ଭଗବାନ କେବଳ ମନ୍ଦିରର ମୂର୍ତ୍ତି ନୁହନ୍ତି, ସେ ଆମର ସବୁଠାରୁ ଭଲ ବନ୍ଧୁ

ଆପଣ କେବେ ଶୁଣିଛନ୍ତି କି ଭଗବାନ ମଧ୍ୟ ଚୋରି କରନ୍ତି? ସେ ପୁଣି ନିଜ ପ୍ରିୟ ଭକ୍ତଙ୍କ ସହ ଅଧରାତିରେ! କଳ୍ପନା କରନ୍ତୁ। ଶ୍ରୀମନ୍ଦିରର ଶାନ୍ତ ରାତି, ସମସ୍ତେ ଶୋଇଛନ୍ତି। କିନ୍ତୁ ସେହି ସମୟରେ ପ୍ରଭୁ ଜଗନ୍ନାଥ ଚୁପ୍‌କିନା ବାହାରକୁ ଆସି କହୁଛନ୍ତି— “ଚାଲ ସଖା, ଆଜି କିଛି ମଜା କରିବା।” ଏହା ଏମିତି ଏକ ଅଦ୍ଭୁତ ଲୀଳା, ଯେଉଁଠି ଭଗବାନ ନିଜେ ଜଣେ ଚଗଲା ଚୋର ସାଜି ଭକ୍ତଙ୍କ ସହ ମିଶି ଏମିତି ଦୁଷ୍ଟାମି କରନ୍ତି, ଯାହା ଶୁଣିଲେ ଆପଣ ହସିବେ ଆଉ ଆଶ୍ଚର୍ଯ୍ୟ ମଧ୍ୟ ହେବେ।

ଅନେକ ବର୍ଷ ତଳର କଥା। ପବିତ୍ର ପୁରୀ ଧାମରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶାଳ ମନ୍ଦିର। ସମୁଦ୍ରର ଢେଉ ଗୁଡ଼ିକ ଦିନରାତି ମନ୍ଦିର ପାଖରେ ଗର୍ଜନ କରୁଥାନ୍ତି, ସତେ ଯେମିତି ପ୍ରଭୁଙ୍କୁ ମନୋହର ଗୀତ ଶୁଣାଉଛନ୍ତି। ମନ୍ଦିର ଭିତରେ ତିନି ଭାଇଭଉଣୀ ରହୁଥିଲେ— ବଡ଼ଭାଇ ବଳଭଦ୍ର, ସାନଭଉଣୀ ସୁଭଦ୍ରା ଏବଂ ସମସ୍ତଙ୍କ ପ୍ରିୟ, ଭାରି ଚଗଲା ପ୍ରଭୁ ଜଗନ୍ନାଥ। ଜଗନ୍ନାଥଙ୍କ ଆଖି ବଡ଼ ବଡ଼, ମୁହଁରେ ସବୁବେଳେ ହସ। କିନ୍ତୁ ତାଙ୍କ ମନରେ ଏକ ଅଦ୍ଭୁତ “ସଖା ଭାବ” ଥିଲା। ସେ ନିଜ ଭକ୍ତଙ୍କୁ ଏତେ ଭଲ ପାଉଥିଲେ ଯେ, ବେଳେବେଳେ ମନ୍ଦିରର ଚାରି କାନ୍ଥରୁ ବାହାରକୁ ଆସି ସାଧାରଣ ପିଲାଙ୍କ ପରି ଖେଳକୁଦ କରୁଥିଲେ। ସେହି ସମୟରେ ପୁରୀ ନିକଟସ୍ଥ ରେମୁଣାରେ ମାଧବ ଦାସ ନାମକ ଜଣେ ସାଧୁ ରହୁଥିଲେ। ମାଧବ ଦାସ ବହୁତ ଗରିବ ଥିଲେ, କିନ୍ତୁ ପ୍ରଭୁ ଜଗନ୍ନାଥଙ୍କର ସବୁଠାରୁ ପ୍ରିୟ ବନ୍ଧୁ ଥିଲେ। ସେ ଦିନସାରା ମନ୍ଦିରରେ ପୂଜା କରୁଥିଲେ, ଭଜନ ଗାଉଥିଲେ ଏବଂ ରାତିରେ ନିଜ କୁଡ଼ିଆରେ ବସି ଭଗବାନଙ୍କ ଲୀଳାକୁ ମନେ ପକାଉଥିଲେ। ମାଧବ ଦାସଙ୍କ ବୟସ ୬୦ରୁ ଅଧିକ ଥିଲା, ହେଲେ ମନଟି ପିଲାଟିଏ ପରି ନିଷ୍ପାପ ଥିଲା। ଦିନେ ସନ୍ଧ୍ୟାରେ ମାଧବ ଦାସ ମନ୍ଦିରରୁ ଫେରୁଥିଲେ। ବାଟରେ ସେ ଦେଖିଲେ ରାଜାଙ୍କ ବଗିଚାରେ ଏକ ବଡ଼ ଗଛରେ ସୁନା ପରି ହଳଦିଆ, ରସୁଆଳି ଓ ମିଠା ମିଠା ପଣସ ଝୁଲୁଛି। ତାଙ୍କ ନାକରେ ପଣସର ବାସ୍ନା ପଶିଗଲା ଏବଂ ମନରେ ଇଚ୍ଛା ହେଲା କାଶ୍‌ ଏଇ ପଣସ ମିଳନ୍ତା କି! କିନ୍ତୁ ତୁରନ୍ତ ସେ ନିଜକୁ ଗାଳି ଦେଲେ— “ଆରେ ପାଗଳ, ଏଇଟା ରାଜାଙ୍କ ବଗିଚା, ମୁଁ ସାଧୁ ହୋଇ ଚୋରି କେମିତି କରିବି?”

ରାତିରେ ମାଧବ ଦାସ ଶୋଇଥିଲା ବେଳେ ସ୍ୱପ୍ନରେ ପ୍ରଭୁ ଜଗନ୍ନାଥ ଆସିଲେ। ଜଣେ ଛୋଟ ପିଲା ରୂପରେ, ନୀଳ ରଙ୍ଗର ଶରୀର, ମୁଣ୍ଡରେ ମୟୂର ଚନ୍ଦ୍ରିକା ଆଉ ଆଖିରେ ଦୁଷ୍ଟାମି ଭରା ହସ। “ମାଧବ, ଓ ମାଧବ!” ପ୍ରଭୁ ହସି କହିଲେ। ମାଧବ ଦାସ ଚମକି ପଡ଼ି କହିଲେ— “ପ୍ରଭୁ ଆପଣ?” “ହଁ ମୁଁ! ଶୁଣ, ଆଜି ମନ୍ଦିରରେ ଭାରି ବୋର୍ ଲାଗୁଛି। ଲକ୍ଷ୍ମୀ ଶୋଇ ପଡ଼ିଛନ୍ତି, ବଳଭଦ୍ର ଭାଇ ଘୁଙ୍ଗୁଡ଼ି ମାରୁଛନ୍ତି। ମୁଁ ଭାବୁଛି ଚାଲ୍ ଆଜି ଚୋରି କରିବାକୁ ଯିବା!” ମାଧବ ଦାସ ଆଶ୍ଚର୍ଯ୍ୟ ହୋଇ କହିଲେ— “ପ୍ରଭୁ, ଆପଣ ତ ଜଗତର ନାଥ, ଆପଣଙ୍କର ପୁଣି ଚୋରି କରିବାର କ’ଣ ଦରକାର?” ଜଗନ୍ନାଥ ହସି କହିଲେ— “ଆରେ ସଖା, ଚୋରି କରିବାର ମଜା କିଛି ଅଲଗା। ମନେ ଅଛି ମଥୁରାର ଲୀଳା? ମୁଁ ଯେବେ ଛୋଟ କୃଷ୍ଣ ଥିଲି, ଗୋପାଳଙ୍କ ସହ ମିଶି ସର-ଲହୁଣୀ ଚୋରି କରୁଥିଲି। ଚୋରି କରି ପଣସ ଖାଇବାର ସ୍ୱାଦ ଦୁଇଗୁଣ ହୋଇଯିବ। ଚାଲ୍‌ ନା, ବାସ ଗୋଟିଏ ପଣସ ରାଜାଙ୍କ ବଗିଚାରୁ।” ମାଧବ ଦାସ ଶେଷରେ ରାଜି ହୋଇଗଲେ। ଅଧରାତିରେ ଜଗନ୍ନାଥ ମନ୍ଦିରରୁ ଚୁପଚାପ୍ ବାହାରି ଆସିଲେ। ସେ ନିଜ ରୂପକୁ ଛୋଟ କରି ଜଣେ ୧୦-୧୨ ବର୍ଷର ବାଳକ ପରି ସାଜିଥିଲେ। ରାସ୍ତାରେ ଜଗନ୍ନାଥ ପଚାରିଲେ— “ମାଧବ, ଚୋରି କଲା ବେଳେ କ’ଣ କରିବା ଉଚିତ୍?” ମାଧବ ଦାସ କହିଲେ— “ପ୍ରଭୁ, ଚୁପ୍ ରହିବା କଥା, ଲୁଚି ଲୁଚି ଯିବା କଥା।” “ନା…” ଭଗବାନ ହସି କହିଲେ। “ଚୋରି କଲା ବେଳେ ଗୀତ ଗାଇବା ଉଚିତ୍ ଯେମିତି ମଜା ଆହୁରି ବଢ଼ିବ।” ଦୁହେଁ ବଗିଚାରେ ପହଞ୍ଚିଲେ। ଜଗନ୍ନାଥ ଗଛ ଉପରକୁ ଚଢ଼ିଗଲେ ଏବଂ ମାଧବ ଦାସ ତଳେ ରହିଲେ। ପ୍ରଭୁ ବଡ଼ ବଡ଼ ପଣସ ତୋଳି ତଳକୁ ଫୋପାଡ଼ିଲେ। ଦୁହେଁ ମିଶି ଗଛ ମୂଳେ ବସି ପଣସ କାଟି ଖାଇଲେ। ଜଗନ୍ନାଥ କହିଲେ— “ଦେଖିଲୁ ସଖା, ଚୋରି କରି ଖାଇବାର ସ୍ୱାଦ କେମିତି?” ସକାଳ ହେବା ପୂର୍ବରୁ ଜଗନ୍ନାଥ ମନ୍ଦିରକୁ ପଳାଇଲେ, କିନ୍ତୁ ମାଧବ ଦାସ ଥକି ଯାଇ ସେହି ଗଛ ମୂଳେ ଶୋଇପଡ଼ିଲେ। ସକାଳୁ ବଗିଚାର ମାଳି ଦେଖିଲା ଅନେକ ପଣସ ଚୋରି ହୋଇଛି ଏବଂ ଜଣେ ସାଧୁ ସେଠାରେ ଶୋଇଛନ୍ତି। ସୈନ୍ୟମାନେ ମାଧବ ଦାସଙ୍କୁ ଧରି ରାଜାଙ୍କ ଦରବାରକୁ ନେଇଗଲେ।

ମାଧବ ଦାସ କାନ୍ଦି କାନ୍ଦି କହିଲେ— “ମହାରାଜ, ମୁଁ ଏକା ଚୋରି କରିନି, ମୋ ସହିତ ପ୍ରଭୁ ଜଗନ୍ନାଥ ମଧ୍ୟ ଥିଲେ।” ସମସ୍ତେ ହସିଲେ। କିଏ କ’ଣ ବିଶ୍ୱାସ କରିବ ଯେ ଭଗବାନ ଚୋରି କରିବେ? ରାଜା ତାଙ୍କୁ ଜେଲ୍‌ରେ ପଠାଇ ଦେବାକୁ ଆଦେଶ ଦେଲେ। ସେହି ରାତିରେ ରାଜାଙ୍କୁ ସ୍ୱପ୍ନ ହେଲା। ଜଗନ୍ନାଥ ସ୍ୱପ୍ନରେ ଆସି କହିଲେ— “ରାଜା, ମାଧବ ଦୋଷୀ ନୁହେଁ। ମୁଁ ନିଜେ ତାକୁ ସାଙ୍ଗରେ ନେଇଥିଲି। ମୋର ପଣସ ଖାଇବାକୁ ଇଚ୍ଛା ହେଲା, ତେଣୁ ସଖା ଭାବରେ ତା’ ସହ ଖେଳୁଥିଲି। ତାକୁ ତୁରନ୍ତ ମୁକ୍ତ କର, ନହେଲେ ମୁଁ ତୁମ ମନ୍ଦିରର ପ୍ରସାଦ ପାଇବି ନାହିଁ।” ରାଜା ଚମକି ପଡ଼ିଲେ ଏବଂ ସକାଳୁ ଯାଇ ମାଧବ ଦାସଙ୍କ ପାଦ ଧରି କ୍ଷମା ମାଗିଲେ। ଏହି କାହାଣୀରୁ ଆମକୁ ଶିକ୍ଷା ମିଳେ ଯେ ଭଗବାନ କେବଳ ମନ୍ଦିରର ମୂର୍ତ୍ତି ନୁହନ୍ତି, ସେ ଆମର ସବୁଠାରୁ ଭଲ ବନ୍ଧୁ। ଭକ୍ତିର ଅର୍ଥ ଭୟ କରିବା ନୁହେଁ, ବରଂ ଭଗବାନଙ୍କ ସହ ବନ୍ଧୁତା କରିବା। ସଚ୍ଚା ଭକ୍ତ କେବେ ଏକା ହୁଏ ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.