ନର୍ଲାରୋଡ ପ୍ଲାଟଫର୍ମରେ ନାହିଁ ପାନୀୟ ଜଳର ସୁବିଧା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ରେଳ ଷ୍ଟେସନ ନବୀକରଣ ହୋଇ ୯ ବର୍ଷ ବିତି ଯାଇଥିବା ବେଳେ ଆଶାନୁରୁପକ ପ୍ଲାଟଫର୍ମର ବିକାଶ ହୋଇନାହିଁ। ନିକଟସ୍ଥ ସମସାମୟିକ ରେଳ ଷ୍ଟେସନ ରୁପ୍ରାରୋଡରେ କୋଚ ଡିସପ୍ଲେ ବୋର୍ଡ ଲାଗି ସାରିଥିବା ବେଳେ ନର୍ଲାରୋଡ ରେଳ ଷ୍ଟେସନରେ ତାହା ମଧ୍ୟ ଅଧ୍ୟାବଧି ହୋଇ ପାରିନି। ବିଶେଷ ଭାବରେ ଯାତ୍ରୀଙ୍କ ପାଇଁ ମୌଳିକ ସୁବିଧା ପାନୀୟ ଜଳର ସୁ ବ୍ୟବସ୍ଥା ନାହିଁ। ଷ୍ଟେସନ ଉନ୍ନତିକରଣ ହେବା ଆଗରୁ ପ୍ଲାଟଫର୍ମ ଗୁଡିକରେ ପୁରାତନ ଢାଞ୍ଚାର ସିମେଣ୍ଟ ଟେପ ପୋଷ୍ଟ ଗୁଡିକ ରହିଥିଲା।ଷ୍ଟେସନ ନବୀକରଣ ପରେ ଚକଚକିଆ ଷ୍ଟିଲର ଚାରି ମୁଖ ରହିତ ଟେପ ପୋଷ୍ଟ ଗୁଡିକ ସ୍ଥାପିତ କରାଯାଇଛି। ହେଲେ ସ୍ଥାପନାର କେଇଦିନ ପରେ ଷ୍ଟିଲ ପୋଷ୍ଟ ଗୁଡିକରେ ଲାଗିଥିବା ଟେପ ଗୁଡିକ ଭାଙ୍ଗି ସାରିଥିବା ବେଳେ ଷ୍ଟିଲ ପୋଷ୍ଟ ଷ୍ଟାଣ୍ଡ ଗୁଡିକ ମଧ୍ୟ ଢଳି ପଡିଥିବା ଦେଖିବାକୁ ମିଳୁଛି। ଚାରିଗୋଟି ପ୍ଲାଟଫର୍ମରେ ଲାଗିଥିବା ୧୦ ଗୋଟି ଷ୍ଟିଲ ଷ୍ଟାଣ୍ଡ ଅଚଳ ହୋଇ ପଡିଛି। ଦୀର୍ଘ ଦିନରୁ ଏସବୁର ଏଭଳି ଦୁରାବସ୍ଥା ହୋଇ ସାରିଥିବା ବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କ ନଜର ନାହିଁ। ପ୍ରଥମ ପ୍ଲାଟଫର୍ମରେ ନର୍ଲାରୋଡ ମାରୱାଡି ଯୁବା ମଞ୍ଚ ତରଫରୁ ଫ୍ରିଜର ଯୁକ୍ତ ଥଣ୍ଡା ପାନୀୟ ଜଳ ଓ ଦ୍ୱିତୀୟ ପ୍ଲାଟଫର୍ମରେ ନର୍ଲାରୋଡର ବିଶିଷ୍ଟ ବ୍ୟବସାୟୀ ଅଶୋକ ଅଗ୍ରୱାଲ ତାଙ୍କ ସ୍ୱର୍ଗତ ମା’ଙ୍କ ଉଦ୍ଦେଶ୍ୟରେ ଫ୍ରିଜର ଯୁକ୍ତ ଥଣ୍ଡା ପାନୀୟ ଜଳର ଅମୃତ ଧାରା ଲଗେଇଛନ୍ତି। ଦ୍ୱିତୀୟ ପ୍ଲାଟଫର୍ମର ଅମୃତ ଧାରା ଚାରିବର୍ଷ ଆଗରୁ ପ୍ରଥମେ ଖରାପ ହୋଇଯାଇଥିବା ବେଳେ ମାରୱାଡି ଯୁବା ମଞ୍ଚ ତରଫରୁ ପ୍ରଦତ୍ତ ପାନୀୟ ଜଳ ପ୍ରକଳ୍ପ କେତେବେଳେ ଚାଲୁଛି ତ କେତେବେଳେ ନାହିଁ। ତାର ଠିକ ଠିକଣା ନାହିଁ। ନର୍ଲାରୋଡ ଚାରିଗୋଟି ପ୍ଲାଟଫର୍ମରେ ପାନୀୟ ଜଳ ଯୋଗାଣ ପାଇଁ ଲାଗିଥିବା ପୋଷ୍ଟ ସବୁ ଦୀର୍ଘ ବର୍ଷରୁ ମୃତ ପ୍ରାୟ। ଅନେକ ସମୟରେ ଷ୍ଟେସନକୁ ଆସୁଥିବା ଯାତ୍ରୀମାନେ ପାନୀୟ ଜଳ ମୁନ୍ଦିକ ପାଇଁ ହନ୍ତସନ୍ତ ହେଉଥିବା ବେଳେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନେ ଖାଲି ବୋତଳ ଧରି ପାଣି ପାଇଁ ପ୍ଲାଟଫର୍ମରେ ଧାଁ ଧୌଡ କରିବା ପରେ ଟ୍ରେନ ଛାଡିଲେ ନିରାଶ ହୋଇ ଫେରି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏଣୁ ସମସ୍ତ ଯାତ୍ରୀ ମାନଙ୍କ ସୁବିଧା ଦୃଷ୍ଟିରୁ ପ୍ଲାଟଫର୍ମରେ ଲାଗିଥିବା ସମସ୍ତ ପାନୀୟ ଜଳ ପୋଷ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରିବା ସହିତ ଫ୍ରିଜର ଯୁକ୍ତ ଦୁଇଗୋଟି ଅମୃତ ଧାରାକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.