ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସରସ୍ବତୀ ଶିଶୁ/ବିଦ୍ୟାମନ୍ଦିର ରେ ଜୁନ ୩ ବୁଧବାର ଦିନ ଉଦଘାଟିତ ହୋଇଯାଇଛି ଦକ୍ଷିଣ ସଂଭାଗ ର ଆଚାର୍ଯ୍ୟ ପ୍ରଶିକ୍ଷଣ ବର୍ଗ। ବିଦ୍ୟାଳୟ ପ୍ରାର୍ଥନା କକ୍ଷ ରେ ଏଥିପାଇଁ ଭବ୍ୟ ଆୟୋଜନ ହୋଇଥିଲା। ଉଦ୍ଘାଟନୀ ଉତ୍ସଵ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ସହ ଜିଲ୍ଲା ପ୍ରମୁଖ ମନ୍ମଥ କୁମାର ମିଶ୍ର ଯୋଗଦାନ କରି ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଅଜୟ କୁମାର ନାଏକ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଶିକ୍ଷା ବିକାଶ ସମିତି ର ଯୁଗ୍ମ ସମ୍ପାଦକ ଖଗେଶ୍ୱର ଦାସ, ସମ୍ମାନୀତ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ଓଡ଼ିଶା ର ସହ ପ୍ରାନ୍ତ ପରୀକ୍ଷା ସଂଯୋଜକ ଋଦ୍ର ନାରାୟଣ ବେହେରା, ଦକ୍ଷିଣ ସମ୍ଭାଗ ସଂଯୋଜକ ସୁଶାନ୍ତ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ।
ଆୟୋଜକ ବିଦ୍ୟାଳୟ ତରଫରୁ ପରିଚାଳନା ସମିତିର ସମ୍ପାଦକ ତଥା ନର୍ଲା ଖଣ୍ଡ ର ବୌଦ୍ଧିକ ପ୍ରମୁଖ ଅଜୟ କୁମାର ନାଏକ ଅତିଥି ବୃନ୍ଦ ଙ୍କୁ ଚନ୍ଦନ, ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ। ଭାରତ ମାତାଙ୍କ ପୂଜନ ଓ ସାମୁହିକ ମାତୃ ବନ୍ଦନା ପରେ କାର୍ଯ୍ଯକ୍ରମ ଆରମ୍ଭ ହୋଇଥିଲା। ଦକ୍ଷିଣ ସମ୍ଭାଗ ସଂଯୋଜକ ଶ୍ରୀ ବେହେରା ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସ୍ଥାନୀୟ ବିଦ୍ୟା ମନ୍ଦିରର ପରିଚାଳନା ସମିତିର ସମ୍ପାଦକ ଶ୍ରୀ ନାଏକ ଵ୍ୟଵସ୍ଥା ପ୍ରମୁଖ ଓ ବିଦ୍ୟା ମନ୍ଦିରର ପ୍ରଧାନାଚାର୍ଯ୍ୟ ବୁଦ୍ଧ ନାଏକ ଵ୍ୟଵସ୍ଥା ସଂଯୋଜକ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ବିଭିନ୍ନ ଦାୟୀତ୍ୱରେ ରହି ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି।

ଜୁନ ୩ ରୁ ୧୨ ପର୍ଯ୍ୟନ୍ତ ଚାଲିବ ଏହି ବର୍ଗ। ଏଥିରେ ଶିକ୍ଷା ବିକାଶ ସମିତି ଦକ୍ଷିଣ ସମ୍ଭାଗର କଳାହାଣ୍ଡି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ପ୍ରଭୃତି ୫ ଗୋଟି ଜିଲ୍ଲାର ୧୩ ଗୋଟି ସଙ୍କୁଳ ର ୧୦୬ ଟି ବିଦ୍ୟାଳୟରୁ ୧୦୦ ରୁ ଉର୍ଦ୍ଧ୍ବ ପ୍ରତିଭାଗୀ ଅଂଶ ଗ୍ରହଣ କରିଛନ୍ତି। ଏଥିପାଇଁ ଦକ୍ଷିଣ ସମ୍ଭାଗର ପୂର୍ଣ୍ଣ କାଳୀନ ୫ ଜଣ, ପ୍ରାନ୍ତ ପୂର୍ଣ୍ଣ କାଳୀନ ୩ ଜଣ ଓ ଅନ୍ୟ ବିଦ୍ୟାଳୟ ଗୁଡ଼ିକରୁ ୧୨ ଜଣ ଏଭଳି ମୋଟ ୨୦ ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଜଣାପଡିଛି।ବର୍ଗ ପ୍ରମୁଖ ସୁକାନ୍ତ କୁମାର ବେହେରା, ସୁଶାନ୍ତ ପାଣିଗ୍ରାହୀ, ମାଧବ ଶତପଥି, ବିଷ୍ଣୁ ଚରଣ ଦାସ, ବିପିନ ବିହାରୀ ମିଶ୍ର, କର୍ଣ୍ଣ ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବର୍ଗ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ଶିବିରାର୍ଥି ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କୁ ଶାରୀରିକ, ଶୈକ୍ଷିକ, ବୌଦ୍ଧିକ ଓ ଯୋଗ ପ୍ରଭୃତି ଵିଷୟ ଗୁଡ଼ିକ ବିଷୟରେ ୧୦ ଦିନ ବ୍ୟାପି ତାଲିମ ଦିଆଯିବ। ପ୍ରାତଃ ୪.୩୦ ସମୟରେ ଜାଗରଣ ହୋଇ ସକାଳ ୮.୪୫ ରୁ ୧୨.୪୫ ଯାଏଁ ତିନିଗୋଟି ସତ୍ରରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ବେଳେ ମଧ୍ୟାହ୍ନ ରେ ଦୁଇଗୋଟି ସତ୍ର ଏଭଳି ପ୍ରତ୍ୟହ ୫ ଗୋଟି ସତ୍ରରେ ଶିକ୍ଷାର୍ଥୀ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଅପରାହ୍ନ ରେ ଶାରୀରିକ ଶିକ୍ଷାଦାନ ଅନୁଷ୍ଠିତ ହେଉଥିବା ସୂଚନା ମିଳିଛି। ଜୁନ ୧୨ ରେ ଏହି ଶିବିରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।





