ୧୫୦ ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିବା ବେଳେ ସମ୍ପ୍ରତି ସେଥୁରୁ କେତେକ ଦୋକାନଗୁଡ଼ିକରେ ଏବେ ବିକ୍ରି ପାଇଁ ପେଟ୍ରୋଲ ନାହିଁ। ପେଟ୍ରୋଲ ସଙ୍କଟ ଯୋଗୁଁ ଲୋକେ ବାହାରକୁ ବୁଲିବାକୁ ଯାଇପାରୁନାହାନ୍ତି। ସେହିପରି ବିଭିନ୍ନ କୋରିୟର ସଂସ୍ଥାର ଡେଲିଭରି ସେବା ମଧ୍ୟ ବାଧାପ୍ରାପ୍ତ ହେଉଛି । ପେଟ୍ରୋଲ ସଙ୍କଟ ଯୋଗୁଁ ସୃଷ୍ଟ ସମସ୍ୟାକୁ ନେଇ ଲୋକେ ଚିନ୍ତିତ ଥିବାବେଳେ ଯଥାଶୀଘ୍ର ପେଟ୍ରୋଲ ପମ୍ପଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେବା ନେଇ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଥିବା ଜଣାଯାଇଛି। ତେବେ ଏହି ପେଟ୍ରୋଲ ଓ ଡିଜେଲ ସମସ୍ୟା ଦୂରୀକରଣ ନିମନ୍ତେ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।





