କୁଡ଼ାସିଂହାରେ ବିଏସଏଫ ଯବାନ ଶ୍ରୀତମ ରାଉତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ସଇଁତଲା ବ୍ଲକ ଟିକ୍ରାପଡ଼ା ପଞ୍ଚାୟତ କୁଡ଼ାସିଂହା ଗ୍ରାମରେ ମାତା ବାସନ୍ତୀ ରାଉତ ଓ ପିତା ଶୁକଦେବ ରାଉତଙ୍କ ସୁପୁତ୍ର ତଥା ବିଏସଏଫ ଯବାନ ଶ୍ରୀତମ ରାଉତଙ୍କୁ ଗ୍ରାମବାସୀ ଓ ପାଟଣା କ୍ଷତ୍ରିୟ ସମାଜ (ଟିକ୍ରାପଡା ଜୋନ) ତରଫରୁ ଭବ୍ୟ ସ୍ୱାଗତ କରାଯିବା ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଟ୍ରେନିଂ ସମାପ୍ତ କରି ଶ୍ରୀତମ ବୁଧବାର ପୂର୍ବାହ୍ନରେ ନିଜ ଗାଁ କୁଡ଼ାସିଂହାରେ ପହଞ୍ଚିଥିଲେ | ଏହା ପରେ ଗ୍ରାମବାସୀ ଶ୍ରୀତମଙ୍କୁ ଚନ୍ଦନ ଲେପନ ସହ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ | ପରେ ବାଜା ବଜାଇ ଗ୍ରାମ ପରିକ୍ରମା କରାଇବା ସହ ପ୍ରତି ଘର ଅଗଣାରେ ଶ୍ରୀତମଙ୍କୁ ସ୍ୱାଗତ କରାଯାଇଥିଲା | କିଶୋର ଭଞ୍ଜ, ମନବୋଧ ଭଞ୍ଜ, ଜୟରାଜ ବୁଡ଼େକ, ତ୍ରିଲୋଚନ ଦେଓ, ଟିଲୁ ଦେଓ, ସୁମନ ଦେଓ, ମଧୁସୂଦନ ଦେଓଙ୍କ ସମେତ ଶତାଧିକ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ | ଏହି ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପାଟଣା କ୍ଷତ୍ରୀୟ ସମାଜ ଟିକ୍ରାପଡ଼ା ଜୋନର ଉପଦେଷ୍ଟା କରୁଣାକର ବୁଡ଼େକ, ସଭାପତି ମୋହନ ସୁନ୍ଦର ବୁଡ଼େକ, ସମ୍ପାଦକ ମୋହନ ନାଏକ, ସଦସ୍ୟ ଭାଗ୍ୟବନ୍ତ ବିଶି, ନବୀନ ବୁଡ଼େକ, ରାଧାମୋହନ ବାରିକ ମଞ୍ଚାସିନ ରହି ବକ୍ତବ୍ୟ ଦେଇଥିଲେ | ବୀର ଯବାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଯୁବ ସମାଜ ନିଜ ଲକ୍ଷ୍ୟ ପ୍ରତି ନିଷ୍ଠା ରଖି ପରିଶ୍ରମ କଲେ ସଫଳତା ଅବଶ୍ୟମ୍ଭାବି | ଦେଶମାତୃକାର ରକ୍ଷା ପାଇଁ ଶ୍ରୀତମ ବିଏସଏଫରେ ଯୋଗଦେଇଥିବାରୁ ଅଞ୍ଚଳବାସୀ ଗର୍ବିତ ବୋଲି ବକ୍ତାଗଣ କହିଥିଲେ | ଦେଶ ପାଇଁ କାମ କରିବାର ଇଚ୍ଛା ପିଲାଟି ବେଳରୁ ରହିଥିଲା | ଲକ୍ଷ୍ୟ ହାସଲ ପାଇଁ ଯୁବ ଗୋଷ୍ଠୀ ଅଭାବ ଅସୁବିଧାକୁ ଭ୍ରୁକ୍ଷେପ ନ କରି ପରିଶ୍ରମ କରିବା ଆବଶ୍ୟକ ବୋଲି ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀତମ ପ୍ରକାଶ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.