ସର୍ଗିଗୁଡ଼ା ସାନ୍ଦୁଲ ନଦୀ କୂଳରୁ ପୁଣି ଦୁଇଗୋଟି ମୋଟର ଚୋରୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସାନ୍ଦୁଲ ନଦୀ କୂଳରେ ଉଠା ଜଳସେଚନ ବିଭାଗ ତରଫରୁ ବସିଥିବା ଦୁଇଗୋଟି ୧୨ ଏଚପି କ୍ଷମତା ସମ୍ପନ୍ନ ମୋଟରକୁ ଦୁର୍ବୃତ୍ତମାନେ ରବିବାର ରାତିରେ ଚୋରୀ କରି ନେଇଯାଇଥିବା ଜଣାପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ଜୁଲାଇ ୬ ରେ ଭିମକେଲା ଓ ପଲସାପଡା ସାନ୍ଦୁଲ ନଦୀ ତଟସ୍ଥ ବିଭିନ୍ନ ଗ୍ରାମରୁ ୪ ଗୋଟି ମୋଟର ଚୋରୀ ହୋଇଥିଲା। ସାନ୍ଦୁଲ ନଦୀ କୂଳରେ ସର୍ଗିଗୁଡ଼ା ଓ ବେହେରାପାଟି ଚାଷୀ ମାନଙ୍କ ଜମିରେ ପାଣି ମଡେଇ ଚାଷ କରିବା ପାଇଁ ୯ ଗୋଟି ମୋଟର ଲାଗିଛି ବିଭିନ୍ନ ସ୍ଥାନରେ। ଏଵଂ ଏ ସବୁ ଗୁଡିକର ପରିଚାଳନା ପାଇଁ ପାଣି ପଞ୍ଚାୟତ ସବୁ ଗଠିତ ହୋଇଥିବା ଜଣାପଡିଛି। ମା ମାଉଲି ପାଣି ପଞ୍ଚାୟତ ଅଧିନରେ ଚାଲୁଥିବା ୪ ନମ୍ବର ଲିଫ୍ଟ ପଏଣ୍ଟ ଓ ମା ମାଣିକେଶ୍ୱରୀ ପାଣି ପଞ୍ଚାୟତ ଅଧିନରେ ଚାଲୁଥିବା ୫ ନମ୍ବର ଲିଫ୍ଟ ପଏଣ୍ଟ ରୁ ଦୁଇଗୋଟି ମୋଟର ଚୋରୀ ହୋଇଥିବା ଦେଖିବାକୁ ମିଳିଛି। ଅଞ୍ଚଳର ଚାଷୀଙ୍କ ଅନୁରୋଧ କ୍ରମେ ୨୦୧୭ ମସିହାରେ ସରକାର ଏହି ଲିଫ୍ଟ ପଏଣ୍ଟ ସବୁ ସ୍ଥାପନା କରିଛନ୍ତି। ପାଣି ପଞ୍ଚାୟତ ଅଧିନରେ ଚାଲୁଥିବା ଏସବୁ ଲିଫ୍ଟ ପଏଣ୍ଟ ର ବିଦ୍ୟୁତ ବିଲ ମଧ୍ଯ ପାଣି ପଞ୍ଚାୟତ ଅଧିନରେ ଥିବା ସମ୍ପୃକ୍ତ ଚାଷୀ ମାନେ ପୈଠ କରିଥାନ୍ତି। ଦୁଇଗୋଟି ମୋଟର ଚାଲିବା ପାଇଁ ସରକାର ଦୁଇଗୋଟି ଟ୍ରାନସଫର୍ମରର ଵ୍ୟଵସ୍ଥା ମଧ୍ଯ କରିଛନ୍ତି ନଦୀ କୂଳରେ। ଏହି ଦୁଇ ପାଣି ପଞ୍ଚାୟତ ଅଧିନରେ ଥିବା ୪୫ ଜଣ ଚାଷୀଙ୍କ ୭୦ ଏକର ଜମି ଚାଷ ହେଉଥିବା ଜଣାପଡିଛି। ଚାଷୀ ମାନେ ଶୁକ୍ରବାର ବିଦ୍ୟୁତ ବିଲ ପୈଠ କରିବା ପରେ ସୋମବାର ସକାଳୁ ଜମିରେ ପାଣି ଲଗେଇବା ପାଇଁ ମୋଟର ଚଲେଇବା ନିମନ୍ତେ ଆସି ଦେଖିଲେ ସେମାନଙ୍କ ମୋଟର ଦୁଇଗୋଟି ଚୋରୀ ହୋଇଯାଇଛି। ଏବେ ଚାଷର ସମୟ। ଲଗାତାର ଦୁଇଗୋଟି ଲଘୁଚାପ ଜନିତ ବର୍ଷାରେ ପାଣି ହେବାରୁ କିଏ ଧାନ ବୁଣିଛି ତ କିଏ ତଳି ପକେଇଛି। ଏବେ ମୋଟର ଯୋଗେ ଜମିରେ ପାଣି ଲଗେଇଲେ ବେଳା ବେଳି ଧାନ ରୋଇବେ। ହେଲେ ଚୋର ଚାଷୀଙ୍କ ସ୍ୱପ୍ନକୁ ଧୂଳିସାତ କରିଦେଲା। ଗରୀବ ଚାଷୀ ମାନେ ଏବେ ମୋଟର ପାଇଁ ଟଙ୍କା ଖର୍ଚ୍ଚ କରିବେ ନା ଧାନ ରୁଆ, ବେଉଷଣ, ସାର ଓ ଔଷଧ ପାଇଁ ଟଙ୍କା ଖର୍ଚ୍ଚ କରିବେ। ଏ ନେଇ ଚିନ୍ତାରେ ମୁଣ୍ତରେ ହାତ ଦେଇ ବସିଛନ୍ତି ଚାଷୀ। ମୋଟର ଚୋରୀ ଘଟଣାକୁ ନେଇ ଏହି ଦୁଇ ପାଣି ପଞ୍ଚାୟତ ଅଧିନସ୍ଥ ଚାଷୀ ପ୍ରଫୁଲ୍ଲ ନାଗ, ସନ୍ତୋଷ ବିଶ୍ଵାଳ, ଗଣେଷ ବଗର୍ତ୍ତି, ପୂର୍ଣ୍ଣଚନ୍ଦ୍ର ବେହେରା, ଲୋଚନ ଗଉଡ, ଅନୀଲ ମିଶ୍ର, ସାନୁ ସୁନା ପ୍ରମୁଖ ନର୍ଲା ଥାନାରେ ଏତେଲା ଦାଏର କରିଛନ୍ତି। ଷ୍ଟେସନ ଡାଏରୀ ନଂ ୦୦୬ ତା ୨୦/୭ ରେ ଏତେଲା ରଖି ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ଏବେ ଚାଷୀ ବିଭାଗୀୟ ଏସଡିଓଙ୍କୁ ଗୁହାରୀ କରିବେ ମୋଟର ଦୁଇଟି ଯୋଗାଇ ଦେବାପାଇଁ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଗତ ୪ ମାସ ମଧ୍ୟରେ ୨୪ ରୁ ଉର୍ଦ୍ଧ୍ବ ଚୋରୀ, ଡକାୟତି ଓ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ ଭଳି ଘଟଣା ସଂଘଟିତ ହୋଇଛି। ଗତ ମାସରେ ଥାନା ସମ୍ମୁଖସ୍ଥ ଜିନମାତା କପଡା ଦୋକାନ ଚୋରୀ ହୋଇଥିବା ବେଳେ ଗତ ସପ୍ତାହରେ ରୁପ୍ରାରୋଡ ଅଳଙ୍କାର ଦୋକାନ ରେ କଳାକନା ବୁଲାଇଛନ୍ତି ଚୋର। ଶନିବାର ରାତିରେ ଘରେ ତାଲା ବନ୍ଦଥିବା ଜାଣି ତୁଳାପଡାର ସତ୍ୟବ୍ରତ ଦାସଙ୍କ ଘର ଝରକା ଗ୍ରିଲ ତାଡ଼ି ସୁନା, ରୂପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଚୋରୀ ହୋଇଥିବା ନେଇ ନର୍ଲା ଥାନାରେ ଏତଲା ଦାଏର ହୋଇଛି। ନର୍ଲାରେ ଦିନକୁ ଦିନ ଚୋରୀ, ଡକାୟତି, ରାହାଜାନୀ ବଢି ଚାଲିଥିବା ବେଳେ ଧରା ପଡୁନାହାନ୍ତି ଚୋର। ଥାନରେ ଷ୍ଟାଫ କମ ଥିବାରୁ ଠିକ ଭାବରେ ପେଟ୍ରୋଲିଂ ହୋଇ ପାରୁ ନଥିବା ଜଣାପଡିଛି। ନର୍ଲା ଅଞ୍ଚଳରେ ଏଭଳି ବାରମ୍ବାର ଚୋରୀ, ଡକାୟତି ବଢି ଚାଲିଥିବାରୁ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଥିବା ବେଳେ ସଧାରଣ ଲୋକେ ଭୀତତ୍ରସ୍ତ। ଏଥିପ୍ରତି କଳାହାଣ୍ଡି ଏସପି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.