ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳର ଜଣେ ପରିଚିତ ସମାଜସେବୀ ଓ ଶିକ୍ଷାବିତ୍ ସିଷ୍ଟର ନାନ୍ସି ହେନେରିଙ୍କ ପରଲୋକ ଘଟିଛି। ସୋମବାର ସକାଳ ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ତାଙ୍କର ଦେହାନ୍ତ ହୋଇ ଥିଲା। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ବିଷମକଟକ ଓ ମୁନିଗୁଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସିଷ୍ଟର ନାନ୍ସି ହେନେରି ଡାକ୍ତର ଭି.କେ. ହେନେରିଙ୍କ ପତ୍ନୀ ଭାବେ ସୁପରିଚିତ ଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ମିଶି ଓଡିଶାର ରାୟଗଡ଼ା ଜିଲ୍ଲାର ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲର ପ୍ରତିଷ୍ଠାତା ଭାବେ ଅଞ୍ଚଳରେ ସେବାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ, ଦକ୍ଷ ପ୍ରଶାସିକା ଏବଂ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିଲେ। “ମାନବ ସେବା ହିଁ ଈଶ୍ୱରଙ୍କ ସେବା” – ଏହି ଆଦର୍ଶକୁ ସେ ନିଜ କର୍ମ ମାଧ୍ୟମରେ ସାର୍ଥକ କରିଥିଲେ। ସିଏଚ୍ବି ନର୍ସିଂ ତାଲିମ କେନ୍ଦ୍ର ପ୍ରତିଷ୍ଠାରେ ସିଷ୍ଟର ନାନ୍ସିଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା। ସେ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଣ୍ଟ, ସ୍କୁଲ ଅଫ୍ ନର୍ସିଂର ପ୍ରିନ୍ସିପାଲ ଏବଂ ଏନ୍ଏଲ୍ଇଏମ୍ ସ୍କୁଲର ଭାଇସ୍ ଚେୟାରମ୍ୟାନ ଭାବେ କାର୍ଯ୍ୟ କରି ନିଜ ଦକ୍ଷତାର ପରିଚୟ ଦେଇଥିଲେ। ତାଙ୍କ ତତ୍ତ୍ୱାବଧାନରେ ପ୍ରତିଷ୍ଠିତ ଏନ୍ଏଲ୍ଇଏମ୍ ସ୍କୁଲ ଦ୍ୱାରା ବିଷମକଟକ ଓ ମୁନିଗୁଡା ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇପାରିଛନ୍ତି। ସିଏଚ୍ବିରେ ଦୀର୍ଘବର୍ଷ କାର୍ଯ୍ୟରତ ରହିବା ପରେ ସେ ଅବସର ଗ୍ରହଣ କରି ଚିତ୍ତୂରରେ ନିଜ ପୁତ୍ର ଡାକ୍ତର ଅନିଳ ହେନେରିଙ୍କ ସହ ବସବାସ କରୁଥିଲେ। ତାଙ୍କ ଦେହାନ୍ତ ଖବର ପ୍ରଚାର ପାଇବା ପରେ ବିଭିନ୍ନ ମହଳରୁ ଶୋକ ପ୍ରକାଶ କରାଯାଇଛି। ମଙ୍ଗଳବାର ଅପରାହ୍ନ ୪ଟା ସମୟରେ ବିଷମକଟକ ଜେଏଲ୍ସି କବରସ୍ଥାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି।





