କେରଳରେ ବାସନ ମାଜୁଛନ୍ତି +୨ ବ୍ଲକ ଟପର

ଦାରିଦ୍ର୍ୟ ପାଇଁ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷାରେ ଅନିଶ୍ଚିତତା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଯୁକ୍ତଦୁଇ କଳା ପରୀକ୍ଷାରେ ମୁନିଗୁଡା ବ୍ଲକ ଟପର ହୋଇଥିବା ଜଣେ ମେଧାବୀ ଛାତ୍ର ଏବେ ପେଟ ପୋଷିବା ପାଇଁ କେରଳର ଏକ ହୋଟେଲରେ ବାସନ ମାଜୁଥିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଦାରିଦ୍ର୍ୟର କଠୋର ସତ୍ୟ ଆଗରେ ହାର ମାନି ନିଜ ଉଚ୍ଚଶିକ୍ଷାର ସ୍ୱପ୍ନକୁ ପଛକୁ ଠେଲି ଦେଇଛନ୍ତି ଏହି ମେଧାବୀ ଛାତ୍ର। ମୁନିଗୁଡା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଢେପାଗୁଡ଼ି ଗାଁର ଦେବେନ୍ଦ୍ର କୁସୁଲିଆ ଗୋବର୍ଦ୍ଧନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳା ବିଭାଗର ଛାତ୍ର। ନିକଟରେ ପ୍ରକାଶିତ ଯୁକ୍ତଦୁଇ ପରୀକ୍ଷା ଫଳରେ ସେ ୮୬ ପ୍ରତିଶତ ମାର୍କ ରଖି ସମଗ୍ର ବ୍ଲକରେ ଟପର ହୋଇଛନ୍ତି। ମାଟ୍ରିକ ପରୀକ୍ଷାରେ ମଧ୍ୟ ସେ ୪୪୪ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ପରିବାରର ଆର୍ଥିକ ଅନଟନ ତାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟରେ ଠେଲି ଦେଇଛି। ଦେବେନ୍ଦ୍ରଙ୍କ ବାପା ଭୁଜ କୁସୁଲିଆ ଜଣେ ଦିନମଜୁରିଆ ହୋଇଥିବା ବେଳେ ମା’ ଗୃହିଣୀ। ପରିବାରର ଅଭାବ ଅନଟନ ଯୋଗୁଁ ଯୁକ୍ତଦୁଇ ପରୀକ୍ଷା ଶେଷ ହେବା ପରେ ଦେବେନ୍ଦ୍ର କେରଳର ଏର୍ଣ୍ଣାକୁଳମ ଜିଲ୍ଲା କାରିମଙ୍ଗଳା ଅଞ୍ଚଳର ଏକ ହୋଟେଲକୁ କାମ କରିବାକୁ ଚାଲିଯାଇଥିଲେ। ସେଠାରେ ସେ ଦିନକୁ ପ୍ରାୟ ୧୨ ଘଣ୍ଟା କାମ କରୁଛନ୍ତି। ବାସନ ମାଜିବା ସହ ଗ୍ରାହକଙ୍କୁ ଚା’ ଓ ଖାଦ୍ୟ ପରଷୁଛନ୍ତି। ଦେବେନ୍ଦ୍ରଙ୍କ ବଡ଼ ଭାଇ ମଧ୍ୟ ପାଠପଢ଼ା ଛାଡ଼ି ଦାଦନ ଶ୍ରମିକ ଭାବେ କାମ କରିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଏବେ ସାନଭାଇ ମଧ୍ୟ ସେହି ବାଟ ଧରିଛନ୍ତି। ଘରର ଆର୍ଥିକ ସ୍ଥିତି ସୁଧାରିବା ଓ ପରିବାରକୁ ସହଯୋଗ କରିବା ପାଇଁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଜଣେ ମେଧାବୀ ଛାତ୍ର ଆର୍ଥିକ ଅଭାବରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଦେବେନ୍ଦ୍ରଙ୍କୁ କେରଳରୁ ଫେରାଇ ଆଣି ସରକାରଙ୍କ ପକ୍ଷରୁ ତାଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବାକୁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.