ଚନ୍ଦାହାଣ୍ଡିରେ ଯାଦବଙ୍କ ପ୍ରତି ଘଟିଥିବା ଅମାନୁଷିକ ଘଟଣା ପ୍ରସଙ୍ଗ: ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ଉତ୍କଳ ଯାଦବ ମହାସଭା କାର୍ଯ୍ୟକର୍ତ୍ତା, ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି 

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଓଡ଼ିଶା ଯାଦବଙ୍କ ସର୍ବପୁରାତନ ସଂଗଠନ ‘ଉତ୍କଳ ଯାଦବ ମହାସଭା’ ତରଫରୁ ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ଇଂ. ପ୍ରଦୀପ ବେହେରାଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକଠାରେ ଯାଦବଙ୍କ ପ୍ରତି ଘଟିଥିବା ଅମାନୁଷିକ ଘଟଣାକୁ ବିରୋଧ କରି ମଙ୍ଗଳବାର ଦିନ ଉତ୍କଳ ଯାଦବ ମହାସଭାର ରାଜ୍ୟ ସାଧାରଣ ସମ୍ପାଦକ ଗୋବିନ୍ଦ ବନଛୋର, ଅମିତ ନାୟକ, ରାଜ୍ୟ ମହିଳା ସେଲ ସଭାନେତ୍ରୀ ସଂଯୁକ୍ତା ବେହେରା, ରାଜ୍ୟ ସୋସିଆଲ ମିଡ଼ିଆ ସେଲ ସଂଯୋଜକ ସୁରଥ ହେର୍ଣ୍ଣା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଜିଲ୍ଲା ସଂପାଦକ ତ୍ରିପୁରା ନାଏକ, ଜିଲ୍ଲା ଯାଦବ ମହିଳା ସେଲ ସଭାନେତ୍ରୀ ରଶ୍ମିରେଖା ରାଉତ, ଜିଲ୍ଲା ଉପସଭାପତି ଜଗଦୀଶ ଯାଦବ, ଉତ୍କଳ ଯାଦବ ମହାସଭାର ପୂର୍ବତନ ସାଧାରଣ ସମ୍ପାଦକ କୀର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସାଧାରଣ ସଂପାଦକ ତଥା ଆଇନଜୀବି ସଞ୍ଜୟ ଧଙ୍ଗଡାମାଝୀ, ଧର୍ମଗଡ଼ ବ୍ଲକ ସଭାପତି ଶଙ୍କର ଜୁଏଡ଼, ଗୋଲାମୁଣ୍ଡା ବ୍ଲକ ସଭାପତି ଗିରିଧାରୀ ତେଜୀ, ନାରୀ ନେତ୍ରୀ କମଳିନୀ ଯାଦବ, ଯୁବ ଯାଦବ ପୀତବାସ ବେହେରା ଓ ପ୍ରକାଶ ବନଛୋର ପ୍ରମୁଖ ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହୋଇ ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ସହ ଘଟଣାରେ ଜଡ଼ିତ ଥ‌ିବା ସମସ୍ତ ଦୋଷୀମାନଙ୍କୁ ଆଇନ୍ ଅନୁଯାୟୀ କଠୋରରୁ କଠୋର ଦଣ୍ଡ ବିଧାନ କରିବାକୁ ଦାବି ଜଣାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ୫ ଜଣ ଯାଦବ ନିଜ ଗାଈ-ବଳଦକୁ ନେଇ ଘରକୁ ଫେରୁଥିବା ସମୟରେ କିଛି ଅସାମାଜିକ ଵ୍ୟକ୍ତି ଉକ୍ତ ଯାଦବମାନଙ୍କୁ ସର୍ବ ସାଧାରଣରେ ମାଡ଼ ମାରିବା ସହ ଘଣ୍ଟା ଘଣ୍ଟା ଧରି ରାସ୍ତା କଡ଼ରେ ଆଣ୍ଠେଇବା ଓ ୪୫ ଡ଼ିଗ୍ରୀ ଖରାରେ ପିଚୁ ରାସ୍ତା ଉପରେ ଆଣ୍ଠେଇ ଚଳାଇବା, ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଓ ଅମାନୁଷିକ ଭାବେ ଦୁର୍ବ୍ଯବହାର କରି ସେମାନଙ୍କର ଆତ୍ମସମ୍ମାନକୁ ଭୂଲୁଣ୍ଠିତ କରୁଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ସଭ୍ୟ ସମାଜରେ ଏଭଳି ବର୍ବରୋଚିତ କାର୍ଯ୍ୟକଳାପ ଓଡିଶା ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି ତଥା ଭାରତ ବର୍ଷର ସମଗ୍ର ଯାଦବ ସମାଜର ସ୍ଵାଭିମାନ ଉପରେ ଏହା ଏକ ପ୍ରଚଣ୍ଡ ଆଘାତ ବୋଲି ଉତ୍କଳ ଯାଦବ ମହାସଭା ପକ୍ଷରୁ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.