• ବାଲେଶ୍ୱରରୁ ନିମନ୍ତ୍ରିତ ହେଲେ କେଶୁ ଦାସ ଓ କନକଲତା ଦାସ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ପାରମ୍ପରିକ ଲୋକକଳା ଜଉକଣ୍ଢେଇ ଓ ଜଉଚିତ୍ରର ଖ୍ୟାତି ଏବେ ରାଜ୍ୟ ଗଣ୍ଡି ଡେଇଁ ଦେଶର ଅନ୍ୟ ରାଜ୍ୟରେ ବଢ଼ିବାରେ ଲାଗିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ଆଦୃତ ହେଉଥିବା ଏହି କଳା ଏବେ ପଞ୍ଜାବରେ ପ୍ରଦର୍ଶିତ ହେବ।ପଞ୍ଜାବର ଚିତ୍କାରା ବିଶ୍ୱବିଦ୍ୟାଳୟର ଫାଇନ ଆର୍ଟ ବିଭାଗ ପକ୍ଷରୁ ଆସନ୍ତା ଜୁନ ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଜଉକଣ୍ଢେଇ ଓ ଜଉଚିତ୍ର ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଉଛି। ଏଥିପାଇଁ ବାଲେଶ୍ୱରର ପ୍ରଖ୍ୟାତ ଶିଳ୍ପୀ ଦମ୍ପତି କେଶୁ ଦାସ ଓ କନକଲତା ଦାସଙ୍କୁ ନିମନ୍ତ୍ରଣ କରାଯାଇଛି। ଜଉଚିତ୍ର ପାଇଁ କେଶୁ ଦାସ ଏବଂ ଜଉକଣ୍ଢେଇ ପାଇଁ କନକଲତା ଦାସ ସେଠାରେ ପ୍ରଶିକ୍ଷଣ ପ୍ରଦାନ କରିବେ। ଚିତ୍କାରା ବିଶ୍ୱବିଦ୍ୟାଳୟର ଫାଇନ ଆର୍ଟ ବିଭାଗର ଡିନ୍ ଡକ୍ଟର ରଞ୍ଜନ କୁମାର ମଲ୍ଲିକ ଆମନ୍ତ୍ରଣ ପତ୍ର ସହ ଫ୍ଲାଇଟ ଟିକେଟ ପଠାଇଥିବା କଥା ଶିଳ୍ପୀ କେଶୁ ଦାସ ପ୍ରକାଶ କରିଛନ୍ତି। ବାଲେଶ୍ଵରୀ ଜଉକଣ୍ଢେଇର କଳା, ସଂସ୍କୃତି, ପ୍ରଥା, ପରମ୍ପରା ଓ କାରିଗରୀ କୌଶଳକୁ ବିଶ୍ୱଦରବାରରେ ପହଞ୍ଚାଇବା ପାଇଁ ଶିଳ୍ପୀ ଦମ୍ପତି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।ଅନ୍ୟପକ୍ଷରେ ଚଳିତ ବର୍ଷ ଦୁର୍ଗୋତ୍ସବ ୨୦୨୬ ଅବସରରେ କଲିକତାର ବିଦିଶା ଶକ୍ତି ସଂଘ ପକ୍ଷରୁ ବାଲେଶ୍ଵରୀ ଜଉକଣ୍ଢେଇ ଓ ଜଉକଣ୍ଢେଇ ବାହାଘର ସଂସ୍କୃତିକୁ ପ୍ରଦର୍ଶନ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି ବୋଲି କେଶୁ ଦାସ ସୂଚନା ଦେଇଛନ୍ତି।





