ଦୁର୍ନୀତି ବିରୋଧୀ ସଚେତନତାର ବାର୍ତ୍ତା ନେଇ ବାଲେଶ୍ୱରରେ ଆୟୋଜନ ହେଲା ମାରାଥନ୍ ରାଲି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦୁର୍ନୀତିମୁକ୍ତ ସମାଜ ଗଠନ, ସ୍ୱଚ୍ଛତା ଓ ସଚ୍ଚୋଟତାର ମୂଲ୍ୟବୋଧ ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଲକ୍ଷ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅବସରରେ ବାଲେଶ୍ୱର ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ସକାଳେ ଏକ ମାରାଥନ୍ ରାଲି ଆୟୋଜିତ ହୋଇଯାଇଛି। ସକାଳ ୭ଟାରେ ରେମୁଣା ଛକରୁ ଆରମ୍ଭ ହୋଇଥିବା ଏହି ରାଲି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା। ଏଥିରେ କ୍ରୀଡ଼ା ଛାତ୍ରାବାସର ଛାତ୍ରଛାତ୍ରୀ ଓ ଆଥଲେଟିକ୍ସ ଖେଳାଳିମାନେ ଉତ୍ସାହର ସହ ଯୋଗଦେଇ ଦୁର୍ନୀତି ବିରୋଧରେ ସଚେତନତାର ବାର୍ତ୍ତା ପ୍ରସାର କରିଥିଲେ। ସମାଜରେ ସ୍ୱଚ୍ଛତା, ସଚ୍ଚୋଟତା ଓ ନୈତିକତାକୁ ପ୍ରୋତ୍ସାହିତ କରିବା ସହ ଦୁର୍ନୀତିମୁକ୍ତ ପ୍ରଶାସନ ଓ ସମାଜ ଗଠନ ପାଇଁ ସାମୂହିକ ଉଦ୍ୟମର ଆବଶ୍ୟକତା ଉପରେ ଏହି ରାଲି ଗୁରୁତ୍ୱାରୋପ କରିଥିଲା।କାର୍ଯ୍ୟକ୍ରମରେ ଭିଜିଲାନ୍ସ ଡିଏସ୍‌ପି ସିକନ୍ଦର ହେମ୍ବ୍ରମ ଓ ଚିନ୍ମୟ ରାଉତ, ଭିଜିଲାନ୍ସ ଇନ୍ସପେକ୍ଟର ନବ ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲିକ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ରହି ରାଲିର ଶୁଭାରମ୍ଭ କରିଥିଲେ। ଏଥିସହ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଚଳିତ ବର୍ଷ ଅକ୍ଟୋବର ୨୬ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତି ବିରୋଧରେ ଜନସମର୍ଥନ ସୃଷ୍ଟି କରିବା ସହ ସଚ୍ଚୋଟତା ଓ ଦାୟିତ୍ୱବୋଧର ମୂଲ୍ୟବୋଧକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.