କାଳ ବୈଶାଖୀ ପ୍ରଭାବରେ ଶାନ୍ତପୁର ଅଞ୍ଚଳର ୪୦ % ଡାଳୁଅ ଧାନ ନଷ୍ଟ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କାଳ ବୈଶାଖୀ ପ୍ରଭାବରେ ନର୍ଲା ବ୍ଲକ ଅଧିନସ୍ଥ ରେତ ଜଳ ସେଚନ ପ୍ରକଳ୍ପର କେନାଲ ପାଣି ଲାଗୁଥିବା ଶାନ୍ତପୁର, ବଡଧାରପୁର, ଘଣ୍ଟମାଳ ଅଞ୍ଚଳର ୪୦ ପ୍ରତିଶତ ଡାଳୁଅ ଧାନ ନଷ୍ଟ ହୋଇ ଯାଇଥିବା ଜଣା ପଡିଛି। ଖରାଟିଆ ଧାନ ପାଚି ଯାଇଛି। କେତେକ ଚାଷୀ ଧାନ ଅମଳ କରି ସାରିଛନ୍ତି ତ କେତେକ ଚାଷୀ ଧାନ କାଟି ନାହାନ୍ତି। ଗତ ବୁଧବାର ସନ୍ଧ୍ୟା ୬.୩୦ ସମୟରେ ଏଵଂ ଶନିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ କାଳ ବୈଶାଖୀ ପ୍ରଭାବ ରେ ହଠାତ ଖୁବ ଯୋର ପବନ ବୋହି ବିଜୁଳି ଘଡ ଘଡି ସହ ବର୍ଷା ହୋଇଥିଲା। ଖୁବ ଯୋର ପବନ ଫଳରେ କ୍ଷେତରେ ଲହଡି ମାରୁଥିବା ପାଚିଲା ଧାନ ଗଛ ଢଳି ପଡି ପାଣି କାଦୁଅରେ ତିନ୍ତି ଯାଇ ନଷ୍ଟ ହୋଇଯାଇଛି। ଶ୍ରମିକ ଅଭାବ ଯୋଗୁଁ ୧୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ଚାଷୀ ହାର୍ଭେଷ୍ଟର ଯୋଗେ ଧାନ କାଟୁ ଥିବାରୁ ଆଉ ଖଳା କରୁନି। ଆଉ ଆର୍ଦ୍ରତା ରହିତ ଧାନ କିଣିବା ପାଇଁ ଅମଙ୍ଗ ହେବ ପ୍ୟାକ୍ସ। ଫଳରେ ଚାଷୀ ଅମଳ ହୋଇଥିବା ଧାନ ଶୁଖାଇବା ପାଇଁ କଂକ୍ରିଟ ରାସ୍ତା, ପିଚୁ ରୋଡ କିମ୍ବା ପଥର ଚଞ୍ଚରା କୁ ବିକଳ୍ପ ଭାବରେ ବ୍ୟବହାର କରୁଛି। ଅମଳ କରିଥିବା ଧାନ ରଖିବା ପାଇଁ ଘରେ ପର୍ଯ୍ୟାପ୍ତ ଜାଗା ନାହିଁ। ଶୁଖିଲା ହାର୍ଭେଷ୍ଟ ର ମେସିନ ରେ କାଟିଥିବା ଧାନ କୁ ସିଧା ମଣ୍ଡିରେ ନେଇ ଦେବ। ଏଣୁ ଘଣ୍ଟମାଳ, ବୁରାଟ, ଅଳବୁଲା, ଗୋହିରାପଦର ଗ୍ରାମର ଚାଷୀ ମାନେ ଭବାନୀପାଟଣା – ଭୁବନେଶ୍ବର ୫୯ ନମ୍ବର ରାଜ୍ୟ ରାଜପଥରେ ଧାନ ସୁଖାଇ ଥିଲେ। ସେଠାରୁ ଶୁଖିଲା ଧାନ କୁ ଟ୍ରାକ୍ଟର ଯୋଗେ ସିଧା ମଣ୍ଡିକୁ ନେଇଥାନ୍ତେ। ହେଲେ କାଳବୈଶାଖୀ ଚାଷୀଙ୍କ ପାଇଁ କାଳ ସାଜିଲା। ରାସ୍ତା ଉପରେ ଧାନ ଶୁଖାଇ ଥିବା ବେଳେ ଅକସ୍ମାତ କାଳ ବୈଶାଖୀ ବର୍ଷା ମାଡ଼ରେ ଧାନ ସବୁ ତିନ୍ତି ବୁଡି ସୁଡ଼ୁ ବୁଡ଼ୁ ହୋଇ ଯାଇଥିବା ଦେଖିବାକୁ ମିଳିଛି। ଶାନ୍ତ ପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୋହୀରାପଦରର ଚାଷୀ ପୂର୍ବତନ ସରପଞ୍ଚ ଟିକେଧର ସାହୁ, ଵିଶିଷ୍ଟ ଚାଷୀ ହୃଷୀକେଶ ସାହୁ ଭଳି ଅନେକ ଚାଷୀଙ୍କ ଧାନ ଅଦିନିଆ କାଳ ବୈଶାଖୀ ବର୍ଷାରେ ତିନ୍ତି ନଷ୍ଟ ହୋଇ ଯାଇଥିବା ପ୍ରକାଶ କରିଛନ୍ତି। ବର୍ଷ ସାରାର କଷ୍ଟାର୍ଜିତ ଧାନ ଏବେ ଉଚିତ ମୂଲ୍ୟ ମିଳିବାର ସମ୍ଭାବନା କମ ରହିଥିବା କଥା ଦର୍ଶାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ଚାଷୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.