ନଭେମ୍ବର ୪ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କୁଲଡିହା ଅଭୟାରଣ୍ୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ନୂଆ ପର୍ଯ୍ୟଟନ ଋତୁରେ ପ୍ରକୃତିର ମନୋରମ ପରିବେଶ ଓ ବନ୍ୟପ୍ରାଣୀଙ୍କ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ବାଲେଶ୍ୱର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟ ଆସନ୍ତା ନଭେମ୍ବର ୪ ତାରିଖରୁ ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଦିବାକାଳୀନ ପର୍ଯ୍ୟଟକଙ୍କ ନିମନ୍ତେ ଖୋଲାଯିବ।ଏ ନେଇ ବାଲେଶ୍ୱର ବନ୍ୟପ୍ରାଣୀ ବନଖଣ୍ଡର ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ପକ୍ଷରୁ ଅକ୍ଟୋବର ୨୬ ତାରିଖରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରକୃତିପ୍ରେମୀ ଓ ବନ୍ୟପ୍ରାଣୀ ଦର୍ଶନ ପାଇଁ ଆଗ୍ରହୀ ପର୍ଯ୍ୟଟକମାନେ ନିର୍ଦ୍ଧାରିତ ତାରିଖରୁ ଅଭୟାରଣ୍ୟ ପରିଦର୍ଶନ କରିପାରିବେ। ସବୁଜ ବନାନୀ, ପ୍ରାକୃତିକ ପରିବେଶ ଓ ବିଭିନ୍ନ ବନ୍ୟପ୍ରାଣୀଙ୍କ ଉପସ୍ଥିତି କୁଲଡିହାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳୀରେ ପରିଣତ କରିଛି। ତେବେ ବର୍ତ୍ତମାନ ପାଇଁ ଅଭୟାରଣ୍ୟରେ ରାତ୍ରିଯାପନ ବ୍ୟବସ୍ଥା ଉପଲବ୍ଧ ହେବ ନାହିଁ ବୋଲି ବନ ବିଭାଗର ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ତେଣୁ ପର୍ଯ୍ୟଟକମାନେ ଅଭୟାରଣ୍ୟ ପରିଦର୍ଶନ ପୂର୍ବରୁ ଏହି ନିର୍ଦ୍ଦେଶାବଳୀକୁ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ଅନୁରୋଧ କରାଯାଇଛି। ପର୍ଯ୍ୟଟନ ଋତୁ ଆରମ୍ଭ ସହ କୁଲଡିହା ଅଭୟାରଣ୍ୟରେ ପ୍ରକୃତିର ନିକଟତର ହେବା ଓ ବନ୍ୟପ୍ରାଣୀଙ୍କୁ ଦେଖିବାର ସୁଯୋଗ ପର୍ଯ୍ୟଟକଙ୍କୁ ମିଳିବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.