ହେଉଛି ନୂତନ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ; ଦୁଇ ମାସ ହେଲା ବାଲେଶ୍ୱର ଷ୍ଟେସନର ପଶ୍ଚିମ ପ୍ରବେଶ ପଥ ବନ୍ଦ 

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଯାତ୍ରୀ ସୁବିଧା, ସୁରକ୍ଷା ଏବଂ ଷ୍ଟେସନ ସଂଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ବାଲେଶ୍ୱର ରେଳ ଷ୍ଟେସନରେ ନୂତନ ଫୁଟ୍ ଓଭର ବ୍ରିଜ୍ (ଏଫ୍‌ଓବି) ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ଷ୍ଟେସନର ପଶ୍ଚିମ ପାର୍ଶ୍ୱରେ (ଭଦ୍ରକ ଆଡକୁ) ନୂତନ ଫୁଟ୍ ଓଭର ବ୍ରିଜ୍‌ର ଲଞ୍ଚିଂ କାର୍ଯ୍ୟ ଆସନ୍ତା ୧୪ ଜୁନରୁ ଆରମ୍ଭ ହେବାର ସମ୍ଭାବନା ରହିଛି। ଏହି କାର୍ଯ୍ୟ ଚାଲୁ ରହିବା ସମୟରେ ସୁରକ୍ଷାଜନିତ କାରଣରୁ ବାଲେଶ୍ୱର ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ (ପଶ୍ଚିମ ପାର୍ଶ୍ୱ) ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ କିମ୍ବା ନୂତନ ଫୁଟ୍ ଓଭର ବ୍ରିଜ୍ ଚାଲୁ ହେବା ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ବନ୍ଦ ରହିବ। ଏହି ସମୟ ମଧ୍ୟରେ ପଶ୍ଚିମ ପ୍ରବେଶ ପଥ ଦେଇ ଯାତ୍ରୀମାନଙ୍କର ଆସିବା ଓ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି ରହିବ।

ରେଳ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦ୍ୱିତୀୟ ପ୍ରବେଶ ପଥରେ ଥିବା ଅଣସଂରକ୍ଷିତ ଟିକେଟ୍ (ୟୁଟିଏସ୍) ବୁକିଂ କାଉଣ୍ଟର ଏହି ଅବଧିରେ ବନ୍ଦ ରହିବ। ତେବେ ସେଠାରେ ଥିବା ସଂରକ୍ଷିତ ଟିକେଟ୍ (ପିଆରଏସ୍) କାଉଣ୍ଟର ପୂର୍ବବତ୍ କାର୍ଯ୍ୟକ୍ଷମ ରହିବ ଏବଂ ଯାତ୍ରୀମାନେ ଏହାର ସୁବିଧା ପାଇପାରିବେ। ଏହି ସମୟ ମଧ୍ୟରେ ଯାତ୍ରୀମାନଙ୍କୁ ଷ୍ଟେସନ ପରିସର, ପ୍ଲାଟଫର୍ମ ଓ ଅନ୍ୟାନ୍ୟ ରେଳ ସେବାର ସୁବିଧା ନେବା ପାଇଁ ମୁଖ୍ୟ ପ୍ରବେଶ ପଥ ବ୍ୟବହାର କରିବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି। ଖଡ଼ଗପୁର ରେଳ ମଣ୍ଡଳ ପକ୍ଷରୁ କୁହାଯାଇଛି ଯେ, ଯାତ୍ରୀ ସୁରକ୍ଷା ଓ ଉନ୍ନତ ଭିତ୍ତିଭୂମି ସୃଷ୍ଟିର ବୃହତ୍ତର ସ୍ୱାର୍ଥରେ ଏହି କାର୍ଯ୍ୟ ହାତକୁ ନିଆଯାଇଛି। ଅସ୍ଥାୟୀ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରାଯାଇଥିବା ବେଳେ ଯାତ୍ରୀ ଓ ସାଧାରଣ ଲୋକଙ୍କ ସହଯୋଗ ଓ ବୁଝାମଣା କାମନା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.