ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ନୂଆପଡ଼ା ସ୍ଥିତ ଜ୍ଞାନଜ୍ୟୋତି ବିଦ୍ୟାଳୟରେ ‘ସୁରକ୍ଷିତ ଶୈଶବ ଅଭିଯାନ’- ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆଇନ) ସମ୍ବନ୍ଧରେ ଏକ ସର୍ବଭାରତୀୟ ବିଦ୍ୟାଳୟ ମାନଙ୍କରେ ଏକ-ବର୍ଷୀୟ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଶିଶୁ ମଙ୍ଗଳ ସମିତି ର ସଦସ୍ୟା ତପସ୍ୱିନୀ ପଣ୍ଡା, ବରିଷ୍ଠ ଆଇନଜୀବୀ ତଥା ଶିଶୁ ମଙ୍ଗଳ ସମିତିର ପ୍ରାକ୍ତନ ସଦସ୍ୟ କୁମୁଦ କୁମାର ହୋତା, ପ୍ରାଧିକରଣର ସମ୍ମୁଖ କାର୍ଯ୍ୟାଳୟ ଓକିଲ ସନ୍ଥରାମ ସାହୁ, ବିଦ୍ୟାଳୟର ଅଧ୍ୟକ୍ଷ ମହମ୍ମଦ ଅଶରଫ, ଅଧିକାରମିତ୍ରଗଣ ଯୋଗ ଦେଇଥିଲେ । ଏହି ଅବସରରେ ସଚିବ ଓ ଅନ୍ୟାନ୍ୟ ବକ୍ତା ମାନେ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆଇନ), ଉକ୍ତ ଆଇନ ଅଧୀନରେ ଆସୁଥିବା ଅପରାଧ ଏବଂ ଦଣ୍ଡ, ପୋକ୍ସୋ ଆଇନରେ ବିଭିନ୍ନ ଧାରା, ଛାତ୍ର ଛାତ୍ରୀଙ୍କୁ ସୁରକ୍ଷିତ ସ୍ପର୍ଶ ଏବଂ ଅସୁରକ୍ଷିତ ସ୍ପର୍ଶ ତଥା ସତର୍କତାମୂଳକ ସଙ୍କେତ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ପ୍ରତ୍ୟେକ ଶିଶୁ ମାଗଣା ଆଇନ ସେବା ପାଇବା ପାଇଁ ଯୋଗ୍ୟ ବୋଲି ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସଚେତନ କରିଥିଲେ । ଅଭିଯାନର ପ୍ରଥମ ପର୍ଯ୍ୟାୟ ୨୭.୧୦.୨୦୨୬ ରୁ ୩୧.୧୦.୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ଓ ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ଆଗାମୀ ଏକ ବର୍ଷ ଯାଏ ଚାଲିବ। ଯଦି କୌଣସି ଶିଶୁ କୌଣସି ପ୍ରକାରର ଯୌନ ଅପରାଧର ଶିକାର ହୁଅନ୍ତି ତା’ ହେଲେ ନାଲସା ଟୋଲ-ଫ୍ରି ନମ୍ବର ୧୫୧୦୦ ଏବଂ ଶିଶୁ ହେଲ୍ପ ଲାଇନ ୧୦୯୮ ରେ ଯୋଗାଯୋଗ କରିବାକୁ ପ୍ରାଧିକରଣର ସଚିବ ପରାମର୍ଶ ଦେଇଥିଲେ ।





