ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ନିଟ୍-ୟୁଜି (NEET-UG) ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ କ୍ରମାଗତ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗକୁ ନେଇ ରାୟଗଡ଼ାରେ ଛାତ୍ର ଅସନ୍ତୋଷ ତୀବ୍ର ରୂପ ନେଇଛି। ଏହି ଘଟଣାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସ୍ଥାନୀୟ ଛାତ୍ର,ଯୁବକ ଓ ସଚେତନ ନାଗରିକଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ର ରେ ଉଲେଖ ଥିବା ପ୍ରମୁଖ ଦାବିଗୁଡ଼ିକ: ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା: ପ୍ରଶ୍ନପତ୍ର ଲିକ୍ ପାଇଁ ନୈତିକ ଦାୟିତ୍ୱ ନେଇ ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ । ସ୍ୱାଧୀନ ନ୍ୟାୟିକ ତଦନ୍ତ: ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏନଟିଏ (NTA) ପରିଚାଳନାଗତ ଦୁର୍ନୀତିର ସମୟବଦ୍ଧ ତଦନ୍ତ କରାଯାଉ । ବ୍ୟବସ୍ଥାରେ ସଂସ୍କାର: ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ର ପୁନର୍ଗଠନ କରାଯାଇ ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରାଯାଉ । ଛାତ୍ର କଲ୍ୟାଣ ଢାଞ୍ଚା:କ୍ଷତିଗ୍ରସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ସବୁ ରାଜ୍ୟରେ ଏକ ଜରୁରୀକାଳୀନ ସହାୟତା ବ୍ୟବସ୍ଥା ପ୍ରସ୍ତୁତ କରାଯାଉ । ସଂସଦରେ ସ୍ୱତନ୍ତ୍ର ବିତର୍କ: ଚାଲିଥିବା ମୌସୁମୀ ଅଧିବେଶନରେ ଶିକ୍ଷାଗତ ସଙ୍କଟ ଉପରେ ସଂସଦରେ ଏକ ସ୍ୱତନ୍ତ୍ର ବିତର୍କ ଆରମ୍ଭ କରାଯାଉ । ଯନ୍ତର-ମନ୍ତର ଘଟଣାକୁ ତୀବ୍ର ନିନ୍ଦା: ଦିଲ୍ଲୀର ଯନ୍ତର- ମନ୍ତର ଠାରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଦାବି ନେଇ ଶାନ୍ତିପୂର୍ଣ୍ଣ ଭୋକ ହରତାଳ କରୁଥିବା ବିଶିଷ୍ଟ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ ଏବଂ ଅନ୍ୟାନ୍ୟ ଆନ୍ଦୋଳନକାରୀଙ୍କୁ ପୋଲିସ ବଳପୂର୍ବକ ଉଠାଇ ନେବା ଘଟଣାକୁ ରାୟଗଡ଼ାର ଛାତ୍ରନେତା ତୁଷାରକାନ୍ତ ତୁରୁକ ଏବଂ ସଞ୍ଜୀବ ନାୟକ ଦୃଢ଼ ନିନ୍ଦା କରିଛନ୍ତି । ଏହି ଭଳି ପୋଲିସ କାର୍ଯ୍ୟାନୁଷ୍ଠାନକୁ ସେମାନେ ‘ଗଣତନ୍ତ୍ରର ହତ୍ୟା’ ସହ ତୁଳନା କରିବା ସହ ଆନ୍ଦୋଳନ କାରୀଙ୍କୁ ରାୟଗଡ଼ାରୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଏହି ପ୍ରସଙ୍ଗରେ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରିବାକୁ ସେମାନେ ନିବେଦନ କରିଛନ୍ତି ।





