ଡିପ୍ଲୋମା ପଢ଼ି ମଧ୍ୟ କୁଲି କାମ କରୁଛନ୍ତି ଆଦିବାସୀ ଯୁବତୀ ସୁକାନ୍ତି

କୋରାପୁଟର ଶିକ୍ଷିତ ଯୁବତୀଙ୍କ ଜୀବନ ସଂଘର୍ଷ ପ୍ରଶାସନ ପାଇଁ ବଡ଼ ପ୍ରଶ୍ନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇପୁଟ ପଞ୍ଚାୟତର ମଣ୍ଡଗୁଡ଼ା ଗ୍ରାମର ଆଦିବାସୀ ଯୁବତୀ ସୁକାନ୍ତି ପରଜାଙ୍କ ଜୀବନ ସଂଘର୍ଷ ଆଜି ସମାଜ ସମ୍ମୁଖରେ ଏକ କଠୋର ବାସ୍ତବତାକୁ ଉଜାଗର କରିଛି। ଡିପ୍ଲୋମା ପର୍ଯ୍ୟନ୍ତ ଶିକ୍ଷା ଲାଭ କରିଥିଲେ ମଧ୍ୟ ଯୋଗ୍ୟତା ଅନୁଯାୟୀ ଚାକିରି ନମିଳିବାରୁ ସେ ବର୍ତ୍ତମାନ କୁଲି ମଜୁରୀ କରି ଜୀବନ ନିର୍ବାହ କରୁଛନ୍ତି। ଏହି ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା ବେଳେ ସୁକାନ୍ତି କହିଥିଲେ ଯେ, ତାଙ୍କ ବାପା-ମା’ ଦିନମଜୁରୀ କରି ଅତ୍ୟନ୍ତ କଷ୍ଟରେ ତାଙ୍କୁ ସିଦ୍ଧାର୍ଥ ଇଞ୍ଜିନିୟରିଂ କଲେଜରେ ଡିପ୍ଲୋମା ପର୍ଯ୍ୟନ୍ତ ପଢ଼ାଇଥିଲେ। ଶିକ୍ଷା ସମାପ୍ତ ପରେ ଏକ ଭଲ ଚାକିରିର ଆଶା ରଖିଥିଲେ ମଧ୍ୟ ଭାଗ୍ୟ ତାଙ୍କ ସାଥୀ ହୋଇନଥିଲା। ଏହାରି ମଧ୍ୟରେ ବାପା-ମା’ଙ୍କ ଦେହାନ୍ତ ଘଟିବା ପରେ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିଲା। ଅନେକ ସ୍ଥାନରେ ଚାକିରି ପାଇଁ ଆବେଦନ ଓ ପ୍ରୟାସ କରିଥିଲେ ମଧ୍ୟ ସଫଳତା ମିଳିନଥିଲା। ଶେଷରେ ପେଟ ପୋଷିବା ପାଇଁ ସେ କୋରାପୁଟ ସହରରେ କୁଲି ମଜୁରୀ କରିବାକୁ ବାଧ୍ୟ ହୋଇଛନ୍ତି। ବାପା-ମା’ଙ୍କ ମୃତ୍ୟୁ ପରେ ସୁକାନ୍ତି ମସ୍ତିପୁଟ ପଞ୍ଚାୟତର ଡଙ୍ଗ୍ରି ଗ୍ରାମର ଖଗ ମୁଦୁଲୀଙ୍କୁ ବିବାହ କରିଥିଲେ। ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଉଭୟେ ଦିନମଜୁରୀ କରି ପରିବାର ଚଳାଉଛନ୍ତି। ଜଣେ ଡିପ୍ଲୋମାଧାରୀ ଆଦିବାସୀ ଯୁବତୀଙ୍କୁ ନିଜ ଶିକ୍ଷା ଓ ଯୋଗ୍ୟତା ଅନୁଯାୟୀ କାମ ନମିଳି ଦିନମଜୁରୀ କରିବାକୁ ପଡ଼ୁଥିବା ଘଟଣା ରାଜ୍ୟର ରୋଜଗାର ବ୍ୟବସ୍ଥା ଓ ଶିକ୍ଷିତ ବେକାରଙ୍କ ସ୍ଥିତିକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି ଯେ, ସୁକାନ୍ତିଙ୍କ ପରି ଶିକ୍ଷିତ ଆଦିବାସୀ ଯୁବକ-ଯୁବତୀଙ୍କୁ ସେମାନଙ୍କ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଉ ଏବଂ ଆବଶ୍ୟକ ସରକାରୀ ସହାୟତା ପ୍ରଦାନ କରାଯାଉ। ଏଭଳି ଘଟଣା କେବଳ ଜଣେ ଯୁବତୀଙ୍କ ବ୍ୟକ୍ତିଗତ ସଂଘର୍ଷର କାହାଣୀ ନୁହେଁ, ବରଂ ଶିକ୍ଷିତ ବେକାରଙ୍କ ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.