ତଳଦମାଘାଟିରେ ଶ୍ରୀ ବନ୍ଦରଜାଙ୍କ ଭବ୍ୟ କଳସ ଶୋଭାଯାତ୍ରା

ଭକ୍ତିମୟ ପରିବେଶରେ ସାମିଲ ହେଲେ ଶତାଧିକ ମହିଳା ଶ୍ରଦ୍ଧାଳୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭକ୍ତି, ଶ୍ରଦ୍ଧା ଓ ଆସ୍ଥାର ଅପୂର୍ବ ସମାଗମ ମଧ୍ୟରେ ଲାଞ୍ଜିଗଡ଼ ବ୍ଲକ୍ ବେନଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତଳଦମାଘାଟିରେ ପ୍ରଭୁ ଶ୍ରୀ ବନ୍ଦରଜାଙ୍କ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନରେ ଶତାଧିକ ମହିଳା ଶ୍ରଦ୍ଧାଳୁ ସାମିଲ ହୋଇ ପ୍ରଭୁଙ୍କ ପ୍ରତି ନିଜର ଭକ୍ତି ଓ ସମର୍ପଣ ଭାବ ପ୍ରକାଶ କରିଥିଲେ। ପ୍ରଭୁଙ୍କ ଆରାଧନା ଓ ଜଳ ଅର୍ପଣ ମାଧ୍ୟମରେ ଶ୍ରଦ୍ଧାଳୁମାନେ ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ। ଭକ୍ତିରେ ଭରିଲା ମନ, ଶ୍ରଦ୍ଧାରେ ନଇଁଲା ମଥା ଓ ପ୍ରଭୁଙ୍କ ନାମରେ ମୁଖରିତ ହୋଇଉଠିଥିଲା ପରିବେଶ।

ଏଭଳି ଏକ ଆଧ୍ୟାତ୍ମିକ ମାହୋଲ ମଧ୍ୟରେ ଅନୁଷ୍ଠିତ କଳସ ଶୋଭାଯାତ୍ରା ଅଞ୍ଚଳରେ ଧାର୍ମିକ ଉତ୍ସାହ ସୃଷ୍ଟି କରିଥିଲା।ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁଯାୟୀ, ପ୍ରଭୁ ଶ୍ରୀ ବନ୍ଦରଜାଙ୍କ ନିକଟରେ ଜଳ ଲାଗି କଲେ ମାନସିକ ପୂରଣ ହେବା ସହ ପରିବାରର ମଙ୍ଗଳ ହୋଇଥାଏ। ଏହି ଆସ୍ଥାକୁ ନେଇ ଶ୍ରଦ୍ଧାଳୁମାନେ ମନ୍ଦିର ନିକଟସ୍ଥ ନାଳରୁ ଜଳ ସଂଗ୍ରହ କରି ପ୍ରଭୁଙ୍କ ମନ୍ଦିରରେ ଅର୍ପଣ କରିଥିଲେ।

ପ୍ରଭୁ ଶ୍ରୀ ବନ୍ଦରଜାଙ୍କ ବାର୍ଷିକ ଯାତ୍ରା ଦୁଇ ଦିନ ଧରି ପାଳନ କରାଯାଏ। ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଓ ଦ୍ୱିତୀୟ ଦିନରେ ବଳିପୂଜା ଅନୁଷ୍ଠିତ ହୋଇଥାଏ। ଏହାସହ ରାତିରେ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ମନୋରଞ୍ଜନ ପାଇଁ ଗୀତିନାଟ୍ୟ ଓ ରେକର୍ଡ ଡ୍ୟାନ୍ସ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଏ।ଏହି ପୂଜାର୍ଚ୍ଚନାରେ ମଦ ମାଝୀ ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବନ୍ଦରଜା ପୂଜା କମିଟିର ସଭାପତି ଲିଙ୍ଗା ମାଝୀ, ସମ୍ପାଦକ ଗୁଣନିଧି ହରିଜନ, କୋଷାଧ୍ୟକ୍ଷ ମହେଶ୍ୱର ହରିଜନ, ସଦସ୍ୟ ନାରୁ ମାଝୀ, ରାଜବ ମାଝୀ, ଧନୁର୍ଯ୍ୟ ହରିଜନ, କୁମଧନ ହରିଜନ, ପବିତ୍ର ହରିଜନ, ଦେବାନନ୍ଦ ମାଝୀ, ଶିବ ହରିଜନ, ସାନ୍ଦ୍ରା ମାଝୀ, ନାରୀ ମାଝୀ, ନବୀ ମାଝୀ, ଜଗଲୁ ଦୋରା ସମେତ ଗ୍ରାମବାସୀମାନେ ଯାତ୍ରାର ଆୟୋଜନରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.