ଆଦିବାସୀଙ୍କୁ ନେଇ ବିବାଦୀୟ ବୟାନ ମାମଲା: କ୍ଷମା ମାଗିଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଏକ କଥିତ ବିବାଦୀୟ ବୟାନକୁ ନେଇ ଏବେ ସ୍ଥାନୀୟ ରାଜନୀତି ସରଗରମ ହୋଇଛି। ଏକ ଘରୋଇ ଟିଭି ଚ୍ୟାନେଲରେ ଆଦିବାସୀ ସମାଜ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଆଜି ବିଧାୟକଙ୍କ ବିରୁଦ୍ଧରେ ପାଟଣାଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପାଟଣାଗଡ଼ ଜିଲ୍ଲା ଆଦିବାସୀ ସଂଘର ସଭାପତି ଭୁବନେଶ୍ୱର କୁଅଁର ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ୍ ଭୋଇଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଆଦିବାସୀ ନେତା ଓ କର୍ମୀ ପାଟଣାଗଡ଼ ଥାନାରେ ପହଞ୍ଚି ଏଫ୍‌ଆଇଆର୍‌ ଦେଇଛନ୍ତି। “ଜଣେ ଜନପ୍ରତିନିଧି ହୋଇ ସାଧାରଣ ଗଣମାଧ୍ୟମରେ ଏଭଳି ସମ୍ବେଦନଶୀଳ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ।” ଆଦିବାସୀ ସଂଘ ପକ୍ଷରୁ ପ୍ରଶାସନକୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଯଦି ଅଭିଯୋଗ ଆଧାରରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୁଦ୍ଧରେ ତୁରନ୍ତ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଏହା ଏକ ଭୟାବହ ରୂପ ନେବ। କେବଳ ବଲାଙ୍ଗୀର ଜିଲ୍ଲା ନୁହେଁ, ବରଂ ସାରା ରାଜ୍ୟରେ ସଂଘ ପକ୍ଷରୁ ବ୍ୟାପକ ଓ ତୀବ୍ର ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।
ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ ଏବେ ଏହା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ। ସେ ଏକ ଭିଡିଓ ବାର୍ତ୍ତା ଜାରି କରି ନିଜର ସ୍ପଷ୍ଟୀକରଣ ରଖିବା ସହ ସମଗ୍ର ଆଦିବାସୀ ସମାଜକୁ କ୍ଷମା ପ୍ରାର୍ଥନା କରିଛନ୍ତି। ଶ୍ରୀ ବାଗ କହିଛନ୍ତି ଯେ, ସେ ଉକ୍ତ ଟିଭି ଚ୍ୟାନେଲ୍‌ରେ ନିଜ ଅଞ୍ଚଳର କଥା କହିବା ବେଳେ “ଆଦିବାସୀ ଶୋଷିତ ଅଞ୍ଚଳ” ବୋଲି କହିବାକୁ ଚାହୁଁଥିଲେ। କଣ୍ଠ ଦବିଯିବା କାରଣରୁ ତାହା ଉଚ୍ଚାରଣରେ “ଆଦିବାସୀ ଦୂଷିତ” ଭଳି ଶୁଣାଯାଇଛି, ଯାହା ସେ ଆଦୌ କହିବାକୁ ଚାହୁଁନଥିଲେ। “ଯଦି ଅଜାଣତରେ ମୋ ଦ୍ଵାରା କୌଣସି ଭୁଲ୍ ହୋଇଛି, ତାହେଲେ ମୁଁ ଆପଣ ମାନଙ୍କ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି” ବୋଲି ବିଧାୟକ ପ୍ରକାଶ କରିଛନ୍ତି।ବିଧାୟକଙ୍କ କ୍ଷମା ପ୍ରାର୍ଥନା ପରେ ଆଦିବାସୀ ସଂଘ ଏହାକୁ ଗ୍ରହଣ କରୁଛି କିମ୍ବା ନିଜ ଆନ୍ଦୋଳନ ପନ୍ଥାରେ ଅଟଳ ରହୁଛି, ଏବଂ ପୋଲିସ ଏହି ମାମଲାରେ ଆଗକୁ କି ପଦକ୍ଷେପ ନେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.