ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୌରାଣିକ ଆଖ୍ୟାନ ଓ କିମ୍ବଦନ୍ତୀ ଅନୁସାରେ ଦ୍ଵାପର ଯୁଗରେ ମହାପ୍ରତାପୀ ରାଜା ଗୋସିଙ୍ଗ ଦୈତ୍ୟ ଦେବଗିରିରେ ଶିବ ଉପାସନା କରୁଥିଲେ। ତାଙ୍କ ରାଜଧାନୀ ଅସୁରଗଡ଼ରୁ ପ୍ରତିରକ୍ଷା ଘାଟି ଦେବଗିରି ପର୍ଯ୍ୟନ୍ତ ଲମ୍ବିଛି ସୁଡ଼ଙ୍ଗ ପଥ। ଏହି ସୁଡ଼ଙ୍ଗ ପଥରେ ଆସି ଦେବଗିରି ପର୍ବତର ଗୁମ୍ଫା ମଧ୍ୟରେ ଶିବଲିଙ୍ଗଙ୍କୁ ପୂଜା କରୁଥିଲେ ମହିଷାସୁରଙ୍କ ପଣନାତି ଗୋସିଙ୍ଗ ଦୈତ୍ୟ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ବୁଢୀପଦର ସ୍ଥିତ ଦେବଗିରି ମଠର ଗୁମ୍ଫା ମଧ୍ୟରେ ଆଜି ମଧ୍ୟ କ୍ଷୟ ଅବସ୍ଥାରେ ରହିଛି ଗୋସିଙ୍ଗ ଦୈତ୍ୟଙ୍କ ପୂଜିତ ଶିବଲିଙ୍ଗ। ଆଜି ପବିତ୍ର ଶ୍ରାବଣ ପ୍ରଥମ ସୋମବାରରେ ଶହଶ୍ରାଧିକ ଭକ୍ତ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ତିନି ହଜାର ବର୍ଷର କିର୍ତ୍ତି ବହନ କରୁଥିବା ଦେବଗିରି ପ୍ରାଚୀନ ମହାକାନ୍ତାର ସଭ୍ୟତାର ଧାର୍ମିକ ପିଠସ୍ଥଳୀ ତଥା ଅସୁରଗଡ଼ ଦୁର୍ଗର ପ୍ରତିରକ୍ଷା ଘାଟି ଭାବେ ଖ୍ୟାତ। ଏହି ସ୍ଥାନ ଐତିହାସିକ, ପ୍ରତ୍ନତାତ୍ତ୍ବିକ ଓ ପୌରାଣିକ ବିଭବରେ ପରିପୂର୍ଣ୍ଣ। ଭବାନୀପାଟଣା ଠାରୁ ୩୦ କିମି ଦୂରରେ ଥିବା ଦେବଗିରି ପ୍ରକୃତିର ମନୋରମ ପରିବେଶ ମଧ୍ୟରେ ରହିଥିବା ତଥା ପ୍ରାଚୀନ କିର୍ତ୍ତିରାଜି ଦେଖିବାକୁ ପର୍ଯ୍ୟଟକଙ୍କ ସୂଅ ଛୁଟିବାରେ ଲାଗିଥାଏ। ଓଡ଼ିଶା ହିନ୍ଦୁ ଦେବୋତ୍ତର ବିଭାଗ ଅଧୀନରେ ଥିବା ଦେବଗିରି ମଠରେ ମହାଶିବରାତ୍ରୀ, ରଥଯାତ୍ରା, ନବରାତ୍ର, ଜନ୍ମାଷ୍ଟମୀ, ଦୋଳ ଉତ୍ସବ ଆଦି ମୂଖ୍ୟ ପର୍ବପର୍ବାଣୀ ପାଳିତ ହେଉଥିବାବେଳେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ମଧ୍ୟ ପ୍ରବଳ ଭକ୍ତ ସମାଗମ ହୋଇଥାଏ। ଆଜି ଚଳିତବର୍ଷ ଶ୍ରାବଣର ପ୍ରଥମ ସୋମବାର ହୋଇଥିବାରୁ ଦୂର ଦୂରାନ୍ତରୁ ମହାଦେବଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁମାନେ ଛୁଟି ଆସିଥିଲେ। ଏହି ଅବସରରେ ମଠରେ ଏକ ଆଦର୍ଶ ବିବାହ ମଧ୍ୟ ସଂପାଦିତ ହୋଇଥିଲା। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ଗୋପାଳ ସେବକ ଟିକେ ଗଉଡ ଆଦି ପୂଜାକାର୍ଯ୍ୟ ସମ୍ପାଦନ କରିଥିବାବେଳେ ଟ୍ରଷ୍ଟ ବୋର୍ଡ଼ ସଦସ୍ୟମାନେ ସହଯୋଗ କରିଥିଲେ।





