ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ସ୍ଥାନୀୟ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହଠାରେ ୨୦୨୫-୨୬ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଜିଲ୍ଲାସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ସମଗ୍ର ଶିକ୍ଷା ଓ ସାଇଟସେଭର୍ସ ଇଣ୍ଡିଆ ସହଯୋଗରେ ଅନ୍ତର୍ନିବେଶୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ସହିତ ଦୃଷ୍ଟିବାଧିତ ପିଲାମାନଙ୍କ ଶୈକ୍ଷିକ ସଫଳତାକୁ ସମ୍ମାନିତ କରିବା ପାଇଁ ଏହା ଆୟୋଜିତ ହୋଇଥିଲା।
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୨୪ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ସାମାଜିକ ଓ ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ଛାତ୍ରଛାତ୍ରୀମାନଙ୍କ ସାହସ, ନିଷ୍ଠା ଓ ଅଧ୍ୟବସାୟକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ତପିମଣି ଜାନି ଓ ଶୁଭଲକ୍ଷ୍ମୀ ନାୟକ, ବିଭିନ୍ନ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀମାନେ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମଗ୍ର ଶିକ୍ଷାର ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା। ଦୃଷ୍ଟିବାଧିତ ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସାଗରିକା ମେହେର ୨୦୨୫-୨୬ ମାଟ୍ରିକ ପରୀକ୍ଷାରେ ୮୦% ନମ୍ବର ହାସଲ କରି ବିଶେଷ ପ୍ରଶଂସା ଅର୍ଜନ କରିଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ତାଙ୍କୁ ସ୍ମାରକୀ, ପାଠ୍ୟ ଟେବୁଲ ଏବଂ ବ୍ୟାଗ ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସମାରୋହ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରଙ୍କ ପାଇଁ ଏକ ପ୍ରେରଣାଦାୟକ ଓ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା। ଅଭିଭାବକମାନେ ଏପରି ଉତ୍ସାହଦାୟକ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ, ସମଗ୍ର ଶିକ୍ଷା ଓ ସାଇଟସେଭର୍ସ ଇଣ୍ଡିଆ ପ୍ରତି କୃତଜ୍ଞତା ଜଣାଇଥିଲେ। ।





