ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସରିଆଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ଶୁକ୍ରବାର ଏକ ବୈଠକ ଶିକ୍ଷାବିତ ସାଧୁରାମ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ସମାଜସେବୀ ଓ ସଚେତନ ନାଗରିକମାନେ ଉପସ୍ଥିତ ରହି ପଞ୍ଚାୟତର ଚିଆଁପଦର, ଦେଣ୍ଡୋଗୁଡା, ସରିଆଁ, ଟୋଲବ୍ରହ୍ମଣୀ ଓ ଅର୍ଜୁନ ଗାଁରେ ସବୁଦିନ ପାଇଁ ମଦ ବିକ୍ରି ବନ୍ଦ କରିବାକୁ ନିଜ ନିଜ ମତ ଉପସ୍ଥାପନ କରିଥିଲେ। ନାରୀ ନେତ୍ରୀ ମାନିନୀ ମାଝୀ ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ସଭା ପରିଚାଳନା କରିଥିଲେ ସମାଜସେବୀ ରଘୁନାଥ ଦୀପ। ଏଥିରେ ସରିଆଁ ସରପଞ୍ଚ ଓମ ପ୍ରକାଶ ଛତ୍ରିଆ, ସମିତି ସଭ୍ୟ ଭାସ୍କର ଭୋଇ, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ର ଶେଖର ଶବର, ପଞ୍ଚାୟତର ଅନେକ ୱାର୍ଡ ସଭ୍ୟ ସଭ୍ୟାଙ୍କ ସମେତ ବିନତି ମାଝୀ, ସଜନା ପ୍ରଗଣିଆ, ପଞ୍ଜଳି ଭୋଇ, ଦ୍ରୋପଦୀ ଦୁର୍ଗା, ଜସ୍ମିନୀ ଦୁର୍ଗା, ପ୍ରମୋଦ କୁମାର ଭୋଇ, ହବିଷ କୁମାର ଭୋଇ, ରଘୁମଣୀ ସୁନା, ଦିଲ ଦିଓ ଘରଡ଼ା, ରତ୍ନାକର ମାଝୀ, ଯୋଗୀନ୍ଦ୍ର ଭୋଇ, ଭଗବାନ ତାଣ୍ଡି, କଦମ ବାଗ, ଅଶ୍ୱନୀ ପ୍ରଗଣିଆଁ, ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରିଆଁ ଗ୍ରାମ ପଞ୍ଚାୟତ ଅଞ୍ଚଳରେ ମଦ ବିକ୍ରି ବନ୍ଦ କରିବାକୁ ନିକଟରେ ମହିଳାମାନଙ୍କ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ୪ଟି ଗ୍ରାମ ପରିକ୍ରମା କରିଥିଲା। ସ୍ବୟଂ ସହାୟକ ଗୋଷ୍ଠୀ ମଦ ବନ୍ଦ ପାଇଁ ପ୍ରାଥମିକ ପ୍ରୟାସ କରିଥିବାବେଳେ ଆଜି ଅନୁଷ୍ଠିତ ବୈଠକରେ ପଞ୍ଚାୟତର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସରିଆଁ ପଞ୍ଚାୟତ ଅଞ୍ଚଳରେ ସବୁଦିନ ପାଇଁ ମଦ ବନ୍ଦ କରିବାକୁ ସ୍ଥିରିକୃତ କରିଥିବା ଜଣାପଡିଛି।





