ଛାତ୍ର ମାଡମରା ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ସବୁ ହଷ୍ଟେଲରେ ନିଯୁକ୍ତ ହେବେ କାଉନସେଲର, ଉନ୍ନତ ହେବ ଅଙ୍ଗନୱାଡ଼ି ଭିତ୍ତିଭୂମି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସଏସଡି ହାଇସ୍କୁଲରେ ଘଟିଥିବା ଅଭାବନୀୟ ଛାତ୍ର ମାଡ ମରା ଘଟଣାର ଆଜି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର । ପ୍ରକାଶ ଥାଉକି ଗତ ଅଗଷ୍ଟ ୩ ତାରିଖରେ ଉକ୍ତ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲରେ ରହୁଥିବା ଅଷ୍ଟମ ଓ ନବମ ଶ୍ରେଣୀର ପ୍ରାୟ ୩୦ ଜଣ ଛାତ୍ରଙ୍କୁ ନଡ଼ିଆ ବାହୁଙ୍ଗାରେ ନିର୍ଦ୍ଧୁମ ପିଟିଥିଲା । ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଆଜି ଅଧ୍ୟକ୍ଷା ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ସ୍କୁଲର ସ୍ଥିତି ଅନୁଧ୍ୟାନ କରିବା ପରେ ନିଜ ପ୍ରତିକ୍ରିୟାରେ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି ଯେ ଏହି ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ହଷ୍ଟେଲରୁ ବାହାର କରିଦିଆଯାଇଛି । ସ୍କୁଲର ଶିକ୍ଷକମାନଙ୍କୁ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନଘଟେ ସେନେଇ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ପିଲାଙ୍କ ଖାଦ୍ୟପେୟ ଏବଂ ଶୋଇବା ବ୍ୟବସ୍ଥା ଠିକ୍ ଥିବାବେଳେ ସିସିଟିଭି କ୍ୟାମେରା ଅଚଳ ଥିବା ଦେଖିବାକୁ ମିଳିଥିଲା । ତେଣୁ ତୁରନ୍ତ ନୂତନ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିକାଲି ଛୋଟ ପିଲାମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅପରାଧିକ ପ୍ରବଣତାକୁ ରୋକିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟର ପ୍ରତ୍ୟେକ ହଷ୍ଟେଲରେ ଜଣେ ଲେଖାଏଁ ‘କାଉନସେଲର’ ନିଯୁକ୍ତି ଦେବାକୁ ଯୋଜନା କରାଯାଇଛି । ସେମାନେ ପିଲାମାନଙ୍କ ମାନସିକ ସ୍ଥିତିକୁ ବୁଝି ସେମାନଙ୍କୁ ସୁ ନାଗରିକ ଭାବେ ଗଢ଼ି ତୋଳିବା ଦିଗରେ କାର୍ଯ୍ୟ କରିବେ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି । ଏଥିସହ ହଷ୍ଟେଲ ଗୁଡ଼ିକରେ ମ୍ୟାଲେରିଆ ନିରାକରଣ ପାଇଁ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବା,ଉନ୍ନତ ମାନର ମଶାରି ଯୋଗାଇଦେବା ଏବଂ ପ୍ରାଥମିକ ଚିକିତ୍ସା ତଥା ଔଷଧର ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ରାଜ୍ୟରେ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ଓ ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସାକାର କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ବାବଦରେ ସେ କହିଛନ୍ତି ଯେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ କରାଯାଉଛି । ଉପ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଘୋଷଣା ଅନୁଯାୟୀ, ଯେଉଁ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ କୋଠା ନାହିଁ ସେଠାରେ ଜାଗା ଚିହ୍ନଟ କରାଯାଇ ନୂତନ ଘର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଅନୁଦାନ ଦିଆଯାଉଛି । ଆବଶ୍ୟକସ୍ଥଳେ ଅତିରିକ୍ତ ୬ ଲକ୍ଷ ଟଙ୍କା ମଧ୍ୟ ଯୋଗାଇ ଦିଆଯିବ । ପ୍ରତ୍ୟେକ କେନ୍ଦ୍ରରେ ପାଚେରି,ସ୍ୱତନ୍ତ୍ର ଶୌଚାଳୟ,ପିଇବା ପାଣି,ରୋଷେଇ ଘର ଏବଂ ପିଲାଙ୍କ ଖେଳିବା ପାଇଁ ସ୍ଥାନ ରହିବ । ‘ସକ୍ଷମ ଅଙ୍ଗନୱାଡ଼ି’ କେନ୍ଦ୍ର ଗୁଡ଼ିକରେ ଏଲଇଡି ଲଗାଯିବାର ମଧ୍ୟ ବ୍ୟବସ୍ଥା ହେଉଛି । ଏହାଛଡ଼ା ‘ଅଦ୍ୱିକା’ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାଙ୍କୁ ସ୍ୱଚ୍ଛତା,ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦିଆଯାଉଛି । ଏହି ପରିଶେଷରେ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର କହିଛନ୍ତି ସ୍କୁଲ ଓ ହଷ୍ଟେଲ ଗୁଡ଼ିକରେ ଥିବା କର୍ମଚାରୀ ଅଭାବ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାର ସମାଧାନ ପାଇଁ ସେ ଜିଲ୍ଲାପାଳ,ପିଡି ଏବଂ ପିଏ ଆଇ ଟି ଡିଏ ଙ୍କ ସହିତ ସମୀକ୍ଷା ବୈଠକରେ ବିସ୍ତୃତ ଆଲୋଚନା କରିବେ । ଜିଲ୍ଲା ସ୍ତରରେ ଯାହା ସମସ୍ୟା ଅଛି ତାର ସମାଧାନ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ପଠାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଗସ୍ତ ବେଳେ ତାଙ୍କ ସହିତ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ,କୋଲନରା ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦେବାଶିଷ ମୁଣ୍ଡ,ଏସ ଡି ସି ଅଧ୍ୟକ୍ଷା ମଞ୍ଜୁଳା ମିଣିଆକା, ବରିଷ୍ଠ ବିଜେପି ନେତା ଶିବ ଶଙ୍କର ଉଲାକା,ମାଝୀଗୁଡ଼ା ମଣ୍ଡଳ ସଭାପତି ଅନିଲ ଜାଡି,କଲ୍ୟାଣସିଂହପୁର ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.