ବାଲେଶ୍ୱରରେ ଶୀଘ୍ର କାର୍ଯ୍ୟକ୍ଷମ ହେବ ଡପଲର ରାଡାର ଷ୍ଟେସନ : ୨୫୦ କିମି ପରିଧିରେ ବାତ୍ୟା, ବଜ୍ରପାତ ଓ ପ୍ରବଳ ବର୍ଷାର ମିଳିବ ଆଗୁଆ ସୂଚନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍ତର ଓଡ଼ିଶାର ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ବାଲେଶ୍ୱରରେ ନିର୍ମାଣାଧୀନ ଅତ୍ୟାଧୁନିକ ଡପଲର ରାଡାର ଷ୍ଟେସନ ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଜିଲ୍ଲା ସଦର ବ୍ଲକର ହିଡିଗାଁ ଅଞ୍ଚଳରେ ନିର୍ମିତ ଚାରି ମହଲା ବିଶିଷ୍ଟ ରାଡାର ଭବନରେ ରାଡାର ସ୍ଥାପନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ହାଇଦ୍ରାବାଦସ୍ଥିତ ଆଷ୍ଟ୍ରା କମ୍ପାନୀର ବିଶେଷଜ୍ଞ ଇଞ୍ଜିନିୟର ଦଳ ରାଡାର ସ୍ଥାପନ କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ ବାଲେଶ୍ୱର ପିଡବ୍ଲୁଡିର ବରିଷ୍ଠ ଇଞ୍ଜିନିୟରମାନେ ସମନ୍ୱୟ ଓ ବୈଷୟିକ ସହଯୋଗ ଯୋଗାଇ ଦେଉଛନ୍ତି। ସ୍ଥାନୀୟ ସ୍ତରରେ ସମଗ୍ର ପ୍ରକଳ୍ପର ତଦାରଖ କରୁଛନ୍ତି ବାଲେଶ୍ୱର ପାଣିପାଗ କେନ୍ଦ୍ରର ଅଧିକାରୀ ମଦନ ମୋହନ ଦାସ। ସେପଟେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର ନୂଆଦିଲ୍ଲୀରୁ ପ୍ରକଳ୍ପର ଅଗ୍ରଗତି ଉପରେ ନିୟମିତ ନଜର ରଖିଛନ୍ତି। ରାଡାର ଷ୍ଟେସନ ପରିସରରେ ନୂତନ ପ୍ରୟୋଗଶାଳା ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇ ସାରିଛି। ବର୍ତ୍ତମାନ ମୁଖ୍ୟ ରାଡାର ଉପକରଣ ସ୍ଥାପନ ପର୍ଯ୍ୟାୟ ଚାଲିଥିବାରୁ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଡପଲର ରାଡାର କାର୍ଯ୍ୟକ୍ଷମ ହେଲେ ବାଲେଶ୍ୱର ସମେତ ସମଗ୍ର ଉପକୂଳ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବିସ୍ତୃତ ଅଞ୍ଚଳର ପାଣିପାଗ ସମ୍ପର୍କିତ ସଠିକ ତଥ୍ୟ ମିଳିପାରିବ। ବିଶେଷକରି ବାତ୍ୟା, ଘୂର୍ଣ୍ଣିବଳୟ, ବଜ୍ରପାତ ଓ ଅତିପ୍ରବଳ ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳିବା ଫଳରେ ପ୍ରଶାସନ ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ନେଇପାରିବ। ଏହା ଧନ ଓ ଜୀବନହାନି ରୋକିବାରେ ଫଳପ୍ରସୂ ଭୂମିକା ନେବ ବୋଲି ପାଣିପାଗ ବିଜ୍ଞାନୀମାନେ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ଚାନ୍ଦିପୁର ନିକଟସ୍ଥ ନୂଆନଈ ଅଞ୍ଚଳରେ ପ୍ରାୟ ୩ ଏକର ଜମି ଉପରେ ଏହି ରାଡାର ଷ୍ଟେସନ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାୟ ୫ କୋଟି ୧୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଭବନ ବିଭିନ୍ନ କାରଣରୁ ଦୀର୍ଘଦିନ ଧରି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ି ରହିଥିଲା। ତେବେ ୨୦୨୪ ଜୁନ୍‌ରେ ପ୍ରକଳ୍ପ କାର୍ଯ୍ୟ ପୁନର୍ବାର ତ୍ୱରାନ୍ୱିତ ହେବା ପରେ ଏବେ ଏହାର ଚୂଡ଼ାନ୍ତ ପର୍ଯ୍ୟାୟର କାମ ଚାଲିଛି। ଭବନର ଶୀର୍ଷଭାଗରେ ସ୍ଥାପିତ ହେଉଥିବା ‘ସି-ବ୍ୟାଣ୍ଡ’ ଡପଲର ରାଡାର ପ୍ରାୟ ୨୫୦ କିଲୋମିଟର ପରିଧି ମଧ୍ୟରେ ପାଣିପାଗର ଗତିବିଧି ଉପରେ ନଜର ରଖିପାରିବ। ପଶ୍ଚିମବଙ୍ଗ ଉପକୂଳରୁ ପାରାଦୀପ ପର୍ଯ୍ୟନ୍ତ ବିସ୍ତୃତ ଅଞ୍ଚଳର ପାଣିପାଗ ତଥ୍ୟ ସଂଗ୍ରହ କରି ଆଗୁଆ ସତର୍କବାଣୀ ପ୍ରଦାନ କରିବାର କ୍ଷମତା ଏହି ରାଡାରର ରହିଛି। ବର୍ଷ ବର୍ଷ ଧରି ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଉତ୍ତର ଓଡ଼ିଶା ପାଇଁ ଏହି ରାଡାର ଷ୍ଟେସନ ଏକ ନୂତନ ସୁରକ୍ଷା କବଚ ସାବ୍ୟସ୍ତ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.