ରାଜ୍ୟସ୍ତରୀୟ ଯୁବ ସାହିତ୍ୟିକ ସମାବେଶ “ପଲ୍ଲବନ” ଅନୁଷ୍ଠିତ

ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ସୃଜନ ସଳିତା ନବନୀତା ସାହିତ୍ୟ ପତ୍ରିକା ତରଫରୁ ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ଭବନରେ ରାଜ୍ୟସ୍ତରୀୟ ଯୁବ ସାହିତ୍ୟକ ସମାବେଶ “ପଲ୍ଲବନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ବତ ସମାରୋହରେ ବିଶିଷ୍ଟ କଥାକାର ପରେଶ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ କବି ଡକ୍ଟର ମନୋଜ କୁମାର ପଣ୍ଡା ମୁଖ୍ୟ ବକ୍ତା ଓ ବିଶିଷ୍ଟ ଗାଳ୍ପିକ ଆଦିତେଶ୍ୱର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ଜରିଆରେ ନୂଆ ପିଢ଼ିର କବି/ଲେଖକମାନଙ୍କୁ ଦିଗଦର୍ଶନ ଦେଇଥିଲେ। ସଭା ପ୍ରାରମ୍ଭରେ ଅତିଥିମାନେ ଗଛକୁଣ୍ଡରେ ପାଣି ଦେଇ ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦଘାଟନ କରିଥିଲେ। ଚର୍ଚ୍ଚିତ କଣ୍ଠଶିଳ୍ପୀ ଅଜିତ୍ କୁମାର ପାଣିଗ୍ରାହୀ ସ୍ବାଗତ ସଂଗୀତ ଗାନ କରିଥିଲେ ।

ପତ୍ରିକା ସମ୍ପାଦକ ତଥା ପ୍ରକାଶକ ରାଜେଶ ଝାଙ୍କର ସ୍ବାଗତ ଭାଷଣ ଦେଇଥିବା ବେଳେ ପ୍ରତିଷ୍ଠାତା ସମ୍ପାଦକ କ୍ଷେତ୍ରବାସୀ ନାଏକ ପଲ୍ଲବନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ପରେ ସମସ୍ତ ଅତିଥିମାନଙ୍କ ଗହଣରେ ସୃଜନ ସଳିତା ନବନୀତାର ପଲ୍ଲବନ ସଂଖ୍ୟା ୨୦୨୬ ଉନ୍ମୋଚନ କରାଯାଇଥିଲା।

ଏ ଅବସରରେ ଡୋଳାମଣି ମାଝୀ, ଦୂର୍ଗାଶିଷ ପଟ୍ଟନାୟକ, ଆନନ୍ଦ ସଗରିଆ, ଧର୍ମେନ୍ଦ୍ର ଚୁହାନ, ଦିନେଶ ଭୋଇ, ଐଶ୍ୱର୍ଯ୍ୟା ପ୍ରଧାନ, ଲୋପାମୁଦ୍ରା ଭୂତିଆ, ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ ପ୍ରମୁଖ ଓଡ଼ିଆ ସାହିତ୍ୟର ନୂତନ ସମ୍ଭାବନାର ସ୍ୱାକ୍ଷର ବହନ କରୁଥିବା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବଛା ହୋଇଥିବା ଆଠ ଜଣ କବି ଓ ଗାଳ୍ପିକମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏମାନେ ନିଜସ୍ଵ କବିତା ପାଠ କରିଥିବା ବେଳେ କବୟିତ୍ରୀ ରଞ୍ଜିତା ପଣ୍ଡା ଏହାକୁ ସଂଯୋଜନା କରିଥିଲେ। ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଶୀ ପଠିତ କବିତାଗୁଡିକ ସମ୍ପର୍କରେ ତାଙ୍କର ମତ ରଖିଥିଲେ। ଅଧ୍ୟାପକ ଜଗନ୍ନାଥ ସାହୁ ଓ ଅଧ୍ୟକ୍ଷ କୌତୁକ ପନ୍ଦର ସଭା ସଂଯୋଜନା କରିଥିବା ବେଳେ ପରିଚାଳନା ସମ୍ପାଦକ ଯୁଧିଷ୍ଠିର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.