ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବରାଡଙ୍ଗା ଗ୍ରାମ ପଞ୍ଚାୟତରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ ସୁବିଧା ତଥା ସରକାରୀ ସେବା ପ୍ରଦାନ ନିମନ୍ତେ ନିର୍ମିତ ହୋଇଥିବା ପଞ୍ଚାୟତ ସେବା କେନ୍ଦ୍ର ଏବେ ଏକ ଘରୋଇ ଠିକା କମ୍ପାନୀର ଶ୍ରମିକ ଓ କର୍ମଚାରୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଗତ ୪-୫ ମାସ ହେବ ଏହି ସରକାରୀ ଗୃହରେ ଠିକା ଶ୍ରମିକମାନେ ବେଆଇନ ଭାବେ ରହୁଥିବା ଦେଖିବାକୁ ମିଳିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧାରଣତଃ କୌଣସି ଠିକା ସଂସ୍ଥା ସ୍ଥାନୀୟ ଅଞ୍ଚଳରେ ସରକାରୀ କାର୍ଯ୍ୟ କଲେ, ସେମାନେ ନିଜସ୍ବ ବ୍ୟବସ୍ଥାରେ କ୍ୟାମ୍ପ କରିବା କିମ୍ବା ଘର ଭଡ଼ା ନେଇ ରହିବା ନିୟମ ରହିଛି। କିନ୍ତୁ କେଉଁ ପରିସ୍ଥିତିରେ ଏବଂ କାହା ଛତ୍ରଛାୟାରେ ଏହି ସରକାରୀ କେନ୍ଦ୍ରକୁ ଘରୋଇ କମ୍ପାନୀକୁ ଟେକି ଦିଆଯାଇଛି, ତାହା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅଗୋଚରରେ ହୋଇଛି ନା ଏଥିରେ କାହାର ମଧୁଚନ୍ଦ୍ରିକା ରହିଛି, ସେ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଥିବା ବେଳେ ପ୍ରାକୃତିକ ବିପର୍ଯ୍ୟୟର ଆଶଙ୍କା ରହିଛି। ଯଦି କୌଣସି ଜରୁରୀ ପରିସ୍ଥିତି ଉପୁଜେ, କାହାର ଗୃହ ଭାଙ୍ଗିଯାଏ କିମ୍ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ପ୍ରଭାବିତ ଲୋକଙ୍କୁ କେଉଁଠାରେ ଥଇଥାନ କରାଯିବ ସେ ନେଇ ଜନସାଧାରଣ ଚିନ୍ତା ପ୍ରକଟ କରିଛନ୍ତି। ସରକାରୀ ସମ୍ପତ୍ତିର ଏଭଳି ଅପବ୍ୟବହାରକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ଏବଂ ଏହାର ତୁରନ୍ତ ତଦନ୍ତ କରି ଘରୋଇ ଠିକା କମ୍ପାନୀର ଶ୍ରମିକମାନଙ୍କୁ ସେଠାରୁ ହଟାଇବା ପାଇଁ ଦାବି ହେଉଛି। ଏନେଇ ବରାଡଙ୍ଗା ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ ମେହେରଙ୍କ ପ୍ରତିକ୍ରିୟା ନେବାରୁ ମେଗା ପ୍ରକଳ୍ପ ପାଇପ୍ ଲାଇନ୍ ପକାଉଥିବା ଲୋକଙ୍କୁ କିଛି ଦିନ ପାଇଁ ଦିଆ ଯାଇଥିଲା, ବର୍ତ୍ତମାନ ସେମାନେ ରହିଛନ୍ତି କି ନାହିଁ ଆମ ପାଖରେ ଖବର ନାହିଁ ବୋଲି ପ୍ରକାଶ କରିଛନ୍ତି।






