(ବିଶ୍ଵ ରକ୍ତଦାତା ଦିବସ ଅବସରରେ)
ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ । ଏହାର ଅନ୍ତର୍ଗତ ଜୀବକୋଷଗୁଡ଼ିକୁ ରକ୍ତ କୋଷ ବା ରକ୍ତକଣିକା କୁହାଯାଏ। ଏହି କଣିକାଗୁଡ଼ିକ ରକ୍ତରେ ଏକ ତରଳ ପଦାର୍ଥରେ ଭାସୁଥାନ୍ତି, ସେହି ତରଳ ପଦାର୍ଥକୁ ପ୍ଲାଜମା କୁହାଯାଏ । ତେଣୁ ସାଧାରଣ ଭାବରେ ବୁଝିବାକୁ ଗଲେ ରକ୍ତ ହେଉଛି ମୁଖ୍ୟତଃ ପ୍ଲାଜମା ଓ ରକ୍ତ କଣିକାର ସମଷ୍ଟି । ରକ୍ତ ଏକ ଅଠାଳିଆ ତରଳ ପଦାର୍ଥ । ଏହାର ରଙ୍ଗ ଲାଲ ହୋଇଥିଲେ ମଧ୍ୟ କେତେକ ପରିସ୍ଥିତିରେ ଏହାର ରଙ୍ଗରେ ପାର୍ଥକ୍ୟ ଦେଖାଯାଇଥାଏ । ଅଣୁବୀକ୍ଷଣ ସାହାଯ୍ୟରେ ରକ୍ତକୁ ପରୀକ୍ଷା କଲେ ସେଥିରେ ଥିବା କଣିକାଗୁଡ଼ିକ ଦେଖାଯାନ୍ତି। ପ୍ରତିବର୍ଷ ରକ୍ତ ଅଭାବରୁ ଅନେକ ରୋଗୀଙ୍କ ପ୍ରାଣ ଚାଲିଯାଏ । ଦୈନନ୍ଦିନ ଘଟୁଥିବା ଦୁର୍ଘଟଣା, ରୋଗ, ଆଘାତ, ଅସ୍ତ୍ରୋପଚାର, କର୍କଟ, ଥାଲାସେମିଆ ଓ ରକ୍ତହୀନତା ପ୍ରଭୃତି କାରଣରୁ ରକ୍ତର ଆବଶ୍ୟକ କରିଥାଏ । ଯେହେତୁ ଆମ ରକ୍ତର କୌଣସି ଉପଯୁକ୍ତ ବିକଳ୍ପ ନାହିଁ କିମ୍ବା ଏହାକୁ କୃତ୍ରିମ ଭାବେ କୌଣସି କାରଖାନାରେ ତିଆରି କରାଯାଇପାରିବ ନାହିଁ । ରକ୍ତର ଅଭାବକୁ ଦୂର କରିବା ପାଇଁ ମଣିଷମାନଙ୍କୁ ହିଁ ରକ୍ତଦାନ କରିବାକୁ ପଡିବ। ତେଣୁ ସ୍ୱେଚ୍ଛାକୃତ ରକ୍ତଦାନ ହିଁ ସବୁଠାରୁ ସହଜ ଓ ନିରାପଦ ମାଧ୍ୟମ । ଜଣେ ବ୍ୟକ୍ତିଙ୍କର ଶରୀରରେ ୫ -୬ ଲିଟର ରକ୍ତ ଥାଏ। ଶରୀରର ଥିବା ବଳକା ରକ୍ତରୁ ହିଁ ରକ୍ତଦାନ କରିଥାଏ। ପ୍ରତି ୩ ମାସରେ ଥରେ ଜଣେ ପୁରୁଷ ଓ ୪ମାସରେ ଥରେ ଜଣେ ମହିଳା ରକ୍ତ ଦାନ କରି ପାରିବେ ।ଶରୀରରେ ବହୁତ ଶୀଘ୍ର ରକ୍ତ ସୃଷ୍ଟି ହୋଇ ଯାଇଥାଏ ; ୨୪ – ୪୮ ଘଣ୍ଟା ଭିତରେ ରକ୍ତ ପ୍ଲାଜ୍ମା ପୁଣି ସୃଷ୍ଟି ହୋଇଯାଏ, ପ୍ରାୟ ୩ ସପ୍ତାହରେ ଲାଲ୍ ରକ୍ତ କଣିକା ଗୁଡିକ ତିଆରି ହୁଏ ଏବଂ କିଛି ମୁହୂର୍ତ୍ତ ଭିତରେ ପ୍ଲାଟଲେଟ୍ସ ଏବଂ ଶ୍ୱେତ ରକ୍ତ କଣିକା ତିଆରି ହୋଇ ଯାଇଥାଏ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ୧୮ରୁ ୬୫ବର୍ଷ ମଧ୍ୟରେ ବୟସ ହୋଇଥିବ, ଓଜନ ୪୫ କେଜିରୁ ଅଧିକ ଥିବ, ରକ୍ତରେ ହେମୋଗ୍ଲୋବିନ୍ ପରିମାଣ ଅନ୍ୟୁନ ୧୨.୫ ଗ୍ରାମ୍ ଥିବ,ପଲ୍ସ ପ୍ରତି ମିନିଟ୍କୁ ୬୦ରୁ ୧୦୦ଥର ନିୟମିତ ଥିବ, ରକ୍ତଚାପ-ସି ସ୍ଟୋଲିକ ୧୦୦ ରୁ ୧୬୦ ମି.ମି. ଓ ଡାୟୋଷ୍ଟୋଲିକ୍ ୬୦ରୁ ୧୦୦ ମି.ମି. ଥିବ ଓ ଶରୀରର ତାପମାତ୍ରା ୩୭.୫ ” ସେଲ୍ସିୟସରୁ ଥିବା ଆବଶ୍ୟକ । ମହିଳାମାନେ ଋତୁସ୍ରାବ, ଗର୍ଭଧାରଣ, ଗର୍ଭପାତର ତିନିମାସ ମଧ୍ୟରେ ଏବଂ ଶିଶୁକୁ ସ୍ତନ୍ୟପାନ ସମୟରେ ( ଏକ ବର୍ଷ ପର୍ଯ୍ୟନ୍ତ) ରକ୍ତଦାନ କରିପାରିବେ ନାହିଁ । ଅନ୍ୟାନ୍ୟ ସାଧାରଣ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଦ୍ଵାରା ଉପଶମ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ରକ୍ତଦାନ କରିପାରିବେ । ଯଦି ୬ ମାସ ମଧ୍ୟରେ କୌଣସି ଗୁରୁତର ଅସ୍ତ୍ରୋପଚାର ଏବଂ ୩ ମାସ ମଧ୍ୟର କୌଣସି ସାମାନ୍ୟ ଅସ୍ତ୍ରୋପଚାର ହୋଇଥାଏ ତେବେ ରକ୍ତଦାନ କରିବା ଉଚିତ ନୁହେଁ । ଏଚ୍ଆଇଭି । ଏଡ୍ସ୍, ସିଜିଲିସ୍, ଶ୍ଵାସ, ଥାଇରଏଡ୍, ହୃଦ୍ରୋଗ, ଅପସ୍ମାର ଇତ୍ୟାଦି ମାରାତ୍ମକ ରୋଗରେ ପୀଡ଼ିତ ବ୍ୟକ୍ତି କେବେ ମଧ୍ୟ ରକ୍ତଦାନ କରିପାରିବେ ନାହିଁ । ନିୟମିତ ରକ୍ତଦାନ କରୁଥିବା ବ୍ୟକ୍ତିର କୋଲେଷ୍ଟରାଲ୍ ପରିମାଣ ନିୟନ୍ତ୍ରଣରେ ରହିବା ସହ ହୃଦ୍ରୋଗ, ଉଚ୍ଚ ରକ୍ତଚାପଳନିତ ସମସ୍ୟା ଓ ମଧୁମେହ ହେବାର ଆଶଙ୍କା ନଥାଏ। ବ୍ୟକ୍ତିର ଅସ୍ଥିମଜ୍ଜା ଅଧିକ ସକ୍ରିୟ ଓ କାର୍ଯ୍ୟକ୍ଷମ ହୁଏ । ନିୟମିତ ରକ୍ତଦାନ ଦ୍ଵାରା ଏଡ୍ରୋଗ ସଂକ୍ରମିତ ହେବାର କୌଣସି ସମ୍ଭାବନା ନ ଥାଏ । ସାଧାରଣତଃ ଲୋକମାନଙ୍କ ମଧ୍ୟରେ ରକ୍ତଦାନକୁ ନେଇ କିଛି ଭ୍ରାନ୍ତ ଧାରଣା ରହିଥାଏ। ଯଥା-ରକ୍ତଦାନ କଲେ ଶରୀର ଦୁର୍ବଳ ହୋଇଯାଏ, ଶରୀର ସନ୍ତୁଳନରେ ବ୍ୟାଘାତ ସୃଷ୍ଟି ହୁଏ, ଓଜନ ବଢିଯାଏ, ବିଭିନ୍ନ ପ୍ରକାର ରୋଗହୁଏ, ସଂଗୃହୀତ ରକ୍ତକୁ ରକ୍ତଭଣ୍ଡାରରେ ନଷ୍ଟ କରିଦିଆଯାଏ ଇତ୍ୟାଦି । ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ ହେଲାପରେ ଏହା ରକ୍ତ ଭଣ୍ଡାରରେ ଆଣ୍ଟି କୋଆଗୁଲାଣ୍ଟ୍ ଦ୍ରବଣ ମିଶ୍ରଣ ପୂର୍ବକ ୨ଡିଗ୍ରୀରୁ ୬ଡିଗ୍ରୀ ଉତ୍ତାପରେ ୩୫ ଦିନ ପର୍ଯନ୍ତ ସଂରକ୍ଷିତ ରହେ। ଜଣେ ବ୍ୟକ୍ତିର ଶରୀରରୁ ଥରକେ ମାତ୍ର ୩୫୦ ମିଲିଲିଟର ରକ୍ତ ସଂଗ୍ରହ ହୁଏ । ରକ୍ତଦାନ କରିସାରିବା ପରେ ରକ୍ତଦାତା ସାମାନ୍ୟ ବିଶ୍ରାମ ପରେ ସମ୍ପୂର୍ଣ ସୁସ୍ଥ ଅନୁଭବ କରିପାରିବେ । ରକ୍ତଦାନ କରିବାର ୩୦ ମିନିଟ୍ ପରେ ଜଣେ ସାଧାରଣ କାର୍ଯ୍ୟ କରିବାକୁ ସମର୍ଥ ହୋଇପାରେ। ରକ୍ତଦାନର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ।
ଓଡ଼ିଶାରେ ବାର୍ଷିକ ୪.୨ଲକ୍ଷ ୟୂନିଟ ରକ୍ତର ଆବଶ୍ୟକ ରହିଛି। ଏହି ରକ୍ତ ରୋଗୀର ସଂପର୍କୀୟ ମାନେ ରକ୍ତଦାନ କରନ୍ତି ଓ ବିଶେଷ ଭାବରେ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ରକ୍ତଦାନ ଶିବିର କରି ସଂଗ୍ରହ କରାଯାଏ। ତଥାପି ଅନେକ ୟୂନିଟ ରକ୍ତ ଅଭାବ ରହିଯାଏ। ବୈଷୟିକ ଜ୍ଞାନ କୌଶଳର ଅଗ୍ରଗତି ସତ୍ତ୍ୱେ , ଏବେ ସୁଦ୍ଧା ରକ୍ତ ପାଇଁ କୌଣସି ବିକଳ୍ପ ନାହିଁ ଏବଂ ଏକ ୟୁନିଟ୍ ରକ୍ତ ତିନି ଜଣଙ୍କର ଜୀବନ ରକ୍ଷା କରି ପାରିବ। ଏହି କଥାର ଗୁରୁତ୍ଵକୁ ଅନୁଭବ କରି ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ୟୁଥ୍ ରେଡକ୍ରସ୍ ୟୁନିଟ ମାଧ୍ୟମରେ ରକ୍ତଦାନ ସଚେତନତା ଓ ରକ୍ତଦାନ ଶିବିର ଆୟୋଜନ କରୁଛନ୍ତି। ରକ୍ତଦାନ କ୍ଷେତ୍ରରେ ଯୁବ ରେଡକ୍ରସ୍ ର ଉଲ୍ଲେଖନୀୟ ଅବଦାନ ରହିଛି । ନିୟମିତ ରକ୍ତଦାତା ସଂଗ୍ରହ, ରକ୍ତଦାନ ଶିବିରର ଆୟୋଜକ, ରକ୍ତଦାନ ସଂପର୍କରେ ଥିବା ବିଶ୍ବାସ ଓ ଅନ୍ଧବିଶ୍ୱାସକୁ ସାଧାରଣ ଲୋକମାନଙ୍କ ମଧ୍ୟରେ ଉପସ୍ଥାପିତ କରି ଅନେକଙ୍କ ମୁଁହରେ ହସ ଫୁଟାଇ ପାରିଛି ଯୁବ ରେଡକ୍ରସ୍ । ଯୁବ ରେଡକ୍ରସ୍ ରକ୍ତଦାତା ପ୍ରେରଣାଦାତା ଭାବରେ ଅନେକ ସ୍ବେଛାସେବୀମାନଙ୍କୁ ସୃଷ୍ଟି କରିଛି। ତେଣୁ ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରକ୍ତଦାନ ଶିବିର ଆୟୋଜନ କରିଛନ୍ତି। ଯୁବ ରେଡକ୍ରସ୍ ଉପାନ୍ତ ଅଞ୍ଚଳରେ ମଧ୍ୟ ରକ୍ତଦାନ ଶିବିର ଆୟୋଜନ କରି ସାରା ଓଡ଼ିଶାରେ ଦୃଷ୍ଟି ଆକର୍ଷଣ କରିଛି। ଓଡ଼ିଶାର ୩୦ ଜିଲ୍ଲାରେ ବାର୍ଷିକ ୬୦୦ଟି ରକ୍ତଦାନ ଶିବିର ଆୟୋଜନ କରି ୩୦,୦୦୦ ୟୁନିଟ ରକ୍ତ ସଂଗ୍ରହ କରିବାରେ ସମର୍ଥ ହୋଇପାରନ୍ତି। ରକ୍ତଦାତା ସଂଗ୍ରହ ପାଇଁ ଯେଉଁ ପ୍ରେରଣାଦାୟୀ ବ୍ୟକ୍ତିମାନଙ୍କର ଆବଶ୍ୟକତା ରହିଛି , ସେତେ ପରିମାଣରେ ବ୍ୟକ୍ତି ଉପଲବ୍ଧ ହେଉନାହାନ୍ତି। ଅନେକ ବ୍ୟକ୍ତି ରକ୍ତଦାନ ପାଇଁ ଆଗ୍ରହୀ ଥିଲେ ମଧ୍ୟ ଭୟ ଓ ଭ୍ରାନ୍ତି ଯୋଗୁଁ ରକ୍ତଦାନ କରିପାରୁ ନାହାନ୍ତି। ଯୁବ ରେଡକ୍ରସ୍ ପରାମର୍ଶଦାତା ଓ ସ୍ବେଚ୍ଛାସେବୀମାନେ ରକ୍ତଦାତା ସଂଗ୍ରହ ପାଇଁ କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ଉପାନ୍ତ ଅଞ୍ଚଳରେ ମଧ୍ୟ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗ୍ରହ ସୃଷ୍ଟି କରୁଛନ୍ତି। ଓଡ଼ିଶାର ଉଚ୍ଚମାଧ୍ୟମିକ ବିଦ୍ୟାଳୟ, କଲେଜ ଓ ବିଶ୍ଵବିଦ୍ୟାଳୟ ମାନଙ୍କରେ ଯୁବ ରେଡକ୍ରସ୍ ଶାଖା ରହିଛି। ପ୍ରତ୍ୟେକ ଜିଲ୍ଲାରେ ଜଣେ ଆବାହକ ସଂପାଦକ,ଜଣେ ସଂଯୋଜକ ଓ ପ୍ରତି ୟୁନିଟ୍ ରେ ଜଣେ ପରାମର୍ଶଦାତା ରହନ୍ତି। ସେମାନଙ୍କ ମାଧ୍ୟମରେ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଅନ୍ୟ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରୁଛନ୍ତି। ଯୁବ ରେଡକ୍ରସ୍ ର ଲକ୍ଷ୍ୟ ୨୦୩୦ ବେଳକୁ ଶତ ପ୍ରତିଶତ ରକ୍ତଦାନ ହେବ। ସମସ୍ତେ ସଚେତନ ହେଲେ ଏହି ସଫଳତା ନିଶ୍ଚିତ ପାଇହେବ। ସେଥିପାଇଁ ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀମାନେ ଘର ଘର ବୁଲି ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। ସେମାନେ “ହର ଘର ରକ୍ତଦାତା” ସୃଷ୍ଟି କରୁଛନ୍ତି। ପ୍ରତ୍ୟେକ ପରିବାରର ଲୋକେ ରକ୍ତଦାନ ପାଇଁ ଆଗେଇ ଆସିଲେ ରକ୍ତ ଅଭାବରୁ କିଏ ମଧ୍ୟ ମୃତ୍ୟୁ ବରଣ କରିବେ ନାହିଁ। ସେଥିପାଇଁ ସରକାର ସମେତ ସମସ୍ତ ସ୍ବେଛାସେବୀ ସଂସ୍ଥା ଆଗେଇ ଆସି ସଚେତନ କରିବାର ଆବଶ୍ୟକତା ରହିଛି।
ମୋହନ ଚରଣ ବିଷି
ଗଡରାମାଲ, କୋକସରା, କଳାହାଣ୍ଡି
ମୋ- ୭୯୭୮୪୨୭୭୦୬





