ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ୨୦୨୫-୨୬ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସମଗ୍ର ଶିକ୍ଷା ଓ ସାଇଟସେଭର୍ସ ଇଣ୍ଡିଆ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୨୪ ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ସାମାଜିକ ଓ ଶାରୀରିକ ପ୍ରତିବନ୍ଧକ ସତ୍ତ୍ୱେ ଛାତ୍ରଛାତ୍ରୀମାନଙ୍କ ସାହସ, ନିଷ୍ଠା ଓ ଅଧ୍ୟବସାୟକୁ ସେ ଉଚ୍ଚ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ ଓ ଶୁଭଲକ୍ଷ୍ମୀ ନାୟକ, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା, ବ୍ଳକ୍ ଶିକ୍ଷା ଅଧିକାରୀମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଦୃଷ୍ଟିବାଧିତ ସଫଳ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସୁଶ୍ରୀ ସାଗରିକା ମେହେର ୮୦% ନମ୍ବର ହାସଲ କରି ବିଶେଷ ପ୍ରଶଂସା ଅର୍ଜନ କରିଥିଲେ। ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ସ୍ମୃତିଚିହ୍ନ, ପଢ଼ାଟେବୁଲ ଓ ବ୍ୟାଗ ପ୍ରଦାନ କରିଥିଲେ। ଅଭିଭାବକମାନେ ଏପରି ଉତ୍ସାହପ୍ରଦ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ପ୍ରଶାସନ, ସମଗ୍ର ଶିକ୍ଷା ଓ ସାଇଟସେଭର୍ସ ଇଣ୍ଡିଆ ପ୍ରତି କୃତଜ୍ଞତା ଜଣାଇଥିଲେ।





