ଓଡ଼ିଆ ବାର୍ତ୍ତା/ ଜୟପାଟଣା ( ଧନେଶ୍ଵର ପୁଞ୍ଜି): ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଚଳିତ ଶିକ୍ଷା ବର୍ଷ ଗୁରୁଦିବସ ଅବସରରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ଉନ୍ନତ ଶିକ୍ଷାଦାନ, ଶୈଖିକ ପରିବେଶ, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଉଅଛି। ଗଣ ଶିକ୍ଷା ବିଭାଗ ର ପତ୍ର ସଂଖ୍ୟା ୨୮୨୮, ତା ୦୧/୦୯/୨୦୨୬ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ରାଜ୍ୟରେ ତୃତୀୟ ସ୍ଥାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ରେଙ୍ଗାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ବର୍ଷ ୨୦୨୪ ପାଇଁ ଶ୍ରେଷ୍ଠ ଆଲିମିନା ଏବଂ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷା ବର୍ଷ ୨୦୨୫ ରେ ଶ୍ରେଷ୍ଠ ପ୍ରଧାନ ଶିକ୍ଷକ ଓ ଶ୍ରେଷ୍ଠ ବିଦ୍ୟାଳୟ ଭାବରେ ମନୋନୀତ ହୋଇଛନ୍ତି। ଏଥି ପୂର୍ବରୁ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବ୍ଳକ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ପୁରସ୍କାର ଗ୍ରହଣ କରି ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଦ୍ୟାଳୟକୁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ଗଢିତୋଳିବାରେ ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକଙ୍କ ଅବଦାନ ଅତୁଳନୀୟ ହୋଇଥିବା ବେଳେ ବିଦ୍ୟାଳୟର ଆନୁସାଙ୍ଗିକ ବିକାଶ ଶୈଖିକ ଉନ୍ନତି ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ ସମସ୍ତ ବିଦ୍ୟାଳୟ ଠାରୁ ସ୍ୱତନ୍ତ୍ର ଲାଭ କରିଛି ତଥା ବିଦ୍ୟାଳୟ ପରିଚାଳନା କମିଟି ର ସହଯୋଗ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ନିଷ୍ଟା ଉଦ୍ୟମ ପ୍ରଶଂସନୀୟ। ରାଜ୍ୟ ସ୍ତରରେ ଶ୍ରେଷ୍ଠ ପୁରସ୍କାର ପାଇବା ଖବର ଶୁଣି ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଏହି ସବୁ ଶ୍ରେୟ ଗ୍ରାମବାସୀ, ସ୍ବେଚ୍ଛାସେବୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ପ୍ରଦାନ କରିଛନ୍ତି।





