ଟ୍ରେନରୁ ଖସି ଏସବିଆଇ କର୍ମଚାରୀଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଅମ୍ବାଦଳା ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ଗୋଡ଼ ଖସିଯିବାରୁ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ଲାଞ୍ଜିଗଡ଼ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର କର୍ମଚାରୀ ଦିଲୀପ କୁମାର ସାବତ। ଦିଲୀପ ଭୁବନେଶ୍ୱର-ଜୁନାଗଡ଼ ଏକ୍ସପ୍ରେସ୍‌ ଯୋଗେ ଆମ୍ବଦଳା ଯାତ୍ରା କରୁଥିଲେ। ସକାଳୁ ଅମ୍ବାଦଳା ରେଳ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ବେଳେ ଦିଲୀପ ସୋଇ ପଡ଼ିଥିଲେ। ହଠାତ ନିଦ ଭାଙ୍ଗିଲା ବେଳକୁ ଟ୍ରେନ ଟି ଛାଡିଦେଇଥିଲା କିନ୍ତୁ ଦିଲୀପ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଚଳନ୍ତା ଟ୍ରେନରୁ ଓହ୍ଲାଉଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା ଏବଂ ସେ ଗୁରୁତର ଭାବେ ଆହତ ହୋଇଥିଲେ। ରେଳବାଇ ସୁରକ୍ଷା ବଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଅମ୍ବାଦଳା ମେଡିକାଲରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଭବାନୀପାଟଣା ମେଡିକାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ତେବେ ଦୁର୍ଭାଗ୍ୟବଶତଃ ଭବାନୀପାଟଣା ନିଆଯାଉ ଥିବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.