ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକର ବିଭିନ୍ନ ଅଞ୍ଚଳରେ ଶନିବାର ମଧ୍ୟାହ୍ନରେ କାଳବୈଶାଖୀ ଭୟଙ୍କର ରୂପ ଦେଖାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପରେ ହଠାତ୍ ପାଗ ବଦଳିବା ସହ ପ୍ରବଳ ଘଡ଼ଘଡ଼ି, ବିଜୁଳି ଏବଂ ଝଡ଼ପବନ ସହ ବର୍ଷା ହୋଇଛି। ଏହି କାଳବୈଶାଖୀ ପ୍ରଭାବରେ ବ୍ଲକର କୁସୁମଖୁଣ୍ଟି, ଡ଼ଙ୍ଗରୀଗୁଡା, କାଶିବାହାଲ, ଫୁପଗାଁ, ରେଙ୍ଗାଲପାଲି, ଛିଲିପାମାଲ ଏବଂ ମୁଷାପାଲି ଭଳି ଅନେକ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା ମିଳିଛି। ଝଡ଼ପବନ ଯୋଗୁଁ ବିଭିନ୍ନ ଗ୍ରାମରେ ଲୋକଙ୍କ ଘରର ଚାଳ, ଛପର ନଷ୍ଟ ହୋଇଯାଇଛି। ୨୬ ନମ୍ବର ଜାତୀୟ ରାଜପଥ ସମେତ ଅନେକ ସ୍ଥାନରେ ରାସ୍ତା କଡ଼ରେ ଥିବା ଗଛ ଗୁଡ଼ିକ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ରବି ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନେ କଷ୍ଟ ଅର୍ଜିତ ଧାନ ଅମଳ କରି କିଏ ଖଲାରେ ତ’ ଆଉ କିଏ ରାସ୍ତା ପାର୍ଶ୍ବରେ ରଖିଥିଲେ। ମାତ୍ର ହଠାତ ଆସିଥିବା ଏହି ବର୍ଷା ଯୋଗୁଁ ଖଲା ଓ ରାସ୍ତା ପାର୍ଶ୍ବରେ ଥିବା କୁଢ କୁଢ ଧାନ ଓଦା ହୋଇ ନଷ୍ଟ ହେବାର ସମ୍ଭାବନା ରହିଛି। ବର୍ଷ ସାରାର ପରିଶ୍ରମ ନଷ୍ଟ ହେବାର ସମ୍ଭାବନା ଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରଶାସନ ତରଫରୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରାଯାଇ ବିପନ୍ନ ପରିବାର ଓ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।





