ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରୟୋଗବାଦୀ କବିତାର ପରୀକ୍ଷା ଓ ନିରିକ୍ଷା ଠାରୁ ଦୂରରେ ଥାଇ କବି ଭାନୁଜୀ ରାଓ ତାଙ୍କର କବିତାରେ ପ୍ରାଞ୍ଜଳ ଭାବଧର୍ମ ଓ ସୁବୋଧ୍ୟ ଭାବସମ୍ଭାର ପ୍ରକାଶ କରିପାରିଅଛନ୍ତି ଓ ଉତ୍ତର ଅଶୀରେ ସେହି ସ୍ୱର ହୋଇଛି ଅଧିକ ସନ୍ନଦ୍ଧ ଓ ସିଦ୍ଧିପ୍ରଦ । ଦୁଃଖ, ଅବଶୋଷ, ହତାଶାର ପରିଧିରେ ଘୂରିଘୂରି ସେ ଜୀବନ ବଞ୍ଚିଛନ୍ତି ଓ ଜୀବନକୁ ଜଣେ ସବୁଜ ରୋମାଣ୍ଟିକ୍ କବି ପରି ଉପଭୋଗ ମଧ୍ୟ କରିଅଛନ୍ତି । କବିତାର ଦୀର୍ଘ ଯାତ୍ରାପଥରେ ବିରାମହୀନ କବି ଭାନୁଜୀ ରାଓ ଯିଏକି ନିଜ ସୁଖ ଦୁଃଖର ଅଜସ୍ର ଅନୁଭବ କଥା କହି କହି ଶେଷରେ ଯେପରି କ୍ଳାନ୍ତ ହୋଇ ପଡିଛନ୍ତି ଏବଂ ଅନୁଭୂତିର ବିଭିନ୍ନ ଦିଗକୁ ପୁନରାବୃତ୍ତି କରିଛନ୍ତି, ଯାହାଙ୍କର କାବ୍ୟ ଭାବନାରେ ରୋମାଣ୍ଟିକ୍ ଓ ବାସ୍ତବବାଦିତାର ଅପୂର୍ବ ଦ୍ୱନ୍ଦ୍ୱ ଓ ସଂକଟ ପ୍ରକଟିତ ହୋଇପାରିଥିଲା ଏହିପରି ଜଣେ ଅନନ୍ୟ କବିଙ୍କର ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ରବିବାର ପୂର୍ବାହ୍ଣ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷ ଠାରେ ସାହିତ୍ୟ ଅକାଦେମି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମିଳିତ ସହଯୋଗରେ ଆୟୋଜିତ ସାରସ୍ୱତ ସଭାରେ ମାନ୍ୟଗଣ୍ୟ ଅତିଥି ଓ ବକ୍ତାଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା । କବି ଭାନୁଜୀ ରାଓଙ୍କ ଜନ୍ମଶତବାର୍ଷିକୀ ପାଳନ ଅବସରରେ ଓଡ଼ିଆ ଭାଷା ସାହିତ୍ୟର ଜଣେ ଅନନ୍ୟ ସ୍ରଷ୍ଟା ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଶିଷ୍ଟ ସାହିତ୍ୟିକା ତଥା କବିଙ୍କ ପରିବାର ପକ୍ଷରୁ ସମ୍ମାନନୀୟ ଅତିଥି ଭାବେ ଶ୍ରୀମତୀ ସୁସ୍ମିତା ରଥ ଯୋଗଦାନ କରି କବିଙ୍କ ସହିତ ବିତାଇଥିବା ବ୍ୟକ୍ତିତ୍ୱ ଜୀବନର ବିଭିନ୍ନ ଘଟଣାବଳୀ ସଂପର୍କରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା କବି ପ୍ରଫେସର ଆଦିକନ୍ଦ ସାହୁ ଉଦ୍ଘାଟକ ଭାବେ ଯୋଗଦାନ କରି କବିଙ୍କର କବିତାଗୁଡ଼ିକ ତାଙ୍କ ବ୍ୟକ୍ତିକ ପ୍ରେମ, ବିଫଳତା, କାରୁଣ୍ୟ ଓ ନିଃସଙ୍ଗତାର ସ୍ୱର କିପରି ବହନ କରିପାରିଥିଲା ଏବଂ ଜଣେ ପ୍ରେମ କବିତାରେ ଦେହଧର୍ମିତାର ସ୍ୱର ଏକାନ୍ତ ଉକ୍ରଟ ଭାବେ ପରିପ୍ରକାଶ ପାଇପାରିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିଶିଷ୍ଟ କବି ତଥା ସମାଲୋଚକ ଡକ୍ଟର ଶତ୍ରୁଘ୍ନ ପାଣ୍ଡବ ମୁଖ୍ୟବକ୍ତା ଭାବେ ଯୋଗଦାନ କରି କବିଙ୍କ ରଚିତ ଚନ୍ଦନ ବନରେ ଏକା, ଦର୍ପଣ ଆଗରେ, ଏକା ଏବଂ ଏକାଏକା, ହଳଦୀ ପତ୍ରର ବାସ୍ନା ଇତ୍ୟାଦି ପୁସ୍ତକ ଉପରେ କବିଙ୍କ କାବି୍ୟକ ସୃଷ୍ଟି କିପରି ରହିଥିଲା ଏ ସଂପର୍କରେ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିଥିଲେ । ବିଶିଷ୍ଟ କଥାକାର ଓ ସୁସାହିତି୍ୟକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମ୍ମାନସ୍ପଦ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀଯୁକ୍ତ ଦେବପ୍ରସାଦ ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରି କବିଙ୍କ ରଚିତ ଜହ୍ନର ରକ୍ତ ଧଳା, ଶବ୍ଦ ସଙ୍ଗେ ଶୃଙ୍ଗାର, ଅନ୍ତର୍ଗତ ସୁଖ ଦୁଃଖ, ସ୍ୱପ୍ନର ପ୍ରଚ୍ଛଦ ଓ ରକ୍ତ ମାଂସର କବିତା ଆଦି କବିଙ୍କର ଅନବଦ୍ୟ ସୃଷ୍ଟି ଉପରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଜନ୍ମଶତବାର୍ଷିକୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା ବରିଷ୍ଠ ସାହିତି୍ୟକ ତଥା ଭାଷାବିତ୍ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ନିଜର ସଭାପତିତ୍ୱ ଅଭିଭାଷଣରେ ପୂର୍ବରୁ ଆଲୋଚନା କରିଥିବା ମାନ୍ୟଗଣ୍ୟ ଅତିଥି ଓ ବକ୍ତାଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ କବି ଭାନୁଜୀ ରାଓଙ୍କର ବାସ୍ତବବାଦୀ ଭାବନା ତାଙ୍କ କବିତାରେ କିପରି ପ୍ରସ୍ଫୁଟିତ ହୋଇପାରିଥିଲା ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସହାୟକ ସମ୍ପାଦକ, ସାହିତ୍ୟ ଅକାଦେମି, ଆଞ୍ଚଳିକ କାର୍ଯ୍ୟାଳୟ କୋଲକତା ପକ୍ଷରୁ ଶ୍ରୀଯୁକ୍ତ କ୍ଷେତ୍ରବାସୀ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କବିଙ୍କର ବହୁମୁଖୀ ପ୍ରତିଭା ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଜନ୍ମଶତବାର୍ଷିକୀ କାର୍ଯ୍ୟକ୍ରମର ବିଭିନ୍ନ ଆଭିମୁଖ୍ୟ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିବା ସହ ଭାନୁଜୀ ରାଓଙ୍କର କୃତି ଓ କୃତିତ୍ୱ ଉପରେ ଆଲୋଚନା କରିଥିଲେ । ପ୍ରଥମ ଅଧିବେଶନରେ ଓଡ଼ିଆ ଉପଦେଷ୍ଟା ପରିଷଦ, ସାହିତ୍ୟ ଅକାଦେମିର ଆବାହକ ତଥା ବିଶିଷ୍ଟ କବି ଶ୍ରୀଯୁକ୍ତ ଅମରେଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସାରସ୍ୱତ ସଭାରେ ଡକ୍ଟର ନୃସିଂହ ଚରଣ ଷଡ଼ଙ୍ଗୀ ଏବଂ ଶ୍ରୀଯୁକ୍ତ ପ୍ରଦୀପ ବିଶ୍ୱାଳ ଯୋଗଦାନ କରି କବି ଭାନୁଜୀ ରାଓଙ୍କ ଜୀବନାଦର୍ଶ, ସାରସ୍ୱତ କୃତି ଓ କୃତିତ୍ୱ ଉପରେ ପ୍ରବନ୍ଧପାଠ କରିଥିଲେ । ଦ୍ୱିତୀୟ ଅଧିବେଶରେ ବିଶିଷ୍ଟ ସାହିତି୍ୟକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସାରସ୍ୱତ ସଭାରେ ଡକ୍ଟର ଦିଲୀପ କୁମାର ସ୍ୱାଇଁ ଏବଂ ଶ୍ରୀମତୀ ମୋନାଲିସା ମିଶ୍ର ଯୋଗଦାନ କରି ଭାନୁଜୀ ରାଓଙ୍କ ବିଭିନ୍ନ କାବ୍ୟ ସୃଷ୍ଟିକୁ ନେଇ ପ୍ରବନ୍ଧ ଉପସ୍ଥାପନ କରିଥିଲେ । ଏକାଡେମୀର ସହ-ସଚିବ ଶ୍ରୀଯୁକ୍ତ ସଞ୍ଜୟ କୁମାର ଛୁଆଳସିଂହ ସମସ୍ତ ଅଧିବେଶନରେ ଧନ୍ୟବାଦ ଅର୍ପଣ କରିଥିଲେ । ଅପରାହ୍ଣର ଶେଷ ଅଧିବେଶନରେ ସାହିତ୍ୟ ଓ ନୃତ୍ୟର ବିଭିନ୍ନ ପରିପାଟୀକୁ ନେଇ ଏକ ଅଭିନବ କାର୍ଯ୍ୟକ୍ରମ “ଆବିଷ୍କାର’ ଆୟୋଜନ କରାଯାଇଥିଲା । ଏଥିରେ “ଓଡ଼ିଆ କବିତାରେ ନବରସ’ ଉପରେ ରହିଥିବା ରସର ବିଭିନ୍ନ ପର୍ଯ୍ୟାୟର ଶୈଳୀକୁ ନେଇ ମଞ୍ଜୁଶ୍ରୀ ପଣ୍ଡାଙ୍କ ପରିଚାଳନାରେ ନୃତ୍ୟଶିଳ୍ପୀମାନେ ଯୋଗଦାନ କରି ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଜ୍ଞାନୀ, ଗୁଣୀ, ସଜ୍ଜନମଣ୍ଡଳୀ, କବି ଭାନୁଜୀ ପ୍ରେମୀ ଅନୁଗ୍ରାହୀ, ସାରସ୍ୱତ ପ୍ରେମୀ ଓ ସାମ୍ବାଦିକ ବନ୍ଧୁ ଇତ୍ୟାଦି ଯୋଗଦାନ କରି ଏହାକୁ ସଫଳ କରିଥିଲେ ।





