ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ରାୟଗଡ ବ୍ଲକର ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଉପର ଗାଲଗଣ୍ଡା ଓ ଗୁରା ସାହି ଗ୍ରାମରେ ଲିନ୍ସି ଫାଉଣ୍ଡେସନ ଏବଂ ସହଯୋଗୀ ସଂସ୍ଥା ସିସିଡି , ଗଜପତି , ସହଯୋଗରେ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ ସହିତ ୧୧ ଟି ବାସଗୃହ ଘରର ଉଦଘାଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ ବିଡିଓ: ଶ୍ରୀ ସନ୍ତୋଷ କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀମତୀ ରିସ୍ପା ଭୂୟାଁ, ଜିରାଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରିସ୍ପା ଭୂୟାଁ , ସିସିଡି ସଂସ୍ଥା ମୁଖ୍ୟ ତଥା ସେକ୍ରେଟାରୀ-ଶ୍ରୀ ଏ: ଜଗନ୍ନାଥ ରାଜୁ , ଜେଏସଏସ: ର ନିର୍ଦ୍ଦେଶକ ଶ୍ରୀ ଜୀବନ ଦାସ ଙ୍କ ସମେତ ଜିରାଙ୍ଗ ପଞ୍ଚାୟତର ପିଇଓ:, ଭିଡିସି: ସଦସ୍ୟ , ସମାଜର ବରିଷ୍ଠ ବ୍ୟକ୍ତିବର୍ଗ , ମହିଳା ଗୋଷ୍ଠୀ , ଯୁବ ସଦସ୍ୟ ଓ ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ନବନିର୍ମିତ ସୁରକ୍ଷିତ ଓ ସ୍ୱଚ୍ଛ ପାନୀୟ ଜଳ ପ୍ରକଳ୍ପ’ଟି ସୋଲାର ସହାୟତା-ପ୍ରାପ୍ତ ବୋରୱେଲ ମାଧ୍ୟମରେ ଗ୍ରାମବାସୀ’ଙ୍କୁ ନିୟମିତ ଭାବେ ସ୍ୱଚ୍ଛ ଓ ସୁରକ୍ଷିତ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି। ଏହା ଦ୍ୱାରା ଗ୍ରାମର ସ୍ୱାସ୍ଥ୍ୟ , ପରିଷ୍କାର- ପରିଚ୍ଛନ୍ନତା ଓ ଜୀବନ ମାନରେ ଉନ୍ନତି ଆସି ପାରିବ ବୋଲି ଆଶା କରାଯାଇଛି। ଏହି ପ୍ରକଳ୍ପ ଯୋଗୁଁ ମୋଟ ୪୧ ଟି ପରିବାର ସିଧାସଳଖ ଭାବେ ଉପକୃତ ହୋଇଛନ୍ତି। ଗ୍ରାମବାସୀ ମାନେ ଏହି ପ୍ରକଳ୍ପ ପ୍ରତି ଖୁସି ବ୍ୟକ୍ତ କରି କହିଥିଲେ ଯେ, ଏହା ମହିଳା ଓ ଶିଶୁ ମାନଙ୍କ ଦୂର ଦୂରାନ୍ତରୁ ପାଣି ଆଣିବାର କଷ୍ଟକୁ ନିଶ୍ଚିତ ଭାବେ ହ୍ରାସ କରିବ। ଏହି କାର୍ଯ୍ୟକ୍ରମ ଅବସରରେ ଲିନ୍ସି ଫାଉଣ୍ଡେସନର ସହଯୋଗରେ ନିର୍ମିତ ୧୧ ଟି ଘର’ର ମଧ୍ୟ ଉଦଘାଟନ କରା ଯାଇଥିଲା। ପ୍ରତ୍ୟେକ ପରିବାର’କୁ ସୁରକ୍ଷିତ ଓ ସ୍ଥାୟୀ ଜୀବନ ଯାପନ ପାଇଁ ଏକ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରା ଯାଇଥିଲା। ଏହି ସହାୟତାରେ ଲାଭାନ୍ବିତ ପରିବାର ମାନେ ଶୌଚାଳୟ , ରନ୍ଧନ ଓ ଘର ନିର୍ମାଣ ସହ ଘରର ଆବଶ୍ୟକ ମରାମତି କାମ କରି ସ୍ୱଚ୍ଛତା , ସୁରକ୍ଷା ଓ ମର୍ଯ୍ୟାଦା ପୂର୍ଣ୍ଣ ଜୀବନ ବ୍ୟବସ୍ଥା ସୁନିଶ୍ଚିତ କରି ପାରିଛନ୍ତି। ମୁଖ୍ୟ ଅତିଥି ବିଡିଓ: ଶ୍ରୀ ସନ୍ତୋଷ କୁମାର ବାରିକ , ସିସିଡି ସଂଗଠନ’ର ସମାଜ ଉନ୍ନୟନ ଓ ଜନକଲ୍ୟାଣ ମୂଳକ ଏଭଳି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ସେ ସୁରକ୍ଷିତ ପାନୀୟ ଜଳ, ପରିଷ୍କାର-ପରିଚ୍ଛନ୍ନତା ଓ ସ୍ଥାୟୀ ଘର ଗ୍ରାମୀଣ ଉନ୍ନତି ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ସରପଞ୍ଚ ଶ୍ରୀମତୀ ରିସ୍ପା ଭୂୟାଁ , ସିସିଡି ସଂଗଠନ’ର ଏଭଳି ଗୁଣାତ୍ମକ କାର୍ଯ୍ୟକ୍ରମକୁ ଭୁରିଭୁରି ପ୍ରଶଂସା କରିଥିଲେ ଏବଂ ଅସହାୟ ପରିବାର ମାନଙ୍କ ଜୀବନ-ମାନର ଉନ୍ନତି ପାଇଁ ଲିନ୍ସି ଫାଉଣ୍ଡେସନର ସହଯୋଗ’କୁ ଧନ୍ୟବାଦ ଜଣାଇଥିଲେ। ସିସିଡି ପକ୍ଷରୁ କୁହା ଯାଇଥିଲା ଯେ , ସଂସ୍ଥା ଆଗାମୀ ଦିନରେ ମଧ୍ୟ ସମୁଦାୟ , ପଞ୍ଚାୟତିରାଜ ସଂସ୍ଥା ଓ ବିକାଶ ସହଯୋଗୀ ମାନଙ୍କ ସହ ମିଳିତ ଭାବେ ଗ୍ରାମୀଣ ଜୀବିକା , ସ୍ୱାସ୍ଥ୍ୟ , ପରିଷ୍କାର ପରିଚ୍ଛନ୍ନତା , ଶିଶୁ ସୁରକ୍ଷା ଓ ଶିଶୁବନ୍ଧବ ଗ୍ରାମ ଗଠନ ଦିଗରେ କାର୍ଯ୍ୟକ୍ରମ ଗୁଡ଼ିକ ନିଶ୍ଚିତ ଭାବେ ଜାରି ରଖିବ। ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।





