କୃତ୍ରିମ ଜଳାଶୟର ଭ୍ରମ ସୃଷ୍ଟି କରୁଛି କୁସୁମଖୁଣ୍ଟି ଆରଡ଼ି ରାସ୍ତା: ପଥଚାରୀ ଭୋଗୁଛନ୍ତି ଦୁର୍ଦ୍ଦଶା, ତୁରନ୍ତ ମରାମତି ଦାବି 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମେଟେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ (ଆରଡ଼ି) ବିଭାଗୀୟ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଦୀର୍ଘ ଦିନ ହେବ ରାସ୍ତା ମରାମତି ଅଭାବରୁ ଯାତାୟାତରେ ସ୍ଥାନୀୟ ଲୋକେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ସୂଚନା ଅନୁଯାୟୀ, ୨୬ ନମ୍ବର ଜାତୀୟ ରାଜପଥଠାରୁ କୁସୁମଖୁଣ୍ଟି ଗ୍ରାମ ମଧ୍ୟଦେଇ ଇନ୍ଦ୍ରାବତୀ କେନାଲ ଛକ ପର୍ଯ୍ୟନ୍ତ ଏହି ରାସ୍ତା ସଂଯୋଗ କରୁଥିବା ବେଳେ ପୂର୍ତ୍ତ ବିଭାଗ (ପଡବ୍ଲ୍ୟୁଡି) ରାସ୍ତା ଦେଇ ଏହା ଡହଗାଁକୁ ଯୋଡୁଛି। ତେବେ ବିଭାଗୀୟ ଅବହେଳା ଯୋଗୁଁ ଏହି ପ୍ରମୁଖ ରାସ୍ତାର ମରାମତି କିମ୍ବା ସମ୍ପ୍ରସାରଣ କାର୍ଯ୍ୟ ହୋଇପାରି ନାହିଁ। ଫଳରେ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲଖମା ସୃଷ୍ଟି ହୋଇ ବର୍ଷା ଜଳ ଜମି ରହିବା ସହ କୃତ୍ରିମ ଜଳାଶୟର ଭ୍ରମ ସୃଷ୍ଟି କରୁଛି। କେତେକ ଜାଗାରେ କାଦୁଅ ଜମି ରହିବାରୁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି। ଏହି ରାସ୍ତାଟି ଗ୍ରାମର ମୁଖ୍ୟ ପଥ ହୋଇଥିବାରୁ ଦୈନନ୍ଦିନ ଶହ ଶହ ଜନସାଧାରଣ, ବ୍ୟବସାୟୀ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯାତାୟାତ ପାଇଁ ଏହା ଉପରେ ନିର୍ଭର କରିଥାନ୍ତି। ରାସ୍ତାର ଦୂରବସ୍ଥା ଯୋଗୁଁ ନିତ୍ୟବ୍ୟବହାର୍ଯ୍ୟ ଯାତାୟାତରେ ଗୁରୁତର ସମସ୍ୟା ଦେଖାଦେଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏହି ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.