୧୦ ଏକରରୁ ୧୨ ହଜାର ଗଞ୍ଜେଇ ଗଛ ନଷ୍ଟ, ୩ ଚାଷୀ ଗିରଫ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଗଞ୍ଜେଇ ମାଫିଆଙ୍କ ପରେ ଏବେ ବେଆଇନ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତିଙ୍କ ଉପରେ କୋରାପୁଟ ପୋଲିସର କଡ଼ା ନଜର। ପଡୁଆ ଥାନା ଅଞ୍ଚଳରେ ବଡ଼ ଧରଣର ବେଆଇନ ଗଞ୍ଜେଇ ଚାଷ ଠାବ କରିବା ସହ ପ୍ରାୟ ୧୨ ହଜାର ଗଞ୍ଜେଇ ଗଛ ନଷ୍ଟ କରିଛି ପୋଲିସ। ଏହି ଘଟଣାରେ ଗଞ୍ଜେଇ ଚାଷ କରୁଥିବା ୩ ଜଣଙ୍କୁ ଗିରଫ କରାଯାଇଛି। ଏନେଇ କୋରାପୁଟ ଏସ୍ପି ରୋହିତ ବର୍ମା ନିଜେ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନା ଅନୁଯାୟୀ, ପଡୁଆ ଥାନା ଅନ୍ତର୍ଗତ ଦିସାରିଗୁଡ଼ା ନିକଟ ପାହାଡ଼ିଆ ଅଞ୍ଚଳ ଏବଂ ଲେଞ୍ଜିଗୁଡ଼ା ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଷ ହେଉଥିବା ନେଇ ପୋଲିସକୁ ବିଶ୍ୱସନୀୟ ସୂଚନା ମିଳିଥିଲା। ଏହାପରେ ପଡୁଆ ଥାନା ଏସ୍ଆଇ ଉମେଶ ଧରୁଆଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଚଢ଼ାଉ କରିଥିଲା।
ଚଢ଼ାଉ ସମୟରେ ପ୍ରାୟ ୧୦ ଏକର ଜମିରେ ୧୨ ହଜାର ଗଞ୍ଜେଇ ଗଛ ଥିବା ଠାବ ହୋଇଥିଲା। ଘଟଣାସ୍ଥଳରେ ଗଞ୍ଜେଇ ଗଛର ଯତ୍ନ ନେଉଥିବା ୩ ଜଣଙ୍କୁ ପୋଲିସ ଧରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଦିସାରିଗୁଡ଼ାର ଜୟରାମ ଗେମେଲ, ଲେଞ୍ଜିଗୁଡ଼ାର ହାସ୍ୟା ଖରା ଓ ଘାସି ଗେମେଲ। ପୋଲିସ ପକ୍ଷରୁ ସମସ୍ତ ଗଞ୍ଜେଇ ଗଛକୁ ଉପାଡ଼ି ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ନଷ୍ଟ କରାଯାଇଛି। ଏଥିସହ ଘଟଣାସ୍ଥଳରୁ ୨ଟି ପ୍ଲାଷ୍ଟିକ ବାଲ୍ଟି, ୨ଟି କୋଡ଼ି ଏବଂ ୟୁରିଆ ସାର ଥିବା ଅଧା ବ୍ୟବହୃତ ଜରି ବସ୍ତା ଜବତ କରାଯାଇଛି। କୋରାପୁଟକୁ ନିଶାମୁକ୍ତ ଜିଲ୍ଲାରେ ପରିଣତ କରିବା ଦିଗରେ ପୋଲିସର ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଏସ୍ପି କହିଛନ୍ତି। କେବଳ ଗଞ୍ଜେଇ ପରିବହନ କିମ୍ବା ବିକ୍ରି ନୁହେଁ, ବେଆଇନ ଭାବେ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯିବ।





