ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଷଷ୍ଠ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଶୈକ୍ଷିକ ଉତ୍କର୍ଷ ଓ ପରିବେଶ ସୁରକ୍ଷା ଉପରେ ରାଜ୍ୟପାଳଙ୍କ ଗୁରୁତ୍ଵାରୋପ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ର ସଂଘର ଷଷ୍ଠ ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଶିକ୍ଷାର୍ଥୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏକତ୍ରିତ ହୋଇଥିଲେ। ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ ଏଭଳି ଆୟୋଜନ ପାଇଁ ପୁରାତନ ଛାତ୍ର ସଂଘ ଓ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଅଭିନନ୍ଦନ ଜଣାଇବା ସହ ଶୈକ୍ଷିକ ଉତ୍କର୍ଷକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଥିଲେ। ଏଥିସହ ବିଶ୍ୱବିଦ୍ୟାଳୟକୁ ଅଧିକ ପରିବେଶ ଅନୁକୂଳ କରିବା ଦିଗରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ।

ପୁରାତନ ଛାତ୍ର ସଂଘର ସଭାପତି ଡ. ସତ୍ୟଜିତ ମହାନ୍ତି ସ୍ୱାଗତ ଭାଷଣରେ କହିଥିଲେ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ଏହା ଓଡ଼ିଆ ଅସ୍ମିତାର ଏକ ମହାନ ପ୍ରତୀକ। ବିଶ୍ୱବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ଆଲୁମିନି ଆସୋସିଏସନ ନିରନ୍ତର କାର୍ଯ୍ୟ କରିବ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ରାଜ୍ୟପାଳ ଆସୋସିଏସନର ଅଫିସିଆଲ୍ ୱେବସାଇଟ୍ utkalalumni.org ର ଶୁଭାରମ୍ଭ କରିବା ସହ ବାର୍ଷିକ ପତ୍ରିକା ‘ଉତ୍କଳାୟନ’ ଉନ୍ମୋଚନ କରିଥିଲେ। ପରେ ପରେ ସଙ୍ଗୀତ ଓ ତର୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରିଜଣ ବିଶିଷ୍ଟ ପୁରାତନ ଛାତ୍ରଛାତ୍ରୀ ଡ. ଗିରୀଶ ଚନ୍ଦ୍ର ମୁର୍ମୁ, ପଦ୍ମଶ୍ରୀ କୁମକୁମ ମହାନ୍ତି, ଡ. ପ୍ରଶାନ୍ତ ନନ୍ଦ ଓ ଡ. ଉମା ଚରଣ ମହାନ୍ତିଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ। କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ କହିଥିଲେ ଯେ, ୨୦୪୩ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଶତବାର୍ଷିକୀ ପାଳନ କରିବ। ‘ଭିଜନ୍ ୨୦୪୩’ର ଲକ୍ଷ୍ୟ ହାସଲରେ ପୁରାତନ ଛାତ୍ର ସଂଘ ଏକ ଦୃଢ଼ ସେତୁ ଭାବେ କାର୍ଯ୍ୟ କରିପାରିବ। ଏହି ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବା ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ‘ସହ-ନିର୍ମାତା’ ଭାବେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ କୁଳସଚିବ ଡ. ସ୍ୱାତୀ ମିଶ୍ର, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଜ୍ଞେଶ୍ୱର ଦଣ୍ଡପାଟଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ପୁରାତନ ଛାତ୍ର ସଂଘ ପକ୍ଷରୁ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.