ସାମାଜିକ ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଆହ୍ୱାନ
ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପର୍ଲା ଗ୍ରାମ ପଞ୍ଚାୟତର ସିନାପଡ଼ା ଆମ୍ବତୋଟାଠାରେ ଧର୍ମଗଡ଼ ବ୍ଲକ ଯାଦବ ସମିତିର ନୂଆଖାଇ ଭେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି। ଏହି ସମାବେଶରେ ହଜାରରୁ ଊର୍ଦ୍ଧ୍ୱ ଯାଦବ ସମାଜର ପୁରୁଷ ଓ ମହିଳା ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସହାୟକ ହୋଇଥିଲେ। ଧର୍ମଗଡ଼ ବ୍ଲକ ଯାଦବ ସମିତିର ସଭାପତି ଶଙ୍କର ପ୍ରସାଦ ଯୁଏଡଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ସମ୍ପାଦକ ରାଜୁ ଘିଭେଲା, ମୁଖ୍ୟବକ୍ତା ଭାବେ ଉତ୍କଳ ଯାଦବ ମହାସଭାର ଉପସଭାପତି ଲମ୍ବୋଦର ନିଆଲ, ବିଶିଷ୍ଟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ସଭାନେତ୍ରୀ ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ସମାଜର ସଭାପତି ନୃପରାଜ ଯାଦବ, ଜିଲ୍ଲା ଯାଦବ କାର୍ଯ୍ୟକାରୀ ସଭାପତି ଗିରିଧାରୀ ତେଜି, ଜିଲ୍ଲା କର୍ମଚାରୀ ସଂଘର ସଭାପତି ମାଧବ ଲହଜଲ, ପୂର୍ବତନ ଉପଖଣ୍ଡ ଯାଦବ ମହାସଭା ସଭାପତି ରାମ ପ୍ରସାଦ ଗୋପାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହାବ୍ୟତୀତ ତୁଳସିରାମ ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ଜିଲ୍ଲା ଯୁବ ଯାଦବ ସଭାପତି ପୀତବାସ ବେହେରା, ଚାରଗଡ଼ ସଭାପତି କେନ୍ଦୁରାମ ଯାଦବ, ଜିଲ୍ଲା ଉପସଭାପତି ଅଲେଖ ଗୋପାଳ, କମଳ ବାଗ, ଯୁଧିଷ୍ଠିର ଗୌଡ଼ ଓ ଜଗଦୀଶ ଯାଦବଙ୍କ ସମେତ ବହୁ ସମାଜସେବୀ ଓ ଯାଦବ ନେତୃବୃନ୍ଦ ଉପସ୍ଥିତ ଥିଲେ। ସଭାରେ ବକ୍ତାମାନେ ଯାଦବ ସମାଜର ଏକତା, ଅଖଣ୍ଡତା ଓ ସାମାଜିକ ସଂହତି ବଜାୟ ରଖିବା ସହ ଶିକ୍ଷା, ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସର୍ବାଙ୍ଗୀଣ ଉନ୍ନତି ସାଧନ ଉପରେ ଗୁରୁତ୍ୱାରୋପ କରିଥିଲେ। ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନାରେ ତୁଳସିରାମ ଗୋପାଳ ଓ ଭବାନୀଶଙ୍କର ବଣିଆ ସହଯୋଗ କରିଥିବାବେଳେ ନିରାକାର ଗୋପାଳ ଓ ଅରକ୍ଷିତ ଭୈସାଲ ମଞ୍ଚ ପରିଚାଳନା କରିଥିଲେ। ତେବେ ସଭା ଆରମ୍ଭରେ ହୋଇଥିବା ବିରୋଧାଭାସକୁ ନେଇ ଜିଲ୍ଲାବ୍ୟାପୀ ଆଲୋଚନା ପର୍ଯ୍ୟାଲୋଚନା ହେଉଛି।





