ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଗତ ଦୁଇ ବର୍ଷ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ସରକାରୀ ବିଭାଗ ମାଧ୍ୟମରେ କାର୍ଯ୍ୟ କରାଯାଇଥିବା ଉନ୍ନୟନମୂଳକ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ଜିଲ୍ଲାର ସାମଗ୍ରିକ ବିକାଶକୁ ନୂଆ ଦିଗ ଦେଇଛି। ଜୀବିକା ସୃଷ୍ଟି, ଗ୍ରାମୀଣ ଭିତ୍ତିଭୂମି, ପର୍ଯ୍ୟଟନ, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ହଜାର ହଜାର ଲୋକଙ୍କ ଜୀବନମାନକୁ ସୁଧାରିବାରେ ସହାୟକ ହୋଇଛି। ବାଲେଶ୍ୱର ଜିଲ୍ଲାର ପ୍ରଗତି ଓ ବିକାଶ ମୂଳକ କାର୍ଯ୍ୟକ୍ରମ ଧାରାରେ ପ୍ରାଣୀସମ୍ପଦ ବିକାଶ କ୍ଷେତ୍ରରେ ଜିଲ୍ଲାର ୨,୧୭୧ ଜଣ ହିତାଧିକାରୀଙ୍କୁ ୩୫.୫୬ କୋଟି ଟଙ୍କାରୁ ଅଧିକ ସବସିଡି ପ୍ରଦାନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ୨,୪୬୨ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି। ଦୁଗ୍ଧ, ଛେଳି, ମେଣ୍ଢା, ଘୁଷୁରି ଓ କୁକୁଡ଼ା ପାଳନ ଯୋଜନା ମାଧ୍ୟମରେ ଶହ ଶହ ପରିବାର ଆର୍ଥିକ ଭାବେ ସଶକ୍ତ ହୋଇଛନ୍ତି। ସେହିପରି ଶିଳ୍ପ କ୍ଷେତ୍ରରେ PMFME ଯୋଜନା ମାଧ୍ୟମରେ ୧୨୭ଟି କ୍ଷୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିଥିବା ବେଳେ ପ୍ରାୟ ୨.୭୭ କୋଟି ଟଙ୍କାର ଆର୍ଥିକ ସହାୟତା ଅନୁମୋଦିତ ହୋଇଛି। ଏହା ଜିଲ୍ଲାରେ ଉଦ୍ୟୋଗ ଓ ରୋଜଗାର ସୁଯୋଗ ବୃଦ୍ଧିରେ ସହାୟକ ହୋଇଛି। ସାମାଜିକ ସୁରକ୍ଷା କ୍ଷେତ୍ରରେ ହଜାର ହଜାର ବୟୋଜ୍ୟେଷ୍ଠ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ପେନସନ ସୁବିଧା ପାଇଥିବା ବେଳେ ୩୩,୯୭୦ ଜଣଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ପଞ୍ଚଲିଙ୍ଗେଶ୍ୱର, ଚାନ୍ଦିପୁର, କ୍ଷୀରଚୋରା ଗୋପୀନାଥ ମନ୍ଦିର, ରାଇବଣିଆ ଦୁର୍ଗ, ବାଘା ଯତୀନ ସ୍ମୃତିପୀଠ ଓ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତିପୀଠର ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହା ପର୍ଯ୍ୟଟନ ଶିଳ୍ପ ସହିତ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ବାଲେଶ୍ୱର ଜିଲ୍ଲାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ ୬,୧୫୩ ଜଣଙ୍କୁ ଗୃହ ମଞ୍ଜୁର କରାଯାଇଥିବା ବେଳେ ୩,୭୩୮ଟି ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାରେ ୧,୮୨୫ଟି ପ୍ରକଳ୍ପ ସମାପ୍ତ ହୋଇଛି। ମହିଳା ସଶକ୍ତିକରଣ ଓ ଜୀବିକା ବିକାଶ କ୍ଷେତ୍ରରେ ମଧ୍ୟ ବିଭିନ୍ନ ପଦକ୍ଷେପ ସଫଳତାର ସହ ଆଗେଇଛି। ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ୬୧.୬୦ କୋଟି ଟଙ୍କା ବ୍ୟୟରେ ନୂତନ ସଡ଼କ ନିର୍ମାଣ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟ ସମ୍ପାଦିତ ହୋଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୦.୧୯ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିବା ବେଳେ ୧.୧୫ ଲକ୍ଷରୁ ଅଧିକ ଲୋକ କ୍ୟାଶଲେସ୍ ଚିକିତ୍ସା ସୁବିଧା ପାଇଛନ୍ତି। କୃଷି କ୍ଷେତ୍ରରେ MKUY ଓ IFS ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କାର ସବସିଡି ପ୍ରଦାନ କରାଯାଇଥିବା ବେଳେ ୩ ଲକ୍ଷରୁ ଅଧିକ CM-KISAN ଏବଂ ୨.୪୦ ଲକ୍ଷ PM-KISAN ହିତାଧିକାରୀ ଉପକୃତ ହୋଇଛନ୍ତି। ମନରେଗା ଯୋଜନା ଅଧୀନରେ ଦୁଇ ବର୍ଷରେ ୫୦ ଲକ୍ଷରୁ ଅଧିକ ମାନବ ଦିବସ ସୃଷ୍ଟି ହୋଇଛି।ବାଲେଶ୍ୱର ଜିଲ୍ଲାରେ ପାନୀୟ ଜଳ କ୍ଷେତ୍ରରେ ୧୭୨ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଓ ୧୦୪ଟି ସୌରଚାଳିତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ବେଳେ ନୀଳଗିରି ଓ ଖଇରା ମେଗା ପାନୀୟ ଜଳ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାଲେଶ୍ୱର ଜିଲ୍ଲାରେ ସାର୍ବିକ ଭାବେ, ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ଫଳରେ ବାଲେଶ୍ୱର ଜିଲ୍ଲାରେ ଉନ୍ନୟନ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ପ୍ରଗତି ଆଗାମୀ ଦିନରେ ଜିଲ୍ଲାର ସାମାଜିକ ଓ ଆର୍ଥିକ ବିକାଶକୁ ଆହୁରି ଗତିଶୀଳ କରିବ ବୋଲି ଆଶା କରାଯାଉଛି।





