‘ଉତ୍କଳ ଦର୍ପଣ’, ଇ-ପ୍ରତିକାର ଓ ଇ-ସମୀକ୍ଷାର ହେଲା ଶୁଭାରମ୍ଭ
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ଏହାର ନବରୂପରେ ସଜ୍ଜିତ ଅଧିକୃତ ୱେବସାଇଟ୍ ସହ ଅତ୍ୟାଧୁନିକ ଡିଜିଟାଲ ସେବା ପ୍ଲାଟଫର୍ମଗୁଡ଼ିକର ଶୁଭାରମ୍ଭ କରି ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ସହ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଗବେଷକ, ପୂର୍ବତନ ଛାତ୍ରଛାତ୍ରୀ ଏବଂ ସାଧାରଣ ଲୋକଙ୍କ ପାଇଁ ସେବାକୁ ଅଧିକ ସହଜ ଓ ସୁବିଧାଜନକ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି।
କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ଦ୍ୱାରା ଅଧ୍ୟାପକ, ଅଧିକାରୀ, ଛାତ୍ରଛାତ୍ରୀ ଏବଂ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ଏହି ଡିଜିଟାଲ ବ୍ୟବସ୍ଥା ଉନ୍ମୋଚିତ ହୋଇଯାଇଛି। ଏହି ପଦକ୍ଷେପ ଅଧୀନରେ ବିଶ୍ୱବିଦ୍ୟାଳୟର ନବକଳେବର ପ୍ରାପ୍ତ ଅଧିକୃତ ୱେବସାଇଟ୍ ‘ଉତ୍କଳ ଦର୍ପଣ’, ଅନଲାଇନ୍ ଛାତ୍ର ଅଭିଯୋଗ ନିରାକରଣ ବ୍ୟବସ୍ଥା ‘ଇ-ପ୍ରତିକାର’ ଏବଂ ନାକ୍ (NAAC) ମାନଦଣ୍ଡ ଆଧାରିତ ବିଶ୍ୱବିଦ୍ୟାଳୟର ସମନ୍ୱିତ ଡ୍ୟାସବୋର୍ଡ ‘ଇ-ସମୀକ୍ଷା’ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି ଡ୍ୟାସବୋର୍ଡ ମାଧ୍ୟମରେ ଛାତ୍ରଛାତ୍ରୀ, ଅଧ୍ୟାପକ, ବିଭାଗ ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନର ସଫଳତାର ଦସ୍ତାବିଜୀକରଣ ଓ ନିରନ୍ତର ସମୀକ୍ଷା କରାଯିବ।
ଏହି ଅବସରରେ କୁଳପତି ପ୍ରଫେସର ନନ୍ଦ କହିଥିଲେ ଯେ, ନୂତନ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଓଡ଼ିଶା ତଥା ଦେଶର ବିଭିନ୍ନ ପ୍ରାନ୍ତର ଲୋକ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ଅଧିକ ସୂଚନା ପାଇପାରିବେ। ଆଧୁନିକ ୱେବସାଇଟ୍ ମାଧ୍ୟମରେ ଶୈକ୍ଷିକ ଓ ପ୍ରଶାସନିକ ସୂଚନା ସହଜରେ ଉପଲବ୍ଧ ହେବା ସହ ଛାତ୍ରଛାତ୍ରୀମାନେ ପ୍ରଯୁକ୍ତିନିର୍ଭର ଅଭିଯୋଗ ନିରାକରଣ ବ୍ୟବସ୍ଥା ମାଧ୍ୟମରେ ସିଧାସଳଖ ପ୍ରଶାସନ ସହ ଯୋଗାଯୋଗ କରି ଶୀଘ୍ର ସମାଧାନ ପାଇପାରିବେ।
ସେ କହିଥିଲେ ଯେ, ଏହି ପଦକ୍ଷେପ ବିଶ୍ୱବିଦ୍ୟାଳୟର ସ୍ୱଚ୍ଛତା, ଡିଜିଟାଲ ନବସୃଜନ ଏବଂ ଶୈକ୍ଷିକ ଉତ୍କର୍ଷ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରତିଫଳନ। କମ୍ପ୍ୟୁଟର ସେଣ୍ଟରର ପ୍ରଭାରୀ ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ଡା କହିଥିଲେ ଯେ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ଆଡମିଶନ ସମ୍ପର୍କିତ ସୂଚନା, ଅଧ୍ୟାପକଙ୍କ ପ୍ରୋଫାଇଲ, ଶୈକ୍ଷିକ ତଥ୍ୟ ଓ ଅନ୍ୟାନ୍ୟ ସେବା ସହଜରେ ଉପଲବ୍ଧ କରାଇବା ପାଇଁ ବିଶ୍ୱବିଦ୍ୟାଳୟ ଏହାର ଡିଜିଟାଲ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବ। ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ପ୍ରଶାସନିକ ଆବଶ୍ୟକତା ଅନୁଯାୟୀ ଏହି ଡିଜିଟାଲ ବ୍ୟବସ୍ଥାର କ୍ରମାଗତ ବିକାଶ ଜାରି ରହିବ।
ଏହି ନୂତନ ୱେବସାଇଟ୍ ଓ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପାଚାର୍ଯ୍ୟ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ମାର୍ଗଦର୍ଶନରେ ବିକଶିତ ହୋଇଥିବାବେଳେ ପ୍ରଫେସର ମୃତ୍ୟୁଞ୍ଜୟ ପଣ୍ଡା ଏହାର ତଦାରଖ କରୁଛନ୍ତି। ଭୁବନେଶ୍ୱରସ୍ଥିତ NIC OSCର ବୈଜ୍ଞାନିକ-ଏଫ୍ ଓ ବରିଷ୍ଠ ନିର୍ଦ୍ଦେଶକ (ଆଇଟି) ଶ୍ରୀ ସମ୍ବିତ କୁମାର ପଣ୍ଡାଙ୍କ ନେତୃତ୍ୱରେ ବୈଷୟିକ ସହଯୋଗ ପ୍ରଦାନ କରାଯାଇଛି। ଆଗାମୀ ଦିନରେ ମଧ୍ୟ ବିଶ୍ୱବିଦ୍ୟାଳୟର ଡିଜିଟାଲ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ସମ୍ପୂର୍ଣ୍ଣ ସହଯୋଗ ଜାରି ରହିବ ବୋଲି NIC ପକ୍ଷରୁ ଆଶ୍ୱାସନ ଦିଆଯାଇଛି। ଏହି ପଦକ୍ଷେପ ଏକ ସ୍ୱଚ୍ଛ, ପ୍ରଯୁକ୍ତିନିର୍ଭର ଓ ଛାତ୍ରକୈନ୍ଦ୍ରିକ ବିଶ୍ୱବିଦ୍ୟାଳୟ ଗଠନ କରିବାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦୃଷ୍ଟିଭଙ୍ଗୀକୁ ଆହୁରି ସୁଦୃଢ଼ କରିବା ସହ ପ୍ରତିଷ୍ଠାନିକ ପ୍ରଶାସନ ଓ ଜନସମ୍ପୃକ୍ତିକୁ ଅଧିକ ଶକ୍ତିଶାଳୀ କରିବ।





